ତିହିଡି,୦୧/୦୬ : ୨୦୨୧-୨୨ ଖରିଫ ଧାନ କିଣାରେ ତିହିଡି ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ବହୁସଂଖ୍ୟକ ପ୍ରକୃତ ଚାଷୀ ସେମାନଙ୍କ ଧାନ ବିକି ନପାରି ଆର୍ଥିକ କ୍ଷତି ସହିଛନ୍ତି । ସରକାରଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନଙ୍କର ଟୋକନ କଟିବା ଦ୍ୱାରା ସେମାନେ ଶାଗମାଛ ଦରରରେ ସେମାନଙ୍କ ଧାନକୁ ବେପାରୀଙ୍କ ହାତକୁ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ, ମିଶନ ଶକ୍ତି ଅଧିକାରୀ, ସମବାୟ ସମିତି ସହକାରୀ ନିବନ୍ଧକ ଏବଂ କିଛି ରାଜନେତାଙ୍କ ଅସାଧୁ ମେଣ୍ଟ ଏହି ମହା ଦୁର୍ନୀତିରେ ସଂପୃକ୍ତ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଅସାଧୁ ମେଣ୍ଟନିଜକୁ ରକ୍ଷା କରିବା ପାଇଁ ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ଧାନ ମିଲ ମାଲିକଙ୍କ ମୁଣ୍ଡରେ ଅଠା ବୋଳି ଖସି ଯାଇଛନ୍ତି ।
ଦୁର୍ନୀତିର ପ୍ରକୃତ ରହସ୍ୟ ଜାଣିବା ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ତରଫରୁ ସୂଚନା ଆଇନ ବଳରେ ତଥ୍ୟ ମଗାଯାଇ ଥିଲେ ବି ଅଦ୍ୟାବଧି ସଂପୂର୍ଣ୍ଣ ସୂଚନା ମିଳି ପାରି ନଥିଲେ ବି ଯେତିକି ସୂଚନା ମିଳିଛି ସେଥିରେ ଅସାଧୁ ଅଧିକାରୀ ଓ ରାଜନେତାଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି ବୋଲି ସୂଚନା ହାସଲ କରିଥିବା ଚାଷୀ ସୂର୍ଯ୍ୟ ନାରାୟଣ ଘୋଷ ଓ ନିରାକାର ସେନାପତି ଲିଖିତ ଭାବେ ଜଣାଇଛନ୍ତି । ବିବରଣୀରୁ ପ୍ରକାଶ ଯେ, ଏହି ବ୍ଲକ ଅନ୍ତର୍ଗତ କୋହ୍ଲ ପଞ୍ଚାୟତର ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ନବଗ୍ରହ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ଅନୁମତି ପାଇଥିଲା । ଉକ୍ତ ମହାସଂଘକୁ ଧାନ ବିକିବା ପାଇଁ ପଞ୍ଚାୟତର ମୋଟ ୪୪୭ ଜଣ ଚାଷୀ ଆବେଦନ କରିଥିଲେ । ଯାଞ୍ଚ ପରେ ୩୮୪ ଜଣ ଚାଷୀଙ୍କ ଠାରୁ ୧୪ ହଜାର ୪୯୦ କୁଇଣ୍ଟାଲ ଧାନ କିଣିବାକୁ ସରକାରୀ ଭାବେ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଥିଲା । ମାତ୍ର ମହାସଂଘ ୩୪୩ ଜଣ ଚାଷୀଙ୍କ ଠାରୁ ୧୪, ୪୮୨.୬୨କୁଇଣ୍ଟାଲ ଧାନ କିଣିଥିବା ବେଳେ ୪୧ ଜଣ ଚାଷୀଙ୍କର ଟୋକନ କଟିଛି । ଏହି ୪୧ ଜଣ ଚାଷୀ ସେମାନଙ୍କର ମୋଟ ପରିମାଣ ୧୬୧୪.୭୫ କୁଇଣ୍ଟାଲ ଧାନ ବିକି ପାରି ନଥିଲେ ।
ଚାଷୀଙ୍କର ଧାନ କିଣା ହେଲା ନାହିଁ ଅଥଚ ଲକ୍ଷ୍ୟ ଧାର୍ଯ୍ୟ କେମିତି ପୂରଣ ହେଲା ତାହାର ଉତ୍ତର କାହାରି ପାଖରେ ନାହିଁ । ଏହି ରହସ୍ୟରୁ ପରଦା ହଟେଇବା ଲାଗି ଶ୍ରୀ ଘୋଷ ଓ ଶ୍ରୀ ସେନାପତି ସୂଚନା ଅଧିକାର ଆଇନ ବଳରେ ଧାନ କିଣାବିକା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମାଗିଥିଲେ । ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଜନ ସୂଚନା କେସ୍ ନଂ-୦୯/୨୦୨୨ ଓ ୧୦/୨୦୨୨ମୂଳେ ସମବାୟ ସମିତି ସହକାରୀ ନିବନ୍ଧକ ଓ ଜିଲ୍ଲା ମିଶନ ଶକ୍ତି ଅଧିକାରୀଙ୍କୁ ଚିଠି କରିଥିଲେ । ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ନ ମିଳିବାରୁ ଉଭୟ ଚାଷୀ ପ୍ରଥମ ଅପିଲ କରିଥିଲେ ।
ଜିଲ୍ଲା ଯୋଗାଣ ଅଧିକାରୀ ତଥା ପ୍ରଥମ ଅପିଲ ଅଧିକାରୀ ଅପିଲ କେସ୍ ନଂ-୦୩/୨୦୨୨ ଓ ୦୪/୨୦୨୨ ମୂଳେ କେସ୍ ବିଚାର କରି ମିଶନ ଶକ୍ତି ଅଧିକାରୀ ଓ ସହକାରୀ ନିବନ୍ଧକ ୭ ଦିନ ମଧ୍ୟ;ର ସମସ୍ତ ସୂଚନା ଯୋଗାଇ ଦେବାକୁ ଗତ ୧୦/୦୫ରେ ଶୁଣାଣି କରିଥିଲେ । ମାତ୍ର ଅଦ୍ୟାବଧି ପାଇବାକୁ ଥିବା ସୂଚନା ସଂପୃକ୍ତ ଅଧିକାରୀ ମାନେ ଯୋଗାଇ ଦେଇ ନାହାନ୍ତି । ସୂଚନା ପ୍ରଦାନ ନକରିବାର ଏକମାତ୍ର କାରଣ ସଂପୂର୍ଣ୍ଣ ସୂଚନା ଦ୍ୱାରା ଧାନ କିଣା ମହାଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ରାଜନେତାଙ୍କ ସାଧୁ ମୁଖା ଖୋଲିଯିବ । ମାତ୍ର ମିଳିଥିବା ସୂଚନା ମୁତାବକ ପଞ୍ଚାୟତ ଓ ବ୍ଲକସ୍ତରୀୟ କିଛି ରାଜନେତା ସେମାନଙ୍କ ପୁଅ ପୁତୁରା ତଥା ଭାଇବନ୍ଧୁ ଏବଂ ଦଳୀୟ କର୍ମୀଙ୍କ ନାଁରେ ଶହ ଶହ କୁଇଣ୍ଟାଲ ଧାନ କିଣା ହୋଇଛି ।
ଏମିତି କି କଲେଜ ପ୍ରିନ୍ସପାଲ ଓ ହାଇସ୍କୁଲ ଶିକ୍ଷକ ବି ଧାନ ମିକିଥିବା ତାଲିକାରେ ରହିଛନ୍ତି । ଏମାନେ ଜଣେ ଜଣେ ଯେତିକି ପରିମାଣରେ ଧାନ ବିକିଛନ୍ତ ସେହି ଅନୁଯାୟୀ ସେମାନଙ୍କ ଜମି ଜମା ନାହିଁ ବୋଲି ଭୂଲେଖରୁ ଜଣାପଡିଛି । ଅପିଲର ଆଦେଶ ମୁତାବକ ସୂଚନା ପ୍ରଦାନ କରାଗଲେ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରନ୍ତା । ଜିଲ୍ଲାପାଳ ହସ୍ତକ୍ଷେପ କରି ଅବିଳମ୍ଭେ ସଂପୂର୍ଣ୍ଣ ସୂଚନା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀଙ୍କର ଦାବି ।
