ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ପ୍ରତି ବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ୱ ଶାନ୍ତି ଦିବସ ଭାବେ ପାଳନ କରାଯାଏ । ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି “ସମ୍ମିଳିତ ଶାନ୍ତି ସ୍ଥାପନ କରିବା’ । ଆମେ ଆଶାକରୁ ଦୁନିଆରେ ଶାନ୍ତି ବଜାୟ ରହୁ । ମାତ୍ର ଏହି ଶାନ୍ତି କେଉଁଠୁ ଆସିବ ସେ ବିଷୟରେ କେବେ ଚିନ୍ତା କରିନାହୁଁ ।
ଆମେ ଭାବୁ ଦୁନିଆରେ ମନକୁ ମନ ଶାନ୍ତି ଆସିଯିବ । କିନ୍ତୁ ପ୍ରକୃତ କଥା ହେଉଛି ଶାନ୍ତି ଆମ ଭିତରୁ ସୃଷ୍ଟି ହୋଇ ବାହାରକୁ ଖେଳିଯିବା ଦରକାର । ଆମ ସମସ୍ତଙ୍କ ଜୀବନ ଅନେକ ପ୍ରକାରେ ଖଣ୍ଡବିଖଣ୍ଡିତ ହୋଇଛି । ଆମେ ଏମିତି ଜୀବନ କାଟୁଛେ ଯେଉଁଥିରେ ବ୍ୟକ୍ତି ଅନେକ ଭାଗରେ ବାଣ୍ଟି ହୋଇଯାଉଛି ।
ଆମ ପାଖରେ ଏକ ଭୌତିକ ଶରୀର ଅଛି, ମନ ଓ ବୁଦ୍ଧି ଅଛି, ଭାବନା ଅଛି ଏବଂ ଆମର ଏକ ଆଧ୍ୟାତ୍ମିକ ପକ୍ଷ ମଧ୍ୟ ଅଛି । ଆମର ଶାରୀରିକ ସମସ୍ୟା ହୋଇପାରେ, ଜୀବନରେ କିଛି ମାନସିକ ସମସ୍ୟା ଆସିପାରେ, ଆମେ ଭାବନାତ୍ମକ ଭାବରେ ଦୁଃଖି ହୋଇପାରୁ । ପ୍ରକୃତରେ ଆମେ କେବେ ବି ଏକ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ସଂଗଠିତ ହୋଇପାରିନୁ ।
କାରଣ ଅଧିକାଂଶ ଲୋକ ନିଜର ଆଧ୍ୟାତ୍ମିକ ପକ୍ଷ ପ୍ରତି ସଚେତନ ନୁହଁନ୍ତି । ଆମେ ଆମ ବ୍ୟକ୍ତିତ୍ୱର ସବୁ ପକ୍ଷକୁ ସଂଗଠିତ କରିବା ଉପରେ ଜୋର ନ ଦେଇ ବରଂ ଭିନ୍ନ ଭିନ୍ନ ପକ୍ଷ ଉପରେ ଜୋର ଦେଉ । ଆମେ ନିଷ୍ଠାପର କର୍ମଚାରୀ ହୋଇପାରୁ, ମହତ୍ତ୍ୱାକାଂକ୍ଷୀ ପିତା ହୋଇପାରୁ, ଯଜ୍ଞ ପାଇଁ ଚାନ୍ଦା ଦେଉଥିବା ଶ୍ରଦ୍ଧାଳୁ ହୋଇପାରୁ, ମାତ୍ର ଆଧ୍ୟାତ୍ମିକ ହୋଇପାରିନୁ । ଶାନ୍ତି ସଂପୂର୍ଣ୍ଣ ରୂପେ ମଣିଷର ଆୟତ୍ତାଧୀନ ଥିଲେ ବି ସମସ୍ତେ କିନ୍ତୁ ବାସ୍ତବରେ ଶାନ୍ତି ପାଇଁ ଯତ୍ନବାନ ହେଉନାହାଁନ୍ତି । ସଂପ୍ରତି ସମାଜର ସବୁକ୍ଷେତ୍ରରେ ଅଶାନ୍ତି ଭରି ରହିଛି ।
ବାପ ପୁଅ, ସ୍ୱାମୀ-ସ୍ତ୍ରୀ, ମାଲିକ ନୌକର, ଗୁରୁ-ଶିଷ୍ୟ, ମା-ଝିଅ ସବୁଠି ସବୁକ୍ଷେତ୍ରରେ ଶାନ୍ତି ଆଜି ଦୂରେଇ ଯାଉଛି । ପ୍ରଶ୍ନ ଉଠୁଛି ଏସବୁର ନିରାକରଣ କ’ଣ ? ମହାମନିଷୀମାନେ ଉତ୍ତରରେ କହିଛନ୍ତି ଯେଉଁମାନେ କୌଣସି ପ୍ରକାର କାମନା ବାସନା ନରଖି ନିରାଡ଼ମ୍ବର ଓ ଶୋଭନୀୟ ଜୀବନ ବିତାଇ ସର୍ବନିମ୍ନ ଗୁରୁ ପ୍ରଦତ୍ତ ଜୀବନ ନିର୍ବାହ କରୁଥିବେ ସେମାନଙ୍କ ପାଇଁ ଶାନ୍ତି ନିଶ୍ଚିତ ।
ଶାନ୍ତିର ପ୍ରାପ୍ତି ପାଇଁ କୌଣସି ବଣ ଜଙ୍ଗଲକୁ ଯାଇ ସାଧକ ହେବା ଲୋଡ଼ା ନାହିଁ କିମ୍ବା ଜଳସ୍ପର୍ଶ ନକରି କଷ୍ଟକର ସାଧନା ବି ଲୋଡ଼ା ନାହିଁ । ଏହାପାଇଁ କେବଳ ନିଃସ୍ୱାର୍ଥପର ଭାବରେ ମଣିଷ ସମାଜ ପ୍ରତି ମାନବୀୟ ମୂଲ୍ୟବୋଧ ରଖି ଯିଏ ନିଜର ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରୁଥାଏ ଶାନ୍ତି ତା ପାଖରେ ଆପେ ଆପେ ପହଞ୍ଚôଥାଏ । ଏହି ପ୍ରସଙ୍ଗରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି “ଶାନ୍ତ ଭାବ ମାନେ ସାମ୍ୟ ଅବସ୍ଥା । ପ୍ରବୃତ୍ତି ଅଭିଭୂତି ଓ ସ୍ୱାର୍ଥାନ୍ଧତାର ଆକୁଳ ବିକୁଳ ଯେତେ କମିଯାଏ ମନୁଷ୍ୟ ସେତେ ଶାନ୍ତ ହୁଏ ।
ଶାନ୍ତ ଅବସ୍ଥାରେ ସତ୍ ବା ଅସ୍ତିତ୍ୱ ପ୍ରତି ପ୍ରେମ ଜାଗେ । ମନୁଷ୍ୟ ଗୁରୁମୁଖୀ ଓ ଈଶ୍ୱରମୁଖୀ ହୁଏ । ଅନ୍ତର ଭିତରେ ସେବା ମନୋଭାବ ଜାଗି ଉଠେ । ଗୁରୁ ହେଉଛନ୍ତି ଭଗବାନଙ୍କର ସାକାର ମୂର୍ତ୍ତି ଓ ଅଖଣ୍ଡ । ଗୁରୁଙ୍କୁ ସେବା କରୁ କରୁ ମନୁଷ୍ୟ ଭିତରେ ଦାସ୍ୟ ଭାବ, ସଖ୍ୟ ଭାବ, ବାତ୍ସଲ୍ୟଭାବ, ମଧୁରଭାବ ଓ ସନ୍ନ୍ୟାସଭାବ ଜାଗ୍ରତ ହୁଏ । ମଧୁର ଭାବର ତାତ୍ପର୍ଯ୍ୟ ହେଉଛି, ନିଜର ଜୀବନ ଓ ଚରିତ୍ରକୁ ସର୍ବତୋ ଭାବରେ ଗୁରୁଙ୍କର ଉପଭୋଗ୍ୟ କରି ଉଠାଇ ନିଜେ ସୁଖୀ ହେବା । ଆଉ ଏହା ହିଁ ହେଉଛି ଶାନ୍ତ ବା ସମାହିତ ଅବସ୍ଥା ।’ ପୁର୍ନବାର ଶ୍ରୀ ଶ୍ରୀ ଠାକୁର ସତ୍ୟାନୁସରଣ ପୁସ୍ତକରେ କହିଲେ “ଗରୀୟାନ ହୁଅ କିନ୍ତୁ ଗର୍ବିତ ହୁଅନାହିଁ ।
ଯଦି ମୁଗ୍ଧ କରିବାକୁ ଚାହଁ ତେବେ ନିଜେ ସମ୍ପୂର୍ଣ୍ଣ ଭାବେ ମୁଗ୍ଧ ହୁଅ । ଯଦି ସୁନ୍ଦର ହେବାକୁ ଇଛା ଥାଏ ତେବେ କୁତ୍ସିତରେ ମଧ୍ୟ ସୁନ୍ଦର ଦେଖ । ଏକାନୁରକ୍ତି, ତୀବ୍ରତା ଓ କ୍ରମାଗତିରେ ହିଁ ଜୀବନର ସୌନ୍ଦର୍ଯ୍ୟ ଓ ସାର୍ଥକତା । ଭଲମନ୍ଦ ବିଚାର କରି ବିଧ୍ୱସ୍ତ ହେବା ଅପେକ୍ଷା ସତ୍ରେ ଗୁରୁଙ୍କ ପ୍ରତି ଆକୃଷ୍ଟ ହୁଅ, ନିର୍ବିଘ୍ନରେ ସଫଳ ହେବ ନିଶ୍ଚୟ ।
ସଦ୍ଗୁରୁଙ୍କର ଆଦେଶ ପାଳନ ପରି ଆଉ ମନ୍ତ୍ର କ’ଣ ଅଛି? ସଦ୍ଗୁରୁଙ୍କ ଶରଣାପନ୍ନ ହୁଅ, ସତ୍ନାମ ମନନ କର, ଓ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟ କହୁଛି ତୁମକୁ ଆଉ ତୁମର ଶାନ୍ତି ଓ ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ ।’
ନିଜ ବ୍ୟକ୍ତିତ୍ୱକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜର ଆଧ୍ୟାତ୍ମିକ ପକ୍ଷକୁ ମଧ୍ୟ ବିକଶିତ କରିବାକୁ ହୁଏ । କାରଣ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଉପରେ ହିଁ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନିର୍ଭର କରେ । ଆମ ଆତ୍ମା ଆମ ବ୍ୟକ୍ତିତ୍ୱର ସବୁ ଅଂଶକୁ ଯୋଡ଼ିପାରେ । ହେଲେ ଆମେ ଆମ ଆତ୍ମା ପର୍ଯ୍ୟନ୍ତ ପହଞ୍ଚôବା କିପରି ? ଏଥିପାଇଁ ଆବଶ୍ୟକ ଗୁରୁକୃପା ଓ ଧ୍ୟାନ ।
ଧ୍ୟାନ ଅଭ୍ୟାସ ଦ୍ୱାରା ଆମେ ନିଜକୁ ବାହ୍ୟ ଦୁନିଆରୁ ନିଜ ଭିତରକୁ ନେଇପାରିବା, ନିଜ ଆତ୍ମା ସହ ଜଡ଼ିତ ହୋଇପାରିବା ଓ ଏହାର ମାଧ୍ୟମ ହେଉଛନ୍ତି ଗୁରୁ । ଯେତେବେଳେ ଆମେ ଆମର ଆତ୍ମା ସହ ସଂଯୁକ୍ତ ହେଉ, ସେତେବେଳେ ଈଶ୍ୱରଙ୍କ ସହ ମଧ୍ୟ ସଂଯୁକ୍ତ ହୁଏ । ଈଶ୍ୱରଙ୍କ ପାଖରେ ସବୁକିଛି ଅଛି ଏବଂ ସବୁକିଛି ପ୍ରଭୁଙ୍କର । ଏହି ଭାବନା ଆମ ମନରେ ଶାନ୍ତି ଦିଏ । ଯେତେବେଳେ ଆମେ ନିଜ ଆତ୍ମା ସହ ସଂଯୁକ୍ତ ହେଉ ସେତେବେଳେ ପ୍ରେମ, ଶାନ୍ତି, ଆନନ୍ଦ ଓ ସନ୍ତୋଷ ନିଜ ଭିତରେ ଉପଲବ୍ଧି ହୁଏ ।
ତେଣୁ ଆମେ ସମସ୍ତେ ନିଜକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବା ଆବଶ୍ୟକ, ଏହାଦ୍ୱାରା ଆମେ ସାରା ଦୁନିଆକୁ ସମ୍ପୂର୍ଣ୍ଣ କରିପାରିବା । ସବୁଠାରୁ ବଡ଼ କଥା ଏହାଦ୍ୱାରା ଆମେ ଦୁନିଆକୁ ସୁସ୍ଥ ଓ ଶାନ୍ତିମୟ କରିପାରିବା । ସେଥିପାଇଁ ଗୁରୁଙ୍କ ପାଖରେ ପ୍ରାର୍ଥନା କରାଯାଏ “ଶାନ୍ତିଂ ସ୍ୱସ୍ତିଂ ଶୁଭଂ ଦେହି, ଦେହି କର୍ମସୁକୌଶଳଂ, ଦେହି ମେ ଜୀବନବୃଦ୍ଧି ନିୟତଂ ସ୍ମୃତି ଚିଦ୍ୟୁତେ ।’
