ଡେରାବିଶ : ଡେରାବିଶ ବ୍ଳକ ଇନ୍ଦାଳୋ ପଂଚାୟତ ନାନକାର ଗ୍ରାମର ଜଣେ ମହିଳାଙ୍କ ବ୍ୟାଙ୍କ ଜମାଖାତାକୁ କରୋନା ନିମନ୍ତେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଅଗ୍ରୀମ ଅର୍ଥ ଆସିବା ପରେ ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ନାମରେ ହୋଇଥିବା କେଳଙ୍କାରୀ ପଦାକୁ ଆସିଛି । ସୂଚନାରୁ ପ୍ରକାଶ ଡେରାବିଶ ବ୍ଳକ ଇନ୍ଦାଳୋ ପଂଚାୟତ ଅନ୍ତର୍ଗତ ନାନକାର ଗ୍ରାମର କଲ୍ୟାଣ କୁମାର ଦାଶଙ୍କ ପନôୀ ପୁଷ୍ପଲତା ଦାଶ ଉଜ୍ଜ୍ୱଳା ଯୋଗନାରେ ରନ୍ଧନ ଗ୍ୟାସ୍ ସଂଯୋଗ ନିମନ୍ତେ କେନ୍ଦ୍ରାପଡ଼ାର ଏକ ବିତରଣ ସଂସ୍ଥା ନିକଟରେ ଆବେଦନ କରିଥିଲେ । ହେଲେ ପୁଷ୍ପଲତାଙ୍କୁ ଏହି ଗ୍ୟାସ୍ ସଂଯୋଗ ଦିଆନଯିବାରୁ ସେ ବାରମ୍ବାର ଉକ୍ତ ବିତରଣ ସଂସ୍ଥାର ଅଧିକୃତ ବିକ୍ରେତାଙ୍କୁଭେଟିଥିଲେ । ବିତରଣ ସଂସ୍ଥା ଶ୍ରୀମତୀ ଦାଶଙ୍କୁ ଆବେଦନ ପତ୍ରରେ ତ୍ରୁଟି ରହିଥିବାରୁ ହୋଇପାରିବ ନାହିଁ, ତମେ ପରେ ଆସ ଏବେ ସମୟ ନାହିଁ, କ’ଣ ହୋଇଛିବୁଝିବା କହି ଫେରାଇ ଦେଇଥିଲେ ।
ବାରମ୍ବାର ସେଠାକୁ ଦଉଡ଼ିବା ପରେ ଗ୍ୟାସ୍ ବିତରକ ସଂସ୍ଥା ତୁମକୁ ଗ୍ୟାସ୍ ସଂଯୋଗ ଦିଆଯାଇ ପାରିବ ନାହିଁ ବୋଲି ମନା କରିଦେଇଥିଲେ । କିନ୍ତୁ କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀମତୀ ଦାଶଙ୍କ ବ୍ୟାଙ୍କ ଜମାଖାତାରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ମିଳୁଥିବା ରନ୍ଧନ ଗ୍ୟାସ୍ ସିଲିଣ୍ଡର କ୍ରୟ ନିମନ୍ତେ ତିନିଥର ଅଗ୍ରୀମ ଟଙ୍କା ଜମା ହୋଇଥିବା ଜାଣିବା ପରେ ତାଙ୍କ ନାମରେ ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ହୋଇଛି ଓ ବିତରଣ ସଂସ୍ଥା ଏହା ଅନ୍ୟ କାହାକୁ ବିକ୍ରି କରିଦେଇଛି ବୋଲି ନିଶ୍ଚିତ ହୋଇଥିଲେ । ଏହା ପରେ ଶ୍ରୀମତୀ ଦାଶ ଉକ୍ତ ବିତରଣ ସଂସ୍ଥା ନିକଟରେ ପହଂଚି ତାଙ୍କ ନାମରେ ଦାନପୁର ସ୍ଥିତ ଇଣ୍ଡିଆନ ବ୍ୟାଙ୍କର ଜମାଖାାତାକୁ ଉଜ୍ଜ୍ୱଳା ଯୋଜନାର ଅଗ୍ରୀମ ଅର୍ଥ ଆସିଛି ବୋଲି ଜଣାଇଥିଲେ । ପ୍ରଥମେ ବିତରଣ ସଂସ୍ଥା ଏହା ଭୁଲରେ ଆସିଛି ବୋଲି କହି ଫେରାଇ ଦେଇଥିଲେ । ଏ ସମ୍ପର୍କରେ ଶ୍ରୀମତୀ ଦାଶ ଉଚ୍ଚକତୃପକ୍ଷଙ୍କ ଦୃଷ୍ଟିକୁ ଆଣିବେ ବୋଲି ବିତରଣ ସଂସ୍ଥାକୁ କହିଲା ପରେ ସେ ଅଗ୍ରୀମ ପାଇଥିବା ସମସ୍ତ ଟଙ୍କା ଆଣି ଦେଲେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ବୋଲି କହିଥିବା ମହିଳା ଜଣକ ପ୍ରକାଶ କରିଛନ୍ତି । ଯଦି ଏହା ସତ୍ୟ ହୋଇଥାଏ ତାହେଲେ ଅନେକ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଗ୍ୟାସ୍ ସଂଯୋଗରୁ ବଂଚିତ ହୋଇଥିବେ ବୋଲି ତଦନ୍ତ କଲେ ଜଣାପଡ଼ିବ ।