ତିହିଡି :ତିହିଡି ଥାନା ଅନ୍ତର୍ଗତ ତଳକାଁପଡା ଗାଁ ମୁଖିଆଙ୍କୁ ତାଙ୍କ ହାକିମାତି କରିବା ମହଙ୍ଗା ପଡିଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଥାନାରେ ଏକ ମାମଲା ନଂ-୨୫୯/୨୦ ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଏଡି ଗାଁରେ ଗତ ଜୁନ ମାସରେ ଏକ ଗଣ୍ଡଗୋଳ ହେବା ସହ ଥାନାରେ ବି ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ଏହି ଗାଁର ତ୍ରିନାଥ ଦାସ ସାକ୍ଷୀ ପଡିଥିଲେ । ଫଳରେ ଗାଁ ମୁଖିଆ ଶୁକଦେବ ଦାସ ତାଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ ।
ତେବେ ତ୍ରିନାଥ ଏହା ଦେଇପାରି ନଥିଲେ । ଏବେ ସେ ନିଜ ଜମିରେ ଚାଷ କରିବାକୁ ଗଲାରୁ ଟଙ୍କା ନଦେବା ଯାଏଁ ତୋ ଜମି ଚାଷ କରିପାରିବୁ ନାହିଁ ବୋଲି ଗାଁ ମୁଖିଆ ଶୁକଦେବ କହିବା ସହ ତାଙ୍କୁ ଗାଳିଗୁଲଜ ଓ ଧମକ ଚମକ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ତ୍ରିନାଥଙ୍କ ବାପା ରବିନ୍ଦ୍ର ଶୁକଦେବଙ୍କ ବିରୋଧରେ ତିହିଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।
