Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗଡ଼ିଲା ଅର୍ପଣ ରଥ : ଅକ୍ଷତ ଚାଉଳ ଓ ଗୁଆ ହେଲା ସଂଗ୍ରହ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ, ଭଜନ କୀର୍ତ୍ତନ ମଧ୍ୟ ମୁଖରିତ ପରିବେଶ

0

ବାରିପଦା baripada : ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ତାରିଖରେ ଲୋକାର୍ପଣ ହେବ । ଏଥିସହିତ ଓଡ଼ିଶା ସମେତ ଶ୍ରୀମନ୍ଦିର ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିହେବ । ଉକ୍ତ ଭବ୍ୟ ଆୟୋଜନ ପାଇଁ ରାଜ୍ୟବ୍ୟାପୀ ଜଗନ୍ନାଥମୟ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀଜଗନ୍ନାଥ ପ୍ରଚାର “ଅର୍ପଣ’ ରଥ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ବଜାର ସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜିଉ ବିଜେଙ୍କ ମନ୍ଦିର ସମ୍ମୁଖରେ ଅର୍ପଣ ରଥ ଶୁଭାରମ୍ଭ ହୋଇଛି । ‘ଜୟ ଜଗନ୍ନାଥ’ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହେବା ସହ ଭଜନ କୀର୍ତ୍ତନ ମଧ୍ୟରେ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଥିଲା । ବାରିପଦା ପୌରପାଳିକାର ସମସ୍ତ ୱାର୍ଡରେ ଉକ୍ତ ରଥ ଗୁଡିକ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରିବ । ଏହା ସଂଗ୍ରହ କରି ଶ୍ରୀକ୍ଷେତ୍ର ଅଭିମୁଖେ ‘ଅର୍ପଣ ରଥ’ ଯାତ୍ରା କରିବ । ଆସନ୍ତା ଜାନୁଆରୀ ୧୪ତାରିଖ ପର୍ଯ୍ୟନ୍ତ ସମସ୍ତ ୨୮ଗୋଟି ୱାର୍ଡ ପରିକ୍ରମା କରି ପ୍ରତିଟି ପରିବାର ଘରରୁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରିବ । ଶ୍ରଦ୍ଧା ଓ ଭଲପାଇବାର ସହ ସମର୍ପଣ ଭାବନାରେ ଜନସାଧାରଣ ‘ଅର୍ପଣ ରଥ’କୁ ପ୍ରଦାନ କରିବେ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ନେଇ ପୁରପଲ୍ଲୀରେ ପ୍ରଚାର ମଧ୍ୟ କରାଯିବ । ଲୋକାର୍ପଣ ଉତ୍ସବକୁ ଜିଲ୍ଲାବାସୀ ଦେଖିବାପାଇଁ ପଞ୍ଚାୟତ ସ୍ତରରେ ଏଲ୍ଇଡି ଟିଭି ଲଗାଯାଇ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ କରାଯିବ । ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ‘ଶ୍ରୀମନ୍ଦିର ପରିକ୍ରମା’ ଜାନୁଆରୀ ୧୭ତାରିଖରେ ଲୋକାର୍ପିତ ହେବ । ଏନେଇ ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସବୁ ଲୋକେ ପୁରୀ ଆସିବା ସମ୍ଭବ ନଥିବାରୁ ପ୍ରତି ପରିବାରରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଉଛି । ଅର୍ପଣ ରଥ ପ୍ରତ୍ୟେକ ଘର ବୁଲି ଏହା ସଂଗ୍ରହ କଲାପରେ ଏକ ମନ୍ଦିରରେ ସଂଗୃହିତ ଗୁଆ ଓ ଅକ୍ଷତ ରଖାଯିବ । ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଗାଡ଼ିରେ ପୁରୀ ଅଣାଯାଇ ମହାପ୍ରଭୁଙ୍କୁ ସମର୍ପଣ ହେବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ମହିଳା ସଭାପତି ଦୀପ୍ତିଲତା ମିଶ୍ର ଏବଂ ସମସ୍ତ ୱାର୍ଡ କାଉନ୍ସିଲର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply