ହିମାଂଶୁ ଶେଖର ଆଚାର୍ଯ୍ୟ : ଗତ କାଲି ଥିଲା ସେପ୍ଟେମ୍ବର ୫ତାରିଖ -ଗୁରୁଦିବସ । ସମସ୍ତଙ୍କ ପାଇଁ ବହୁ ପ୍ରତୀକ୍ଷିତ ଦିନ । ବିଶେଷକରି ବିଦ୍ୟାର୍ଥୀଙ୍କ ପାଇଁ ଗୁରୁପୂଜା ପରିବାର ଏକ ମହାର୍ଘ ଅବସର । କିନ୍ତୁ ସେମାନଙ୍କୁ ସେ ସୁଯୋଗ ମିଳିଲା ନାହିଁ । କରୋନା ପାଇଁ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବା ଥିଲା ମନା । ତେଣୁ କେଉଁଠି ଆନନ୍ଦ-ଉଲ୍ଲାସ ନଥିଲା । ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ମହାମାରୀ କରୋନା ଆତଙ୍କ । ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ବପର୍ବାଣି ଓ ଅନ୍ୟାନ୍ୟ ଦିବସ ପାଳନ ଉପରେ ଲଗାଇଛନ୍ତି ରୋକ୍ ।
ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏଥିରୁ ବାଦ୍ ପଡିନଥିଲା । କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ଗଣେଶ ପୁଜା ପରେ ଏଥର ତାର ପ୍ରଭାବ ପଡିଛି ଗୁରୁଦିବସ ଉପରେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଥିଲା ନିରବତା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନଥିଲା ସରସତା । ଏହିଭଳି ପରିସ୍ଥିତିରେ ମୋବାଇଲ , ହ୍ୱାଟସ୍ଅପ, ଫେସବୁକ୍ର ସାହାଯ୍ୟ ନେଇଥିଲେ ବିଦ୍ୟାର୍ଥୀ । ଏହାରି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗୁରୁଦିବସ ପାଳନ କରିବା ସହ ଗୁରୁଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ସବୁଦେଶରେ ଶିକ୍ଷକ ବା ଗୁରୁ ପୂଜନୀୟ । ବିଶ୍ୱର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଦିବସରେ ବା ତାରିଖରେ ମହାନ୍ ଶିକ୍ଷକଙ୍କ ସ୍ମୃତିରେ ପାଳନ କରନ୍ତି ଶିକ୍ଷକ ଦିବସ ବା ଗୁରୁଦିବସ । ଏପରିକି ସାର୍ବଜନୀନ ଭାବେ ଅକ୍ଟୋବର ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ । ଆର୍ଜେଣ୍ଟିନାରେ ସେପ୍ଟେମ୍ବର ୧୧ ତାରିଖରେ ମହାନ୍ ଶିକ୍ଷକ ଡୋମିଙ୍ଗୋ ଫଷ୍ଟିନୋ ସାର୍ମିଏଣ୍ଟୋଙ୍କ ସ୍ମୃତିରେ ପାଳିତ ହୁଏ ଏହି ଦିବସ । ବ୍ରୁନେଇର ୨୮ତମ ଶାସକ ସୁଲତାନ ଓମାର୍ ଅଲ୍ଲୀ ସୈଫୁଦ୍ଦିନ୍ ତୃତୀୟଙ୍କ ଜନ୍ମଦିନ ସେପ୍ଟେମ୍ବର ୨୩ ତାରିଖକୁ ପାଳନ କରାଯାଏ ଶିକ୍ଷକ ଦିବସ ଭାବରେ । ବ୍ରାଜିଲ୍ରେ ଅକ୍ଟୋବର ୧୫ ତାରିଖରେ ପ୍ରାଥମିକ ସ୍କୁଲଗୁଡିକ ଅଦାଲତରେ ଏକ ମାମଲାରେ ଜୟଯୁକ୍ତ ହୋଇଥିଲେ । ସେବେଠାରୁ ଏହି ଦିନକୁ ଶିକ୍ଷକ ଦିବସ ରୂପେ ପାଳନ କରାଯାଉଛି ।
ଏଥି ସହିତ ଆମେରିକାରେ ମଇ ମାସର ପ୍ରଥମ ସପ୍ତାହ (ବୁଧବାର) ଦିନକୁ ପାଳନ କରାଯାଏ ନ୍ୟାସନାଲ୍ ଟିଚର୍ସ ଡେ । ସେହିପରି ଆମ ଦେଶରେ ଗୁରୁପୂଜନର ପରମ୍ପରା ହେଉଛି ଅତି ପ୍ରାଚୀନ । ଆମ ଦେଶରେ ଅଷାଢ ପୂର୍ଣ୍ଣିମାକୁ ମଧ୍ୟ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ମହାଭାରତର କୃଷ୍ଣ-ସନ୍ଦିପନୀ, ଦ୍ରୋଣ-ଏକଲବ୍ୟଙ୍କଠାରୁ ଆରମ୍ଭକରି ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସଙ୍କ ପର୍ଯ୍ୟନ୍ତ ପୁଣି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଠାରୁ ଆରମ୍ଭକରି ଏ. ପି. ଜେ. ଅବଦୁଲ କଲାମଙ୍କ ପର୍ଯ୍ୟନ୍ତ ସବଠିି ଗୁରୁ ଶିଷ୍ୟ ପରମ୍ପରାର ଲମ୍ବା ତାଲିକା । ସେହିପରି ଭାରତରେ ପ୍ରତିବର୍ଷ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ ।
ତାଙ୍କୁ ଆମ ଦେଶର ସର୍ବକାଳୀନ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷା ସଂସ୍କାରକ ଭାବେ ଗ୍ରହଣ କରାଯାଇଛି । ୧୯୬୨ ମସିହାରେ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାପରେ ତାଙ୍କର କେତେକ ଛାତ୍ର ଓ ଶୁଭେଚ୍ଛୁ ତାଙ୍କର ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିବାକୁ ଅନୁମତି ମାଗନ୍ତେ, ସେ କହିଲେ – “ଯଦି ମୋ ଜନ୍ମ ଦନକୁ ପାଳନ କରିବାକୁ ଚାହୁଁଛ ତେବେ ମୋ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କଲେ ମୁଁ ବହୁତ ଖୁସି ହେବି” । ଛାତ୍ର ଓ ଶୁଭେଚ୍ଛୁମାନେ ତାଙ୍କ କଥା ରଖିଲେ ଓ ସେହିଦିନଠାରୁ ଗୁରୁଦିବସ ପାଳନ ଆରମ୍ଭ ହେଲା । ଆମ ଦେଶରେ ଗୁରୁ ଦିବସ ପାଳନ ଅବସରରେ ଆମେ ଦୁଇଟି କଥାକୁ ଗୁରୁତ୍ୱ ଦେଇଥାଉ । ପ୍ରଥମଟି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିବସ ପାଳନ ଓ ଦ୍ୱିତୀୟଟି ଗୁରୁଙ୍କ ସମ୍ମାନାର୍ଥେ ଗୁରୁପୂଜା ।
ଗୁରୁ ଦିବସ ପାଳନ ଅବସରରେ ଆମ ଦେଶ ତଥା ରାଜ୍ୟ କଥା ଚିନ୍ତାକଲେ ଅନେକ କଥା ଆଖି ସାମ୍ନାକୁ ଆସେ । କୋଠାରୀ କମିସନ କହିଥିଲେ – “ଭାରତର ଭବିଷ୍ୟତ ଶ୍ରେଣୀଗୃହରେ ତିଆରି ହୁଏ” । କିନ୍ତୁ କ୍ଷୋଭର କଥା ଶିକ୍ଷାର ମୁଖ୍ୟ ବିନ୍ଧାଣି କୁହାଯାଉଥିବା ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି । କିଏ ସରକାରୀ, କିଏ ବେସରକାରୀ ତ କିଏ ଠିକା ଶିକ୍ଷକ, ଶିକ୍ଷା ସହାୟକ, ବ୍ଲକ୍ଗ୍ରାଣ୍ଟ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଇତ୍ୟାଦି । ଏମାନଙ୍କ ବେତନ ଓ ସର୍ତ୍ତାବଳୀ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର । ଏବେ ବ୍ଲକ୍ଗ୍ରାଣ୍ଟ୍ର ପରିଭାଷା ବଦଳି ନୂତନ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ଘୋଷଣା କରାଯାଇଛି । ଏଥିରେ ମଧ୍ୟ ସେହି ଏକା ପ୍ରକାରର ବ୍ୟବସ୍ଥା – ଚାକିରି ସର୍ତ୍ତାବଳୀ ବା ଅନ୍ୟାନ୍ୟ ସୁବିଧା ସୁଯୋଗ ନାହିଁ । କାହିଁ ଏପରି ବ୍ୟବସ୍ଥା ଅତୀତରେ ନଥିଲା ? ଏପରି ସ୍ଥଳେ ଗୁଣାତ୍ମକ ଶିକ୍ଷା କିପରି ଆଶା କରାଯିବ, ତାହାହିଁ ବିରାଟ ପ୍ରଶ୍ନବାଚୀ ରୂପେ ଦେଖାଦେଇଛି ।ଖାଲି ସେତିକି ନୁହେଁ ସମଗ୍ର ଦେଶରେ ପ୍ରାୟ ୧୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡିରହିଛି ।
ଏହି ପଦବୀ ଗୁଡିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ । ଆମ ରାଜ୍ୟର ଅବସ୍ଥା ମଧ୍ୟ ସେହିପରି । ଖାଲି ସେତିକି ନୁହେଁ ଏବର ଦ୍ରୋଣାଚାର୍ଯ୍ୟମାନଙ୍କୁ ପାଠ ଅପେକ୍ଷା ଶାଠ କାମ ଅଧିକ କରିବାକୁ ପଡୁଛି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଏପରିକି ଲୌହ ବଟିକା ବଣ୍ଟନ ଆଦି କାମ ଶିକ୍ଷକମାନଙ୍କ ଉପରେ ଲଦି ଦିଆଯାଉଛି । ଗୋଟିଏ ପଟେ ଶିକ୍ଷକ ମାନଙ୍କୁ ଜାତି ନିର୍ମାତା କୁହାଯାଉଥିବାବେଳେ ଅନ୍ୟପଟେ ଏପରି ବ୍ୟବସ୍ଥା ସେମାନଙ୍କୁ ଚାପଗ୍ରସ୍ତ କରୁଛି ।
ଏମିତି ଏକ ଆତଙ୍କର ପରିବେଶରେ ଗତକାଲି ଥିଲା ଗୁରୁଦିବସ -୨୦୨୦ । ସେ ଦୃଷ୍ଟିରୁ ଏ ବର୍ଷର ଗୁରୁଦିବସ ଟିକେ ଫିକା ଫିକା ଲାଗିଲା ।ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ଏକଥା କୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ସବୁଠୁ ବଡକଥା ହେଉଛି ପୂର୍ବର ସେହି ଗୁରୁ ଶିଷ୍ୟ ପରମ୍ପରା ଏବେ ଆଉ ନାହିଁ । ଔପଚାରିକତାରେ ଚାଲିଛି ସବୁ କିଛି । ଖବର କାଗଜ ପୃଷ୍ଠା ଓଲଟାଇଲେ ବା ଟିଭି ପରଦା ଖୋଲିଲେ ଆଖି ଆଗରେ ନାଚି ଉଠେ କେଉଁଠି ଗୁରୁମାନଙ୍କର କଳାକାରନାମା ତ ଆଉ କେଉଁଠି ବିଦ୍ୟାର୍ଥୀ ମାନଙ୍କର ଗୁରୁମାନଙ୍କ ପ୍ରତି ଅଶୋଭନୀୟ ଆଚରଣ । ଏବେ ପୁଣି ବିଦ୍ୟାଳୟ ଗୁଡିକ ଦଣ୍ଡ ମୁକ୍ତ ଅଞ୍ଚଳ । ଗୁରୁମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ମନା । ପୂର୍ବେ ଗୁରୁମାନେ ଅନୁଶାସନ ଦ୍ୱାରା ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଦାନ କରିବା ସହ ଭଲ ମଣିଷ କରିବାରେ ଚେଷ୍ଟିତ ଥିଲେ ।
ଏଇଠି ମନେ ପଡେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ଙ୍କ କଥା । ଯିଏ ନିଜ ପୁଅର ଶିକ୍ଷକ ପାଖକୁ ଲେଖିଥିବା ଚିଠି ଏବେବି ସମସ୍ତଙ୍କ ପାଇଁ ପ୍ରେରଣାର ଉସô ହୋଇରହିଛି । ସେ ଚିଠିରେ ସେ ଅନେକ କଥା ଲେଖିଥିଲେ । ଶେଷ କେତୋଟି ଧାଡି ଥିଲା ଏହିପରି- ‘ହେ ମୋର ପୂଜନୀୟ ଶିକ୍ଷକ! ଆପଣଙ୍କ ହାତରେ ମୋ ପୁଅକୁ ଅର୍ପଣ କରୁଛି । ଆପଣ ତାକୁ ମଣିଷ ପରି ମଣିଷଟିଏ କରି ଗଢିବେ’ । କେହି ଜଣେ ବିଜ୍ଞବ୍ୟକ୍ତି କହିଥିଲେ ‘ଓପନ ଏ ସ୍କୁଲ କ୍ଲୋଜ ଏ ଜେଲ୍’ । ଏହାର ତାପର୍ଯ୍ୟ ଶିକ୍ଷା ଲାଭ କଲେ ବିଚାର ଓ ବିବେକର ବିକାଶ ଘଟେ ।ଫଳରେ ସେ ଦୁଷ୍କୃତିରୁ କ୍ଷାନ୍ତ ରୁହେ ।ସ୍ୱାଧୀନତାର ୭୪ବର୍ଷପରେ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସଂଖ୍ୟା ବହୁ ଗୁଣରେ ବଢିଛି । କିନ୍ତୁ ସେପଟେ ଜେଲ୍ର ସଂଖ୍ୟା ଓ ଆକାର ମଧ୍ୟ ବଢୁଛି । ଅର୍ଥାତ ଆମ ବିଦ୍ୟାଳୟ ଆଉ ମଣିଷ ଗଢିବାରେ ସହାୟକ ହେଉନାହିଁ ।