Odisha news

ଦୀର୍ଘ ୧୦ ବର୍ଷ ପରେ ପ୍ରଶାସନ ଦ୍ୱାରା ଜବରଦଖଲ ଉଚ୍ଛେଦ ନିଷ୍ପତିକୁ ବଡଯୋରଡ଼ା ଗ୍ରାମବାସୀଙ୍କ ସ୍ୱାଗତ,ଗ୍ରାମରେ ଖୁସିର ମାହୋଲ

0

ତାଳଚେର,୧୭/୧୨: ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମରେ ଦୀର୍ଘ ବର୍ଷ ହେବ ଗ୍ରାମର କିଛି ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସେହି ରାସ୍ତା ଉପରେ ସ୍ଥାୟୀ ଗୃହ ନିର୍ମାଣ କରିବା ସହ ପାଚେରୀ ନିର୍ମାଣ କରି ସର୍ବସାଧାରଣ ଚଳପ୍ରଚଳ କରୁଥିବା ରାସ୍ତାଟିକୁ ଅକ୍ତିଆର କରି ରଖିଥିଲେ । ଏଣୁ ଦୀର୍ଘ ବର୍ଷ ହେଲା ଏହି ରାସ୍ତା ଉପରୁ ଜବରଦଖଲ ହଟାଇ ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାର ଉପଯୋଗୀ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବୀ ହୋଇ ଆସୁଥିଲା । କିନ୍ତୁ କୌଣସି ସୁଫଳ ମିଳି ପାରୁନଥିଲା । ତେବେ ଏନେଇ କିଛି ଗ୍ରାମବାସୀ ପୁନର୍ବାର ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ଓ ତାଳଚେର ତହସିଲଦାର ଦାଶରଥି ଜେନାଙ୍କୁ ସାକ୍ଷାତ କରି ଗ୍ରାମର ଉପରୋକ୍ତ ସମସ୍ୟା ବିଷୟରେ ଜଣାଇଥିଲେ ।

ଏହାପରେ ତାଳଚେର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ତହସିଲଦାର ଶ୍ରୀ ଜେନା ତତ୍‌କ୍ଷଣାତ ଗ୍ରାମରେ ପହଁଚି ତଦନ୍ତ କରିବା ସହ ରାସ୍ତା ଜବରଦଖଲକାରୀମାନଙ୍କୁ ନୋଟିସ୍ କରି ଜୋରିମାନା ପକାଇବା ସହ ତୁରନ୍ତ ସରକାରୀ ନୀତିନିୟମ ଅନୁଯାୟୀ ଜବରଦଖଲ ଉଛେଦ ପ୍ରକ୍ରିୟାକୁ ସହଯୋଗ କରିବାକୁ ତାଗିଦ୍ କରିଥିଲେ । ତେବେ ଆଜି ତାଳଚେର ତହସିଲ ଓ ଉପଖଣ୍ଡ ପୋଲିସ ପ୍ରଶାସନର ମିଳିତ ଏକ ଟିମ୍ ବଡଯୋରଡ଼ା ଗ୍ରାମକୁ ଯାଇ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀର୍ଘ ୧୦ ବର୍ଷ ହେବ ଉକ୍ତ ରାସ୍ତାଟି ଜବରଦଖଲ ହୋଇ ରହିଥିବା ବେଳେ ଆଜି ତାହାକୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ ଠାରୁ ପ୍ରଶାସନ ଦ୍ୱାରା ଉଚ୍ଛେଦ କରାଯାଇଛି । ଏଭଳି ପଦକ୍ଷେପକୁ ଗ୍ରାମବାସୀମାନେ ସ୍ୱାଗତ କରିବାସହ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ପ୍ରକାଶ ଥାଉକି, ବଡଯୋରଡ଼ା ମୌଜାର ପାଟିଆମାଳ ଚାଷଜମିକୁ ପୂର୍ବରୁ ଥିବା ପାଣି ମାହାରା ଓ ଶଗଡ ରାସ୍ତାକୁ ଗ୍ରାମର କେତେକ ଜନସାଧାରଣ ସ୍ଥାୟୀଗୃହ ଓ ପାଚେରୀ ନିର୍ମାଣ କରି ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲେ । ପୂର୍ବରୁ ଉକ୍ତ ଚାଷଜମିକୁ ହଳ, ଶଗଡ ରାସ୍ତା, ପାଣି ମହାରା ଥିଲାବେଳେ ଗ୍ରାମବାସୀମାନେ ଚାଷକାର୍ଯ୍ୟ ନିମନ୍ତେ ଯାଆସ କରିବାକୁ ସକ୍ଷମ ହେଉଥିଲେ । ତେବେ ବାରମ୍ବାର ଦାବୀ ଅଭିଯୋଗ ପରେ ଦୀର୍ଘ ଦିନ ପରେ ପ୍ରଶାସନର ଉଚିତ ପଦକ୍ଷେପ ଓ ସମସ୍ତ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରିଥିବାରୁ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ,ତହସିଲଦାର ଦାଶରଥି ଜେନା ଓ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ଏ ନେଇ ଆଇନଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜବରଦଖଲକାରୀମାନେ ପ୍ରଶାସନକୁ ସହଯୋଗ କରୁଛନ୍ତି ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

Nalco
Leave A Reply