ତିହିଡି, ୨୭/୦୩(ଯଦୁମଣି ପାଣିଗ୍ରାହୀ)): ତିହିଡ଼ି ବ୍ଲକ୍ ବାରୋ ·ରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଦୋଳପୂର୍ଣ୍ଣମୀ ଅପରାହ୍ନରେ ବାରୋ, ବୋଡକ, ବିଲଣା, ଗୋପନଗର, ନୟାପାଟଣା, ଗଳଗଣ୍ଡପୁର, କେରଡିହ ଓ ଖର୍ଦ୍ଦାପାଟଣା ଅଞ୍ଚଳର ୪ଟି ଦଳ ହୋଇ ପ୍ରାୟ ୬ ଶହରୁ ଉଦ୍ଧ୍ୱର୍ ଯାଦବମାନେ ଏକତ୍ରିତ ହୋଇ ନାଳିଆ କୂଳରେ କୁମ୍ଭାଭିଷେକ କରିଥିଲେ । ପ୍ର୍ରତ୍ୟେକ ଗ୍ରାମରୁ ଗୋପାଳମାନେ ପାରମ୍ପରିକ ଋତିରେ କୁମ୍ଭ ଭାର ନେଇ ବାଜା, ରୋଷଣୀ, ନୃତ୍ୟର ତାଳେ ତାଳେ ଆସି କୁମ୍ଭ ବୁଡାଇ ଥିଲେ । ଗୋପାଳମାନେ କୁମ୍ଭ ବୁଡାଇ ସେହି ପାଣିଙ୍କୁ ସେମାନଙ୍କ ଗୋ ବନ୍ଦନା କରିବା ସହ ଘରବାଡିରେ ମଧ୍ୟ ଛିଞ୍ଚନ କରିଥାନ୍ତି ଆଉ କୃଷ୍ଣଙ୍କ ଅନୁଗତଭାବେ ନିଜ ଘରେ ସେହି କଳସ ରଖି ପୂଜା କରିଥାନ୍ତି । ଏହି ବିଶ୍ୱାସରେ ଯାଦବମାନେ ଏବେବି ସେହି ପରମ୍ପରା ବଜାୟ ରଖିଛନ୍ତି । ୧୯୩୦ ମସିହା ଠାରୁ ବାରୋରେ କୁମ୍ଭ ବୁଡା ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି । ଏହି ମେଳାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ଯୋଗ ଦେଇ ଭରପୁର ମଜା ନେଇଥିଲେ । ଏଥିପାଇଁ କୁମ୍ଭ ମେଳା ପଡିଆ ଠାରେ ଅସ୍ଥାୟୀ ଦୋକାନ ବଜାର ଲାଗିିଥିଲା । ଏହି ମେଳକୁ ଶୃଙ୍ଖଳିତ କରିବା ବାରୋ ଚାରି ମହଲା ଯାଦବ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା ବେଳେ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ପ୍ରକାଶ ଥାଉକି, ଯାଦବମାନଙ୍କର ଏହା ମୁଖ୍ୟ ପର୍ବ ହୋଇଥିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ସାହି ପଡିଶାକୁ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିଥାନ୍ତି । ନୂଆ ବସ୍ତ୍ର ପରିଧାନ ପୂର୍ବକ ଧନୀ ଗରିବ ସଭିଏଁ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାନ୍ତି ।
