ତାଳଚେର ତା ୧୫/୧୧ ତାଳଚେର ବ୍ଲକ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଘୋଷ ସଂଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ବିଭାଗ ନିରୀକ୍ଷକ ବିରଂଚି ନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ଏଗାରଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୩୧ ଜଣ ଶିଶୁ ଘୋଷବାଦକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଉପେନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ମଧ୍ୟସମ୍ଭାଗର ସଂଯୋଜକ ମଧୁସୂଦନ ବାରିକ ଓ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ଯୋଗ ଦେଇ ଶିଶୁମାନଙ୍କୁ ଘୋଷର ଆବଶ୍ୟକତା ସମ୍ବଦ୍ଧରେ ମାର୍ଗଦର୍ଶନ କରିଥିଲେ । ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅଭିମନ୍ୟୁ ବାରିକ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ସୋମବାର ଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିଶୁ ଘୋଷବାଦକମାନେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଏକ ଭବ୍ୟ ଶୋଭାଯାତ୍ରାରେ ସମଗ୍ର ଡେରା ମାର୍କେଟ ପରିକ୍ରମା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବାଦ୍ୟ ସଜ୍ଜା, ସ୍ଥିର ବାଦନ,ବ୍ୟୁହ ରଚନା ଆଦି ଘୋଷ ସମ୍ବଦ୍ଧୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ପ୍ରାନ୍ତ ଶାରୀରିକ ସଂଯୋଜକ ବଳରାମ ସାହୁ,ସହ ପ୍ରାନ୍ତ ଘୋଷ ପ୍ରମୁଖ ତଥା କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳଗୁଡିକର ମୂଲ୍ୟାଙ୍କନ କରିଥିଲେ । ସମସ୍ତ ପ୍ରତିଯୋଗିତାରେ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଥିଲା । ଉଦ୍ଯାପନୀ ସମାରୋହରେ ଅନୁଗୋଳ ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ,ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ,ଆଚାର୍ଯ୍ୟ ନିର୍ମଳ ପ୍ରଧାନ,ସୁଶୀଳ ସାହୁ,ହୃଦାନନ୍ଦ ସାହୁ,ମାଗୁ ବେହେରାଙ୍କ ସମେତ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।
