ତିହିଡି,୦୩/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ୩୧ ପଞ୍ଚାୟତରେ ୧୧ଶହ ହିତାଧିକାରୀ ଭତ୍ତା ପାଇବାକୁ ଅପେକ୍ଷାରେ ଅଛନ୍ତି । ଏହି ସବୁ ପଞ୍ଚାୟତର ମୋଟ ୧୪ ଶହ ହିତାଧିକାରୀ ଅନଲାଇନରେ ଭତ୍ତା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩୦୫ ଜଣଙ୍କର ଭତ୍ତା ମଞ୍ଜୁର ହୋଇଥିବା ବେଳେ ଅନ୍ୟମାନଙ୍କୁ ଏଯାବତ ମିଳି ପାରିନାହିଁ । ସରକାରଙ୍କ ପକ୍ଷରୁ ବିଧବା, ବୃଦ୍ଧ/ବୃଦ୍ଧା, ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟକ୍ତା ଓ ଅବିବାହିତା ମହିଳା ମାନଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ଯୋଗାଇ ଦିଆଯାଉଛି । ତେବେ କୋଭିଡ କଟକଣା ଯୋଗୁଁ ଅନଲାଇନରେ ଭତ୍ତା ପାଇଁ ଆବେଦନ କରିବାକୁ ନିୟମ କରାଯାଇଛି ।
ତଦନୁଯାୟୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୪ ଶହ ହିତାଧିକାରୀ ଭତ୍ତା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୨୪୪ଜଣ ବିଧବା, ୨୭ ଜଣ ଭିନ୍ନକ୍ଷମ, ୩୨ ଜଣ ବୃଦ୍ଧ/ବୃଦ୍ଧା ଓ ୨ ଜଣ ସ୍ୱାମୀ ପରିତ୍ୟକ୍ତାଙ୍କ ଭତ୍ତା ମଞ୍ଜୁର ହୋଇଛି । ତିହିଡି ବ୍ଲକରେ ପ୍ରଥମକରି ଅନଲାଇନ ଆବେଦନକାରୀଙ୍କୁ ଆସନ୍ତା ସପ୍ତାହକ ମଧ୍ୟରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ କରାଯିବ । ତେବେ ଅବଶିଷ୍ଟ ୧୧ଶହ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଭତ୍ତା ପ୍ରଦାନ କରାଯିବ ବୋଲି ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । କୋଭିଡ ସମୟରେ ଏହି ସବୁ ହିତାଧିକାରୀଙ୍କୁ ଅଧିକ ଦିନ ଯାଏଁ ଅପେକ୍ଷା କରା ନଯାଇ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି ।