ତାଳଚେର ତା ୦୬/୦୫ ତାଳଚରେ ପୌରାଚଂଳରେ ଦିନ ନାହିଁ କି, ରାତି ନାହିଁ ସବୁସମୟରେ ଦେଶୀ ଓ ବିଦେଶୀ ମଦର ଜମୁଛି ଆସର! ବ୍ୟବସାୟୀ ମଦ ବିକ୍ରିକରି ମାଲେମାଲ ହେଉଥିବା ବେଳେ ଗରୀବ ଖଟିଖିଆ ଏହି ମଦ୍ୟପାନ କରି ହେଉଛନ୍ତି ସର୍ବସ୍ୱାନ୍ତ! ଦିନଯାକର ରୋଜଗାର ମଦଭାଟ୍ଟିରେ ମଦପିଇ ସାରିବା ପରେ ଘରକୁ ଖାଲି ହାତରେ ଟଳିଟଳି ଫେରୁଥିବା ଦେଖିବାକୁ ମିଳିଛି । ଏବଂ ଏଥିଯୋଗୁଁ ଗରୀବଙ୍କ ପରିବାର ସର୍ବସ୍ୱାନ୍ତ ହେଉଥିବା ସହ ଚୁଲି ଓ ଭାତହାଣ୍ଡିକୁ ମୁଠାଏ ଚାଉଲ ଯୋଗାଡ଼ କରିବାକୁ ତାଙ୍କ ପାଖରେ ଟଙ୍କାଟିଏ ନଥାଏ । ଏହି କାରଣ ଯୋଗୁଁ ପିଲାଛୁଆଁଙ୍କୁ ପାଠପଢ଼ାଇ ମଣିଷ କରିବା ସେମାନେ ସକ୍ଷମ ହେଉନଥିବା ମଧ୍ୟ ଏପରି କିଛି ଦୃଷ୍ଟାନ୍ତ ତାଳଚେର ପୌରାଚଂଳରେ ଦେଖିବାକୁ ମିଳିଛି । ଅଂଚଳବାସୀଙ୍କ ସୂଚନା ମୂତାବକ ତାଳଚେର ଟାଉନ ଠାରୁ ଆରମ୍ଭ କରି ପୌରପରିଷଦର ପ୍ରାୟ ୱାର୍ଡ଼ ଗୁଡ଼ିକରେ ଦେଶୀ ଓ ବିଦେଶୀ ମଦର ବ୍ୟବସାୟ ବେଶ୍ ବ୍ୟବସାୟୀଙ୍କୁ ସୁହାଉଛି, କାହିଁକି ନା ତାଳଚେର ସଦରଥାନା ଓ ଅବକାରୀ ବିଭାଗ ନିକଟରେ ଥିବା ସତ୍ୱେ ନିର୍ଭୟରେ ବ୍ୟବସାୟୀମାନେ ଦିନଦ୍ୱିପ୍ରହରେ ଖୋଲମଖୁଲାଭାବେ ବେପାର କରି ପ୍ରଶାସନକୁ ହାତମୁଠାରେ ରଖି ନିଜେ ମାଲେମାଲ ହେଉଥିବା ଅଭିଯୋଗ ହେଉଛି । ଏବଂ ଏମାନଙ୍କୁ ବ୍ୟବସାୟ କରିବାକୁ କିଏ ପ୍ରତ୍ସାହନ ଯୋଗାଇ ଦେଉଛିି ଯେ, ସେମାନେ ନିର୍ଭୟରେ ଏମିତି ଖୋଲମ ଖୁଲା ମଦ ବ୍ୟବସାୟ କରି ଚାଲିଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଥାନା ଓ ଅବକାରୀ ବିଭାଗ ଏହା କିପରି ଜାଣି ପାରୁନଥିବା ନା ଜାଣି ଅଜଣା ତାକୁ ନେଇ ଏଦିଗରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳେ । ଏହି ଦେଶୀ ମହୁଲୀମଦ ବ୍ରାହ୍ମଣୀ ନଦୀ ପାରହୋଇ ଆସୁଥିବା କିଛି କହୁଥିବା ବେଳେ ଆଉ କିଛି ସରାଙ୍ଗ ବ୍ରାହ୍ମଣୀ ବ୍ରିଜ୍ ଦେଇ ତାଳଚେରକୁ ଆସୁଥିବା କୁହନ୍ତି । ତେବେ ଏଦିଗରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କେତେ ଯେ, ପରିବାର ଅନ୍ଧାର ଭିତରକୁ ଠେଲି ହୋଇଯିବ ଏବଂ ପରିବାର ଉଜୁଡ଼ିଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।