Odisha news

କରୋନା କଟକଣା : ଜମିଲାନି ଗୁଣ୍ଡୁଣି ମେଳା , ଫିକା ପଡିଲା ୩ଶହ ବର୍ଷର ପରମ୍ପରା

0

ତିହିଡି,୨୭/୦୨: ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ବିରଞ୍ଚି ନାୟଣ ପୀଠରେ ଚଳିତ ବର୍ଷ ଗୁଣ୍ଡୁଣି ମେଳା ଫିକା ପଡିଛି । ଯାହାଫଳରେ ୨ୟ ଅର୍କ ଭାବେ ସୁପରିଚିତ ଏହି କ୍ଷେତ୍ରରେ ୩ଶହ ବର୍ଷର ପରମ୍ପରା ପାଳନରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । କରୋନା କଟକଣା ଯୋଗୁଁ ଏ ପ୍ରକାର ପରିସ୍ଥିତି ଉପୁଜି ଥିବାରୁ ଗୁଣ୍ଣୁଣି ମେଳା ନିରାଡମ୍ବର ଭାବେ ପାଳିତ ହୋଇଛି । ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ପାଳିଆ ଗ୍ରାମରେ ବିରଞ୍ଚି ନାରାୟଣଙ୍କ ମନ୍ଦିର ରହିଛି । ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ବିରଞ୍ଚି ନାରାୟଣ ପୂଜା ପାଉଛନ୍ତି । ସୂର୍ଯ୍ୟଙ୍କ ଉପାସନା କ୍ଷେତ୍ର ଭାବେ ସୁପରିଚିତ ଏହି ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ଗୁଣ୍ଣୁଣି ମେଳା ଅଧିକ ଗୁରୁତ୍ୱ ବହନ କରିଥାଏ । ପୂର୍ବରୁ ସମୁଦ୍ର ପାଳିଆ ଗ୍ରାମ ନିକଟରେ ରହିଥିଲା । ଏବଂ ସେଠାରେ ଗୁଣ୍ଡୁଣି ନାମକ ଏକ ବନ୍ଦର ରହିଥିଲା । କାଳକ୍ରମେ ସମୁଦ୍ର ଦିଗ ପରିବର୍ତ୍ତନ କରିଥିଲା ।

ତେବେ ସେଠାରେ ଥିବା ବନ୍ଦର ଗୁଣ୍ଡୁଣି ନାଁକୁ ଉଜ୍ଜିବୀତ ରଖିବା ଲାଗି ପ୍ରତିବର୍ଷ ଏଠାରେ ଗୁଣ୍ଡୁଣି ମେଳା ପାଳିତ ହେଉଥିବା କୁହାଯାଏ । କଥିତ ଅଛି କୃଷ୍ଣଙ୍କ ପୁଅ ଶାମ୍ବ ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ପରେ ସେ ଏହି କ୍ଷେତ୍ରରେ ସୂର୍ଯ୍ୟଙ୍କୁ ଉପାସନା କରି ଶାପମୁକ୍ତ ହୋଇଥିଲେ । ଅଘିରାପୂର୍ଣ୍ଣମୀ ପରଦିନ ଗୁଣ୍ଡୁଣି ମେଳା ୨ଦିନ ଧରି ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏହି କ୍ଷେତ୍ରକୁ ଯାଇ ନିଜର ମାନସିକ ପୂରଣ ଲାଗି ସୂର୍ଯ୍ୟଙ୍କୁ ଉପାସନା କରିଥାନ୍ତି । ବିଶେଷକରି ଛଉ ରୋଗରୁ ମୁକ୍ତି ଲାଗି ଏଠାରେ ଫୁଲ ଛତା ଚଢାଇବାର ପରମ୍ପରା ଥିବାରୁ ବହୁ ବହୁ ଛୁ ରୋଗୀ ଫୁଲ ଛତା ଅର୍ପଣ କରିଥାନ୍ତି । ରଥ ସଦୃଶ ନିର୍ମିତ ହୋଇଥିବା ଏହି ମନ୍ଦିରରେ ଚାରି ଦିଗକୁ ଚାରୋଟି ଦ୍ୱାର ରହିଛି । ଗୁଣ୍ଡୁଣି ମେଳାରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ବ୍ୟବସାୟୀ ମାନେ ଚଳିତ ବର୍ଷ ଆସିପାରି ନାହାନ୍ତି । କେବଳ ମନ୍ଦିରେ ବିରଞ୍ଚି ନାରାୟଣଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହୋଇଛି । ଆଖପାଖର ଗ୍ରାମର ମୁଷ୍ଟିମେୟ ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ହୋଇଥିବା ଜଣାଯାଇଛି ।

Ad2
Leave A Reply