ତିହିଡି,୧୫/୧୨: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭାଜପା ପକ୍ଷରୁ ତିହିଡି ବ୍ଲକ ଆଗରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିବାଦ ସଭାରେ ସାହାଡାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ ବଳ ଅଧ୍ୟକ୍ଷତା କରିଥିଲେ । ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାସୁଦେବପୁର ନିର୍ବାଚନମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ଝରଣା ଯେନା, ଅଲିଳପ୍ରଭା ରାଉଳ, ଅଜୟ ମହାପାତ୍ର, ମୁକ୍ତିକାନ୍ତ ନାୟକ, ଭରତ ସାହୁ, ସଂଗ୍ରାମ ମହାନ୍ତି, ମାନସ ନାୟକ, ଶ୍ରୀହର୍ଷ ସ୍ୱାଇଁ, ତପନ ପାଢୀ, ପ୍ରତାପ ଜେନା, ରାଜକିଶୋର ନାୟକ ଓ ସୀତାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
୨୦୦୯ ମସିହାରୁ ମେଡିକାଲ କଲେଜ ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ । ଜିଲ୍ଲାର ସରକାରୀ ହସ୍ପିଟାଲ ଉପରେ ପଡୋଶୀ ଜିଲ୍ଲାର ଅଧିବାସୀ ମାନେ ନିର୍ଭରଶୀଳ ଏହାଛଡା ଜିଲ୍ଲାର ଆଖୁଆପଦା ଠାରୁ ମଇତାପୁର ଯାଏଁ ଜାତୀୟ ରାଜପଥ ଦୁର୍ଘଟଣାପ୍ରବଣ ହୋଇଥିବାରୁ ଭଦ୍ରକ ମେଡିକାଲ ହିଁ ଆହତ ବ୍ୟକ୍ତିଙ୍କ ଚିକତ୍ସା ଲାଗି ଏକମାତ୍ର ଭରସା ଅଟେ । ପଡୋଶୀ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଲାଗି ସରକାର ନିଷ୍ପତ୍ତି ନେଇଥିବା ବେଳେ ଭଦ୍ରକ ପ୍ରତି ଅବହେଳା କରାଯିବା ପରିତାପର ବିଷୟ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଫେବୃୟାରୀ ମାସରେ ଭଦ୍ରକରେ ମେଡିକାଲ ସ୍ଥାପନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ସହ ଏହାକୁ କେନ୍ଦ୍ରକୁ ପଠାଇବା ଲାଗି ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ୬୦ଭାଗ ଅର୍ଥ ଦେବ ବୋଲି ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଥିଲା । ମାତ୍ର ରାଜ୍ୟ ସରକାର ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ରଖି କୌଣସି ପ୍ରସ୍ତାବ ଦେଇନଥିବା ନେତାମାନେ ବକ୍ତବ୍ୟରେ କହିଥିଲେ । ପରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ଦଳ ପକ୍ଷରୁ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।