ତାଳଚେର ତା ୨୩/୦୯ ତାଳଚେର ପୌରାଚଂଳ ମୁଖ୍ୟରାସ୍ତା ଗୁଡ଼ିକ ସମେତ ଜାତୀୟ ରାଜପଥ ଓ ଗ୍ରାମାଚଂଳର ରାସ୍ତା ଗୁଡ଼ିକ ଉପରେ ଏବେ ଗୋରୁ ଗୁହାଳରେ ପରିଣତ ହୋଇଛି । ଯେଉଁଆଡ଼େ ଗଲେ ପଲପଲ ଗୋରୁ ରାସ୍ତାରେ ଶୋଇ ରହିଥିବା ଦେଖିବାକୁ ମିଳୁଛି । ଏଥିନେଇ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି । ଏହି ଗୋରୁଗାଈ ଗୁଡ଼ିକୁ ରାସ୍ତାରୁ ଘଉଡ଼ାଇବା ପାଇଁ ଏଠାରେ କେହି ହେଲେ ଆଗ୍ରହ ପ୍ରକାଶ କରିନଥାନ୍ତି । ଗାଈ ବାଛୁରୀର ମାଲିକମାନେ ସେମାନଙ୍କର ଯତ୍ନ ନନେଇ ସେମାନଙ୍କୁ ରାଜରାସ୍ତାକୁ ଛାଡ଼ି ଦେଇଥାନ୍ତି । ଯାହା ଫଳରେ ଏହି ବୁଲା ଗୋରୁଗାଈମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀମୁଣ୍ଡରେ ଚଡ଼କ ପଡ଼ିବା ସଦୃଶ୍ୟ ହୋଇପଡ଼ିଛି । ପୁନଶ୍ଚ ଏହି ନୀରିହ ଗୋରୁଗାଈ ରାସ୍ତା ଉପରେ ଗୋଠ ବାନ୍ଧୁଥିବାରୁ ଦ୍ରୁତଗାମୀ ଭାରୀଯାନବାହାନରେ ଦୁର୍ଘଟଣାର ଶୀକାର ହୋଇ କେହି ମୃତ୍ୟୁ ମୁଖରେ ପଡ଼ିବା ସହିତ ଆଉ କେହି ବିକଳାଙ୍ଗ ହୋଇପଡ଼ୁଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଅଧିକନ୍ତୁ ଏହି ବୁଲା ଗାଈଗୋରୁ ଗୁଡ଼ିକ ଦଲାଲମାନେ ଅତି ଚତୁରତାର ସହ କାବୁ କରିନେଇ ନିର୍ମମ ଭାବେ ଗାଡ଼ିମଟରରେ କଂସେଇ ଖାନାକୁ ଚାଲାଣ କରି ଲୋକଙ୍କ ହାତରେ ଧରାପଡ଼ୁଥିବା ଅନେକ ଦୃଷ୍ଟାନ୍ତମାନ ରହିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ, ପୌରପରିଷଦ, ଗ୍ରାମପଂଚାୟତ କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।
