କଳିଙ୍ଗନଗର, ଅପ୍ରେଲ ୧୪, ୨୦୨୦: ଲକ୍ଡାଉନ୍ ମଧ୍ୟରେ ଭାରତର ସହରାଞ୍ଚଳରେ ଅନ୍ଲାଇନ୍ ଅଡର ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ଔଷଧ ମିଳିବା ସହର ଲୋକମାନଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ଓଡ଼ିଶାର ସୁକିନ୍ଦା ଓ ଦାନଗଦୀ ବ୍ଲକ୍ର ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ବହୁତ କଷ୍ଟକର ହୋଇପଡ଼ିଛି ।
ଏହାପୂର୍ବରୁ, ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ପରିଚାଳିତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର (ଏମ୍ଏମ୍ୟୁ) ମାଧ୍ୟମରେ କଳିଙ୍ଗନଗର ଅଞ୍ଚଳର ଲୋକମାନଙ୍କୁ ଘର ନିକଟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଥିଲା । ତେବେ ଲକ୍ଡାଉନ୍ ଯୋଗୁଁ ଏହି ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବିଶେଷ ରୂପେ ନିୟମିତ ଭାବେ ଔଷଧ ସେବନ କରୁଥିବା ରୋଗୀମାନଙ୍କ ପାଇଁ ଲକ୍ଡାଉନ୍ ଅନେକ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିଲା ।
ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ଏବେ ଏହି ରୋଗୀମାନଙ୍କ ଘରେ ଔଷଧ ପହଞ୍ଚାଇବା ଦାୟିତ୍ୱ ହାତକୁ ନିଆଯାଇଛି । ଅପ୍ରେଲ ୭ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ୨୩ ଜଣ ରୋଗୀଙ୍କ ୨ ମାସର ଔଷଧ ଟିଏସ୍ଏଫ୍ର କର୍ମଚାରୀ କିମ୍ବା ଆଶା/ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ସେମାନଙ୍କ ଗ୍ରାମରେ ଯୋଗାଇ ଦିଆଯାଇଛି । ଉକ୍ତ ରୋଗୀମାନଙ୍କ ମଧ୍ୟରୁ ୧୯ ଜଣ ରୋଗୀ ଉଚ୍ଚ ରକ୍ତଚାପ, ୩ ଜଣ ଉଚ୍ଚ ରକ୍ତଚାପ ଓ ମଧୁମେହ ଓ ଜଣେ ରୋଗୀ ମଧୁମେହ ରୋଗରେ ପିଡ଼ିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଆଉ ୩୪ ଜଣ ରୋଗୀଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯାଇଛି ।
ଏହି ଟିମ୍ର ନେତୃତ୍ୱ ନେଉଥିବା ଟିଏସ୍ଏଫ୍ କଳିଙ୍ଗନଗର ଶାଖାର ମେଡ଼ିକାଲ ଅଧିକାରୀ ଡ଼ାଃ ଏସ୍ ସି ଗଡ଼ାଇ କହିଛନ୍ତି ଯେ, “ରୋଗୀମାନେ ସେମାନଙ୍କ ଔଷଧ ବନ୍ଦ କରିବା ଉଚିତ ନୁହେଁ । ଏପରି କଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସମ୍ଭାବନା ରହିଛି । ଏହାସହିତ କରୋନା ଭାଇରସ୍ ମହାମାରୀ ଭଳି ପରିସ୍ଥିତିରେ ଏଭଳି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାର ବିପଦ ମଧ୍ୟ ରହିଛି” ।
ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପିଡ଼ିତ ଥିବା ସନ୍ସାଇଲୋ ଅଞ୍ଚଳର ୫୦ ବର୍ଷୀୟ ଦିବ୍ୟାଙ୍ଗ ବ୍ୟକ୍ତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ୍ କହିଛନ୍ତି ଯେ, “ମୋ ପରିବାର ଲୋକମାନେ ମତେ ନେଇ ଅତ୍ୟନ୍ତ ଚିନ୍ତିତ ଥିଲେ ଓ ଏହି ଲକ୍ଡାଉନ୍ ଯୋଗୁଁ ଆମେ ଚିକିତ୍ସା ସୁବିଧା ପାଇଁ ବାହାରକୁ ଯାଇପାରୁନଥିଲୁ । ଏହି ପଦକ୍ଷେପ ଯୋଗୁଁ ଆମେ ବିଶେଷ ଉପକୃତ ହୋଇଛୁ” ।
ଟିଏସ୍ଏଫ୍ ବ୍ରାହ୍ମଣୀପାଳ ଶାଖା ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି । ସେମାନେ ନିକଟସ୍ଥ ୧୦ଟି ଗ୍ରାମରେ ରହୁଥିବା ୧୪ଜଣ ଏଭଳି ରୋଗୀମାନଙ୍କ ନିକଟରେ ପହଞ୍ଚôବାରେ ସଫଳ ହୋଇଛନ୍ତି । ଏହାସହିତ ସେମାନେ ୧୮ଟି ପାଶ୍ୱର୍ବର୍ତ୍ତୀ ଗ୍ରାମର ବହୁ ପୁରୁଣା ରୋଗରେ ପିଡିÿତ ଥିବା ୩୩ ଜଣ ରୋଗୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ । ଉକ୍ତ ଟିମ୍ର ନେତୃତ୍ୱ ନେଉଥିବା ଟିଏସ୍ଏଫ୍ ବ୍ରାହ୍ମଣୀପାଳ ଶାଖାର ମେଡ଼ିକାଲ ଅଧିକାରୀ ଡ଼ାଃ ଜୟନ୍ତ କୁମାର ତ୍ରୀପାଠୀ କହିଛନ୍ତି ଯେ, “ଏହାମଧ୍ୟରୁ ଅଧିକାଂଶ ରୋଗୀ ଉଚ୍ଚ ରକ୍ତଚାପ ଓ ଆଣ୍ଠୁ ଗଣ୍ଠି ବାତରେ ପିଡ଼ିତ ଥିବାବେଳେ ସେମାନଙ୍କୁ ନିୟମିତ ଭାବେ ଔଷଧର ଆବଶ୍ୟକତା ରହିଛି । ସେମାନଙ୍କୁ ଔଷଧ ପ୍ରଦାନ ବ୍ୟତୀତ ଆମେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନ୍ଲାଇନ୍ ପରାମର୍ଶ ଅଧିବେସନର ଆୟୋଜନ ମଧ୍ୟ କରାଯାଉଛି” ।
ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ଟାଟା ଷ୍ଟିଲ ଏହାର ସ୍ଥାନୀୟ ଲୋକମାନଙ୍କ ସହିତ ଦୃଢତାର ସହ ଠିଆ ହୋଇଛି ଓ ଆଗକୁ ମଧ୍ୟ ପରିସ୍ଥିତି ଅନୁସାରେ କମ୍ପାନୀ ସ୍ଥାନୀୟ ଲୋକମାନଙ୍କ ପ୍ରତି ନିଜର ସହଯୋଗ ଜାରି ରଖିବ ।