ତିହିଡି,୧୦/୦୧(ଯଦୁମଣି ପାଣିଗ୍ରାହୀ) ଭଦ୍ରକ ଜିଲ୍ଲା ତିହିଡି ଓ ପୀରହାଟ ଥାନାରେ କାମଚଳା ଥାନାବାବୁ କାମ ଚଳାଉଥିବା ଜଣାଯାଇଛି । ତିହିଡି ବ୍ଲକଟି ୩୧ ପଞ୍ଚାୟତକୁ ନେଇ ଗଠିତ । ବୋଡକରୁ ଆରମ୍ଭ କରି ନଚ୍ଛିବିନ୍ଧା ସେପଟେ ବୟାଙ୍ଗ ଅଞ୍ଚଳ ସହିତ ଶ୍ୟାମସୁନ୍ଦରପୁର, ନୂଆନନ୍ଦ ଓ ବାହାବଳପୁର ପର୍ଯ୍ୟନ୍ତ ଲମ୍ବିଛି । ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଚର୍ଚ୍ଚିତ ସ୍ଥାନ ହେଉଛି ତିହିଡି । ଏହି ତିହିଡି ବ୍ଲକଟି ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳ ମଧ୍ୟ । ସ୍ୱାଧିନତା ସଂଗ୍ରାମୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ଜନ୍ମଭୂମି ଏହି ତିହିଡି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୂର୍ବରୁ ଅବସ୍ଥାପିତ ହୋଇଥିଲେ ତିହିଡିର ବହୁ ରାଜନେତା । ଏହି ବ୍ଲକରୁ ୧୩ଟି ପଞ୍ଚାୟତ ଧାମନଗର, ୯ଟି ବାସୁଦେବପୁର ଓ ୯ଟି ·ନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଛି । ଭଦ୍ରକ-ଧାମରା ରେଳପଥ ମଧ୍ୟ ଏହି ଦୁଇଟି ଥାନାଞ୍ଚଳରେ ରହିଛି । ଯେଉଁଠି ଚୋରା କୋଇଲା ·ଲାଣର ଅବାଧ କାରବାର ବଳବତ୍ତର ରହଛି । ଯାହାକୁ ନେଇ ଦୈନିକ ବହୁ ଅସାମାଜିକ କାର୍ଯ୍ୟକଳାପ ସଂଗଠିତ ହେଉଛି । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ତିହିଡି ଓ ପୀରହାଟ ଥାନା ଇଲାକାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସ୍ୱାଭାବିକ । ତେବେ ଏହି ଦୁଇ ଥାନା ଇଲାକାରେ ପୋଲିସର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏପରିସ୍ଥଳେ ସଂପ୍ରତି ତିହିଡି ଓ ପୀରହାଟ ଥାନାରେ ସ୍ଥାୟୀ ଥାନାବାବୁ ନାହାଁନ୍ତି । ଦୁଇ ଜଣ ସବ ଇନ୍ସିପେକ୍ଟର ଏହି ଦୁଇ ଥାନାରେ ଦାୟିତ୍ୱ ବହନ କରୁଛନ୍ତି । ସେଥିରେ ପୁଣି ଜମିବାଡି ଓ ପାରିବାରିକ ବିବାଦ, ଦୁଷ୍କର୍ମ, ଅପହରଣ, ଚୋରି, ରାହାଜାନି, ରାଜନୈତିକ ବିବାଦରୁ ଗଣ୍ଡଗୋଳ ପରି ଅପରାଧିକ ଘଟଣା ବେଳକୁବେଳେ ବୃଦ୍ଧି ପାଇବାରେ ଲାଗିଛି । ତିନିତିନି ଜଣ ବିଧାୟକ ଏହି ବ୍ଲକରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଣ୍ଡ ଖେଳଉ ନାହାଁନ୍ତି । ଯେଉଁଥିପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ବିଭିନ୍ନ ସମୟରେ ଏହିଭଳି କାମଚଳା ବାବୁମାନଙ୍କୁ ଅବସ୍ଥାପିତ କରାଇ କାମ ଚଳାଇ ନେଉଛି । ଆଗକୁ ଆସୁଛି ପୁଣି ନିର୍ବାଚନ । ସେତେବେଳେ ପରିସ୍ଥିତି କଣ ହେବ କିଏ କହି ପାରିବ ।