ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସତର୍କ : କଟକଣାରେ ଆବଦ୍ଧ ହୋଇ ରହିଥିବା ବେଳେ ତାହାକୁ ହଟାଇନେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଡ଼ିଯିବ
ୱାସିଂଟନ: ସମ୍ପ୍ରତି ମହାମାରି କୋଭିଡ୍–୧୯ର ମୁକାବିଲା ପାଇଁ ଭାରତ ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉଦ୍ଦେଶ୍ୟରେ ଲକ୍ଡାଉନ୍ ଭଳି ଅତି କଠୋର କଟକଣା ଜାରି ରଖି ବିପୁଳ ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତିା ଏପରିକି ଆମେରିକା ଭଳି ରାଷ୍ଟ୍ର ଏଥିରେ ପ୍ରମାଦ ଗଣି ଶୀଘ୍ର ଦେଶରେ ଆର୍ଥିକ ସ୍ବାଭାବିକତା ଫେରାଇଆଣିବାକୁ ଚିନ୍ତା କରୁଛି। ବିଭିନ୍ନ ଦେଶ ମଧ୍ୟ ଅନୁରୂପ ଭାବେ ନିଜର ଭୁଶୁଡି଼ପଡି଼ଥିବା ଅର୍ଥନୀତିର ପୁନରୁଦ୍ଧାର ପାଇଁ ଲକ୍ଡାଉନ୍ ପ୍ରତ୍ୟାହାର ପାଇଁ ସଜବାଜ ହେଲେଣି। ତେବେ ଏ ଦିଗରେ କୌଣସି ତରବରିଆ ନିଷ୍ପତ୍ତି ନ ନେବାକୁ ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସତର୍କ କରାଇଦେଇଛି। ଲକ୍ଡାଉନ୍ ଯୋଗୁଁ ଦେଶବାସୀ ନାନା କଟକଣାରେ ଆବଦ୍ଧ ହୋଇ ରହିଥିବା ବେଳେ ତାହାକୁ ହଟାଇନେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଡ଼ିଯିବ ବୋଲି ମଧ୍ୟ ‘ହୁ’ ଚେତାବନୀ ଦେଇଛିା
ଏ ସମ୍ପର୍କରେ ଜେନେଭା ଠାରେ ରାଷ୍ଟ୍ରମାନଙ୍କୁ ସଂବୋଧିତ କରି ‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ଯେ ଏପରି ସ୍ଥିତିକୁ ହଟାଇବା ପାଇଁ ଦେଶଗୁଡି଼କ ଯଥେଷ୍ଟ ପ୍ରସ୍ତୁତ ହେବା ଜରୁରୀା ଏହି ଅତିଶୟ ସଂକ୍ରମଣକ୍ଷମ କରୋନାଭୂତାଣୁର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ପ୍ରଭୂତ ନିରୀକ୍ଷଣ ପ୍ରଣାଳୀ ସମେତ ସମ୍ଭାବ୍ୟ ଗଣସଂକ୍ରମଣ ରୋକିବା ପାଇଁ ବ୍ୟାପକ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ କରି ରଖିବା ଆବଶ୍ୟକୟ। ଅନ୍ୟଥା ଏହାର ପରବର୍ତ୍ତୀ ଅସମ୍ଭାଳ ପରିସ୍ଥିତିକୁ ସଜାଡି଼ବା କଷ୍ଟକର ହେବ। ସେହିପରି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଲକ୍ଡାଉନ୍ କଟକଣାଗୁଡି଼କ଼ୁ ତରବରିଆ ଭାବେ ହଟାଇନେଲେ କରୋନାଭୂତାଣୁ ପୁଣି ମାଡି଼ବସିବ ବୋଲି ‘ହୁ’ର ଭୂତାଣୁ ବିଶେଷଜ୍ଞ ମାରିଆ ଭାନ୍ କେର୍ଖୋବ୍ ଆଶଙ୍କା ପ୍ରକଟ କରିଛନ୍ତି। ସୂଚନା ଥାଉ କି, ଜର୍ମାନୀ, ସ୍ପେନ୍ ଓ ଇଟାଲି ଆଦି ଦେଶରେ ଲକ୍ଡାଉନ୍ ସ୍ଥିତିକୁ କୋହଳ କରିବା ଆରମ୍ଭ ହୋଇଥିବା ବେଳେ ଆମେରିକା ମଧ୍ୟ ଅନୁରୂପ ପନ୍ଥା ଆପଣେଇବାକୁ ସଂକେତ କରିଛି। ଏହି ଅବସରରେ ବୁଧବାର ‘ହୁ’ ଅଧିକାରୀ ମାଇକ୍ ସ୍ପଷ୍ଟ କରିଥିଲେ ଯେ ରାଷ୍ଟ୍ରମୁଖ୍ୟମାନେ ଆବଶ୍ୟକତା ଅନୁଯାୟୀ ନିଜ ଦେଶରେ କେବେ ଓ କେମିତି ଲକ୍ଡାଉନ୍ ପରିସ୍ଥିତି ହଟାଇବେ, ତାହା ସେମାନେ ଚିନ୍ତା କରିବା ଦରକାର।