ତାଳଚେର ତା-୧୨/୦୧ ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ହିଙ୍ଗୁଳା ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ ବିବେକାନନ୍ଦ ଲୋକ ସଂସଦ,ଅନୁଗୋଳ ଶାଖା ଓ ହିଙ୍ଗୁଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ଲୋକ ସଂସଦ,ଅନୁଗୋଳ ଶାଖାର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ବିଶ୍ୱରଞ୍ଜନ ପ୍ରଧାନ,ମୁଖ୍ୟ ବକ୍ତା ଭାବରେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥିଭାବରେ ଗବେଷକ ବିଭୂତି ଭୂଷଣ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ଏହାପରେ ଛାତ୍ରୀ ଦୀପ୍ତିମୟୀ ବିଶ୍ୱାଳ ସ୍ୱଦେଶୀ ମନ୍ତ୍ର ପାଠ କରିଥିଲେ । ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ୱ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ପ୍ରଖର ଦେଶଭକ୍ତି,ପ୍ରଗାଢ ବାଗ୍ମିତା ଓ ଉଦ୍ଦାମ ଯୁବଶକ୍ତିର ପ୍ରତୀକ ହିଁ ଥିଲେ ସ୍ୱାମୀ ବିବେକାନନ୍ଦ । ତାଙ୍କ ଓଜସ୍ୱିନୀ ବାଣୀ ଦ୍ୱାରା ସେ ସମଗ୍ର ବିଶ୍ୱକୁ ଉଦ୍ବୁଦ୍ଧ କରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ତାହାସହିତ ବିଶ୍ୱକପ୍ ହକି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଯୁବ ରେଡକ୍ରସ ଶାଖାର ସଂଯୋଜିକା ମମତା ଜେନା ଓ ରତିକାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିବେକାନନ୍ଦ ଲୋକ ସଂସଦ,ଅନୁଗୋଳ ଶାଖା ସଂପାଦକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିବେକାନନ୍ଦ ଲୋକ ସଂସଦର ସଂଚାର ଓ ସମନ୍ୱୟ ସଦସ୍ୟ ବିଭୂତି ଭୂଷଣ ସ୍ୱାଇଁ, ମହାବିଦ୍ୟାଳୟର ଅଧ୍ୟାପିକ ବୀଣାପାଣି ପ୍ରଧାନ,ସରୋଜ ପ୍ରଧାନ,ପ୍ରସନ୍ନ ବିଶ୍ୱାଳ,ଦିଲୀପ କୁମାର ପାତ୍ର,ବନିତା ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
