ତାଳଚେର ତା ୦୬/୦୫ ଉତପ୍ତ ସହରଭାବେ ତାଳଚେର ପରିଗଣିତ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମଋତୁରେ ପଥଚାରୀ, ଯାତ୍ରୀ ଓ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ସର୍ବସାଧାରଣଙ୍କ ନିମନ୍ତେ ତାଳଚେର ପୌରପରିଷଦ ତରଫରୁ ବିଭିନ୍ନ ସ୍ଥାନମାନଙ୍କରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ, ପରିତାପର ବିଷୟ ତାଳଚେର ବାଇପାସ୍ ଟ୍ରାଫିକ୍ ଛକ ନିକଟରେ ଥିବା ଏକ ଦୋକାନଗୃହ ସମ୍ମୁଖ ଏବଂ ଲାଗି ରହିଥିବା ଡ଼୍ରେନ ପାଖ ଅପରିଷ୍କାର ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ତାଳଚେର ବାଇପାସ୍ ଜାତୀୟ ରାଜପଥ ଦେଇ ଦୈନନ୍ଦିନ ସହସହ କୋଇଲା ବୋଝେଇ ଟ୍ରକ ସହ ଅନ୍ୟାନ୍ୟ ଯାନବାହାନ ଚଳପ୍ରଚଳ କରୁଛନ୍ତି ଏବଂ ଧୂଳିଧୂଆଁ କୋଇଲା ଗୁଣ୍ଡ ଉଡ଼ି ଜନସାଧାରଣ ଓ ପାଶ୍ୱର୍ରେ ଥିବା ଦୋକାନୀ ବ୍ୟବସାୟୀ ମାନେ ଅଣ ନିଶ୍ୱାସୀ ତ ହେଉଛନ୍ତି ତାହା ପୁଣି ପାଣିମାଠିଆ ଉପରେ କୋଇଲା ଗୁଣ୍ଡ ଓ ଧୂଳି ଉଡ଼ି ମାଠିଆର ଚର୍ତୁପାଶ୍ୱର୍ରେ ଆସ୍ତରଣ ଜମି ମାଠିଆ କଳାବର୍ଣ୍ଣ ହେଉଥିବା ଉତୋଳନ କରାଯାଇଥିବା ଫଟୋରୁ ସ୍ୱଷ୍ଟ ବାରି ହୋଇ ଯାଉଛି । ଜଳଛତ୍ର କରାଯାଇଥିବା ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରଖାଯାଉ ନଥିବା ଯୋଗୁଁ ଅଳିଆ ଆବର୍ଜନ ଏଣେତେଣେ ଗଦାହାଇ ରହିଛି । ଯଦି ସର୍ବସାଧାରଣ ଏପରି ସ୍ଥାନରୁ ପାନୀୟଜଳ ବ୍ୟବହାର କରନ୍ତି ତେବେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି ଘଟିପାରେ ବୋଲି ସେଠିକାର ବ୍ୟବସାୟୀ ଓ ଅଂଚଳବାସୀଙ୍କ ମହଲରେ ଅଭିଯୋଗ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ଜନସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଦୃଷ୍ଟି ପଡ଼ୁ ବୋଲି ଅଂଚଳବାସୀଙ୍କ ମହଲରେ ମତପ୍ରକାଶ ପାଇଛି । ତେବେ ସେହି ସ୍ଥାନରୁ ମାତ୍ର ୫୦ ମିଟର ଦୂରତାରେ ୟୁକୋବ୍ୟାଙ୍କ ନିକଟରେ ଏହା କରାଯାଇଥିଲେ ଲୋକଙ୍କ ହିତରେ ସାଧିତ ହୋଇ ପାରିବ ବୋଲି କୁହାଯାଉଛି ।