Odisha news

ନାଗରାପିଟା ନାଳ ସଂସ୍କାର ପାଇଁ ସର୍ଭେ : ଜଳସେଚିତ ହେବ ଅଢେଇ ହଜାର ହେକ୍ଟର ଚାଷ ଜମି

ତିହିଡ଼ି,୧୦ା୦୮: ତିହିଡି ବ୍ଲକରେ ଥିବା ନାଗରାପିଟା ନାଳ ସଂସ୍କାର ପାଇଁ ମଙ୍ଗଳବାର ସର୍ଭେ କରାଯାଇଛି । ଡ୍ରେନେଜ ବିଭାଗ ଅଧିକାରୀ ମାନେ ୧୨ କିମି ବ୍ୟାପି ଏହି ନାଳ ପରିଦର୍ଶନରେ ଯାଇ ସର୍ଭେ କରିଥିବା ଜଣାଯାଇଛି । ନାଗରପିଟା ନାଳ ଗୋପାଳିଆ କେନାଲରୁ ବାହାରି ବାରସର ପଞ୍ଚାୟତର କେଳାସାହି ପର୍ଯ୍ୟନ୍ତ ଯାଇଛି । ଏହି ନାଳ ଯୋଗୁଁ ମୁକୁନ୍ଦପୁର, ଭାଟପଡା, ଫତେପୁର, କୋହ୍ଲ, ସିନେ୍ଦାଳ ଏବଂ ବାରସର ପଞ୍ଚାୟତର ଚାଷୀମାନେ ଉପକୃତ ହୋଇଥାନ୍ତି । ଏହିସବୁ ପଞ୍ଚାୟତର ଅଢେଇ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ । ଅପରପକ୍ଷେ ଏହି ନାଳ ମଧ୍ୟ ଜମିର ଅଧିକ ପାଣି ନିଷ୍କାସନରେ ସହାୟକ ହୋଇଥାଏ ।

ତେବେ ନାଳଟି ଗତ କିଛି ବର୍ଷ ହେବ ପୋତି ପଡିଥିବାରୁ ଚାଷୀମାନେ ଜଳସେଚନ ନେଇ ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ଏ ସଂପର୍କରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରି ନାଳ ସଂସ୍କାର ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ । ବିଧାୟକ ରାଉତରାୟ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରେନେଜ ବିଭାଗ ଭଦ୍ରକର ଏସଡିଓ ସମ୍ବିତ କୁମାର ଶିଅଳ, କନିଷ୍ଠ ଯନ୍ତ୍ରୀ ପ୍ରକାଶ ପରମାଣିକ, ନାଳର ପରିଦର୍ଶନ କରିଥିଲେ । ସେମାନେ ସଂପୂର୍ଣ୍ଣ ୧୨ କିମି ବ୍ୟାପି ନାଳକୁ ସର୍ଭେ କରିଥିଲେ । ନାଳ ସଂସ୍କାର ହେବା ସହ ବାମ ପାଶ୍ୱର୍ରେ ଏକ ରାସ୍ତା ମଧ୍ୟ ନିର୍ମାଣ ହେବ । ଯାହାଦ୍ୱାରା ଗମନାଗମନରେ ମଧ୍ୟ ସୁବିଧା ହେବ । ବିଭାଗୀୟ ଅଧିକାରୀ ମାନେ ସର୍ଭେ କରିବା ପରେ ଏହି ଯୋଜନାରେ କେତ ଅର୍ଥ ବ୍ୟୟ ହେବ ସେନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହେବ ବୋଲି ଜଣାଯାଇଛି । ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ କୀର୍ତ୍ତନ ରାଉତ, ବୈକୁଣ୍ଠନାଥ ପାଣି, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ପ୍ରବୀର ନାୟକ ପ୍ରମୁଖ ସର୍ଭେ ବେଳେ ଉପସ୍ଥିତ ଥିଲେ ।

Comments are closed.