ତାଳଚେର ତା-୨୧/୧୧ ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସରଗି ଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରେ ଥିବା ୪୪ଟି ଆଶ୍ରମ ବିଦ୍ୟାଳୟର ୨୧୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଓ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଏବଂ ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରଗି ଫୁଲ କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ଏକକ ସଙ୍ଗୀତ, ଏକକ ଅଭିନୟ, ବିଜ୍ଞାନ ପ୍ରଦର୍ଶନୀ, ବକ୍ତୃତା, ସୃଜନାତ୍ମକ ଲିଖନ, ସୋଲୋ ଡ୍ୟାନ୍ସ, ଗ୍ରୁପ ଡ୍ୟାନ୍ସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀ, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ପାଲଲହଡ଼ା ବ୍ଲକ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାହୁ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଲଳିତ ମୋହନ ବେହେରା ପରିଚାଳନା କରିଥିବା ବେଳେ ଅନୁଗୋଳ ବ୍ଲକ ସଂପ୍ରସାରଣ ଅଧିକାରୀ ମାନସ ରଞ୍ଜନ ଭଞ୍ଜଦେଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଅଁରପାଳ ବ୍ଲକ ସଂପ୍ରସାରଣ ଅଧିକାରୀ ପରିତୋଷ ପାଣିଗ୍ରାହୀ, ଛେଣ୍ଡିପଦା ବ୍ଲକ ସଂପ୍ରସାରଣ ଅଧିକାରୀ ଶୁଭ୍ରଜିତ ରାଉତ, ପାଲଲହଡ଼ା ବ୍ଲକ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ରାଉତଙ୍କ ସମେତ ଶିକ୍ଷକ ନରୋତମ ସାମଲ,ଦିଲ୍ଲୀପ ପରିଡ଼ା,ପ୍ରବୀର କୁମାର ପ୍ରଧାନ,ଅଞ୍ଜନ କୁମାର ଶତପଥୀ,ନୀଳକଣ୍ଠ ସାହୁ,ପ୍ରମୋଦ ସାହୁ,ଲକ୍ଷ୍ମୀଧର ବେହେରା, ଘନଶ୍ୟାମ ସାହୁ, କନକ କିଷାନ, ଦେବକୀ ପାତ୍ର, ମଞ୍ଜୁ ସାହୁ,ଫୁଲବାଣୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
