ପୁରୀ : କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ କୋଭିଡ-୧୯ ଗାଇଡ୍ ଲାଇନ କଟକଣା ଅନୁଯାୟୀ ୧୨ଦିନ ବିଳମ୍ବରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ରଥ ନିର୍ମାଣ ନେଇ ଦେଖାଦେଇଥିବା ଆଶା ଆଶଙ୍କାର ଅବସାନ ଘଟିଛି । ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱକର୍ମା ମହାରଣାମନେ ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଧରି ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ରଥଖଳାର ଉଭୟ ପାଶ୍ୱର୍ର ୨୦୦ଫୁଟ ରାସ୍ତାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ନିର୍ମାଣ କାର୍ଯ୍ୟ ବାହାରକୁ ଦୃଶ୍ୟମାନ ନହେବା ପାଇଁ ଚଳିତବର୍ଷ ରଥଖଳାକୁ ପ୍ରଶସ୍ତ କରାଯିବା ସହିତ ଧଳା କନାରେ ଆବୃତ୍ତ କରାଯାଇଛି । ରଥଖଳାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି ।
୭୨ଜଣ ବିଶ୍ୱକର୍ମା ମହାରଣା, କରତିଆ, ରଥଭୋଇ ଓ ରୂପକାର ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାରଣା ସେବକ ବିଜୟ ମହାପାତ୍ର ଚଳିତବର୍ଷ ନନ୍ଦିଘୋଷ ରଥ ନିର୍ମାଣ ଦାୟିତ୍ୱରେ ମୁଖ୍ୟ ରହିଛନ୍ତି । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦାୟିତ୍ୱରେ କୃଷ୍ଣଚନ୍ଦ୍ର ମହାରଣା ଓ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦାୟିତ୍ୱରେ ନରସିଂହ ମହାପାତ୍ର ରହିଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ସମସ୍ତ ଭୋଇ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତିବର୍ଷ ରଥ ନିର୍ମାଣ କାର୍ଯ୍ୟରେ ୭୭ଜଣ ବିଶ୍ୱକର୍ମା, ୭ଜଣ ଭୋଇ, ୨୦ଜଣ ରୂପକାର, ୧୭ଜଣ କମାର ଓ ୬ଜଣ କରତି ନିୟୋଜିତ ହୋଇଥାନ୍ତି ।
ତେବେ ଆଜି ତାଳଧ୍ୱଜ ରଥର ୯ଜଣ ମହାରଣା, ୯ଜଣ ଭୋଇ, ୩ଜଣ ରୂପକାର, ଦର୍ପଦଳନ ରଥର ୬ଜଣ ମହାରଣା, ୬ଜଣ ଭୋଇ, ୩ଜଣ ରୂପକାର ଓ ନନ୍ଦିଘୋଷ ରଥର ୧୦ଜଣ ମହାରଣା, ୫ଜଣ ଭୋଇ, ୩ଜଣ ରୂପକାର କାମ ଆରମ୍ଭ କରିଥିବା ବେଳେ ୧୨ଜଣ କମାର ଓ ୬ଜଣ କରତିଆ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି । ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜୁନ ୨୩ତାରିଖରେ ରଥଯାତ୍ରା । ଜ୍ୟେଷ୍ଠ କୃଷ୍ଣ ପ୍ରତିପଦାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆସନ୍ତା ୧୫ତାରିଖ ଭଉଁରୀ ଯାତ୍ରା ଦିନ ପରମ୍ପରା ଅନୁଯାୟୀ ୩ରଥର ୬ଟି ଚକ ଓ ୩ଟି ଅଖ ଡେରାଯିବା ନେଇ ସନେ୍ଦହ ବ୍ୟକ୍ତ କରିଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର । ବିଜୟ କହିଛନ୍ତି ଯେ ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହେବା କଥା । କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ ।
ରଥ ନିର୍ମାଣ କାର୍ଯ୍ୟରେ ୧୨ଦିନ ବିଳମ୍ବ ହୋଇଗଲାଣି । ତେଣୁ ଭଉଁରୀ ଦିନ ୬ଟି ଚକ ଡେରାଯିବା ନେଇ ସନେ୍ଦହ ରହିଛି । ତେବେ ସବୁ ମହାପ୍ରଭୁଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ପ୍ରଥମେ ତୁମ୍ବ କାର୍ଯ୍ୟ ହେବ, ଏହା ପରେ ବିନ୍ଧ କରାଯାଇ ଅର ଲାଗିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ରଥଯାତ୍ରା ପୂର୍ବଦିନ ପର୍ଯ୍ୟନ୍ତ ଚାଲିଥାଏ । ରଥ ନିର୍ମାଣ ପାଇଁ ପ୍ରାୟ ୫୮ଦିନ ଲାଗିଥାଏ । ମାତ୍ର ଚଳିତବର୍ଷ ୪୬ଦିନ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ପଡିବ । ପ୍ରତ୍ୟହ ରାତି ୧୦ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲିବ ଓ ସମସ୍ତଙ୍କୁ ଦୁଇଗୁଣା ମଜୁରୀ ଦିଆଯିବ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ଅନୁଯାୟୀ ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ଶୁକ୍ରବାର ସକାଳ ୮ଟାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗତବର୍ଷ ବିଶ୍ୱକର୍ମା ମହାରଣାମାନେ ଦୈନିକ ୪୮୪ଟଙ୍କା ମଜୁରୀ ପାଉଥିବା ବେଳେ କମାରମାନେ ୪୬୯ଟଙ୍କା, ଭୋଇ ସେବକ ୪୪୮ଟଙ୍କା, ରୂପକାର ୪୨୩ଟଙ୍କା ଓ ପାଣିବାଲା ୧୫୧ ଟଙ୍କା ମଜୁରୀ ନେଇଥିଲେ ।
ଚଳିତବର୍ଷ ସମସ୍ତଙ୍କୁ ୧୦ପ୍ରତିଶତ ମଜୁରୀ ଅଧିକ ଦିଆଯିବ । ରଥ ନିର୍ମାଣରେ ନିୟୋଜିତ ସେବାୟତମାନଙ୍କୁ ଭକ୍ତ ନିବାସରେ ରଖାଯିବ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯଦି ସମସ୍ତେ ଏକମତ ହୁଅନ୍ତି ତେବେ କେହି ଘରକୁ ନଯାଇ ଭକ୍ତ ନିବାସରେ ରହିବେ । ଫଳରେ ସେମାନଙ୍କ ସୁସ୍ଥ ରହିବା ସହିତ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି । ସାଧାରଣ ଲୋକଙ୍କୁ ରଥଖଳା ଠାରୂ ଦୂରରେ ରଖିବା ପାଇଁ ୨ଶହ ଫୁଟ ନିଷିଦ୍ଧାଞ୍ଚଳରେ ବ୍ୟାରିକେଡିଂ କରାଯିବ । ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କେତେକ ଦାବି ଉପସ୍ଥାପନ କରିଛନ୍ତି ।
ସେ ସମ୍ପର୍କରେ ସରକାର ବିଚାର କରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସୂଚନାଯୋଗ୍ୟଯେ,ଗତ ୪ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇ ରାଜ୍ୟସରକାରଙ୍କ ଅନୁମୋଦନ ଲାଗି ସୁପାରିଶ କରାଯାଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ ସମ୍ପର୍କରେ ରାଜ୍ୟସରକାର କେନ୍ଦ୍ରର ଅନୁମତି ଲୋଡ଼ିଥିଲେ । ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବାର ବିଧି ଥିଲେ ମଧ୍ୟ ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ ଜନିତ ଲକଡାଉନ କଟକଣା ଯୋଗୁଁ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ବେଢ଼ାରେ କେବଳ ବିଧି ରକ୍ଷା ପୂର୍ବକ ରଥ ନିର୍ମାଣର ଶୁଭ ଅନୁକୂଳ କରାଯାଇଥିଲା ।