ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ , ଆଜିର ଯୁବପିଢୀ ସ୍ୱାଧୀନତା ସଂଗ୍ରାମୀଙ୍କ , ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ : ସମୀର ମହାନ୍ତି
ଭୁବନେଶ୍ୱର, ତା.୨୩/୦୧: ଆଜି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ରସୁଲଗଡସ୍ଥିତ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସେହିପରି ଆଜି ଭାରତର ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୨ ତମ ଜନ୍ମ ଜୟନ୍ତୀ ଅବସରରେ ଭିଏସଏସ ନଗର ଠାରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତୀରେ ଶ୍ରୀ ମହାନ୍ତି ମାଲ୍ୟାର୍ପଣ କରି ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥାକୁ ସ୍ମରଣ କରିଥିଲେ ।
ବ୍ରିଟିଶ ଶାସନରେ ଭାରତ ସ୍ୱାଧୀନତା ପାଇବାରେ ଏହି ୨ ଜଣ ବୀର ମହାପୁରୁଷ ଅବଦାନ ଅବିସ୍ମରଣୀୟ । ଆଜିର ଯୁବପିଢୀ ଏହି ଦୁଇଜଣ ସ୍ୱାଧୀନତା ସଂଗ୍ରାମୀକୁ ମନେ ରଖି ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର । ସଶସ୍ତ୍ର ଆନେ୍ଦାଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ନେତାଜୀ ସୁବାଷ ବୋଷ ବିଶ୍ୱାସ କରୁଥିଲେ । ଅନ୍ୟପଟେ ବୀର ସୁରେନ୍ଦ୍ର ସାଏ ୨୦ ବର୍ଷ ଧରି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କର ଅଭୁତ ସଙ୍ଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ଇଂରେଜ ମାନଙ୍କୁ ଅନେକ ସମୟରେ ବିପଦରେ ପକାଉଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ଠାକୁର ରଂଜିତ ଦାସ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱରର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।