ବେତନଟୀ : କରୋନା ସମୟରେ ଲକ ଡାଉନ ହେତୁ ଚାଷୀ ମାନେ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ହାଟ ବଜାର ସବୁ ନିୟମିତ ଚାଲୁ ନଥିବାରୁ କୃଷି ଉତ୍ପାଦନ ସବୁ ବିକ୍ରି କରିବା କାଠିକର ପାଠ ହୋଇ ପଡିଛି । ବେତନଟୀ ବ୍ଲକର ବୁଢ଼ାବଳଙ୍ଗ ତଟରେ ଥିବା ପାଳ ଗୁଡିକରେ ପ୍ରଚୁର ମାତ୍ରାରେ ଲଙ୍କା ଓ ଅନ୍ୟାନ ଫସଲ ଉଦ୍ୟାନ କୃଷି ବିଭାଗର ପ୍ରତ୍ସାହନରେ ହୋଇଛି । ହେଲେ କେତେକ ଚାଷୀ ନିଜର ଲଙ୍କା ବିକ୍ରି କରିବା ପାଇଁ କଷ୍ଟ ଭୋଗୁ ଥିଲେ । ଖବର ପାଇ ବେତନଟୀ ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଇପସିତା ବାରିକ, ଓଭରସିଓର ମଙ୍ଗଲ ସିଂ, ସିଇଓ ସତ୍ୟବାନ ପ୍ରଧାନ ପ୍ରମୁଖ ନାଖରାରେ ପହଞ୍ଚି ଚାଷୀଙ୍କ ପାଖରୁ ତଥ୍ୟ ହାସଲ କରି ଥିଲେ ।
ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଇପସିତାଙ୍କ ଅନୁରୋଧକ୍ରମେ ଉଦ୍ୟାନ କୃଷି ଉପନିଦେ୍ର୍ଦଶକ ଶିଶିର ଆଚାର୍ଯ୍ୟ ଚାଷୀ ମାନଙ୍କର ଲଙ୍କା ଓ ଅନ୍ୟାନ ଉତ୍ପାଦନ ବିକ୍ରି କରିବା ପାଇଁ ବ୍ୟବସ୍ଥା କରି ଥିଲେ । ଏହା ହେବା ଦ୍ୱାରା ଚାଷୀ ମାନେ ସହାୟତା ପାଇଛନ୍ତି । ଅନ୍ୟ ପକ୍ଷରେ ବେତନଟୀ ଉଦ୍ୟାନକୃଷି କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଯଥେଷ୍ଟ କର୍ମଚାରୀ ନଥିବାର ଦେଖା ଯାଉଛି । ଅଧିକାରୀଙ୍କୁ ନେଇ ମାତ୍ର ତିନି ଜଣ କର୍ମଚାରୀ ବେତନଟୀ ବ୍ଲକର ୨୪ଟି ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି । ତେବେ ଏମାନେ କ୍ଷେତ୍ରକୁ ଯାଇ ଚାଷୀ ମାନଙ୍କୁ ବୁଝାସୁଝା କରି କାର୍ଯ୍ୟ କରୁ ଥିବା ବେଳେ କାର୍ଯ୍ୟାଳୟରେ ଲେଖା, ରେକର୍ଡ ପତ୍ର ସବୁ ଲେଖିବା, ଏମିତିକି ଅଧିକାରିଣୀଙ୍କୁ ପାଣି ଗ୍ଲାସେ ଦେବା ପାଇଁ କର୍ମଚାରୀ ନଥିବାରୁ ଅଧିକାରୀ ମାନେ ସବୁ କାର୍ଯ୍ୟ ନିଜେ କରୁଛନ୍ତି । ଏହି କାର୍ଯ୍ୟାଳୟ ଚାଷୀଙ୍କ ହିତରେ କାର୍ଯ୍ୟ କରୁ ଥିବାରୁ ଏଠାରେ ଅଧିକ କର୍ମଚାରୀ ନିୟୋଜନ ପାଇଁ ସାଧାରଣରେ ଦାବି ହୋଇଛି ।