ବାୟୁ ପ୍ରଦୂଷଣ ଆମର ସ୍ୱାସ୍ଥ୍ୟ ଓ ପରିବେଶକୁ ନିରନ୍ତର ଭାବେ ପ୍ରଭାବିତ କରିବାରେ ଲାଗିଛି । ଏହାର କୁପ୍ରଭାବ ଏତେ ପ୍ରାଣଘାତକ ଯେ କେତେବେଳେ ସର୍ବୋକ୍ତୃଷ୍ଟ ଜୀବ ଜୀବନ ସଂକଟାପନ୍ନ ହୋଇଯିବ ତାହା କହିବା ମୁସ୍କିଲ ହୋଇପଡିଛି । ବିଗତ ୧୯୯୦ରୁ ଏଯାବତ୍ ୬୦ ପ୍ରତିଶତ ରୋଗ ଭିତରୁ ସଂକ୍ରାମକ ରୋଗ ଓ ମାତୃ ତଥା ନବଜାତ ଶିଶୁଙ୍କ କୁପୋଷଣଜନିତ ବ୍ୟାଧି ବାୟୁ ପ୍ରଦୂଷଣ କାରଣରୁ ସୃଷ୍ଟି ହେଉଥିବାବେଳେ ବର୍ତମାନ ଏହା ହୃଦରୋଗ ଓ ନିଶ୍ୱାସ-ପ୍ରଶ୍ୱାସଜନିତ ଗୁରୁତର ବ୍ୟାଧୀର କାରଣ ପାଲଟିଛି । ଖାଲି ସେତିକି ନୁହେଁ, ଆହୁରି ଅନେକ ଦୂରାରୋଗ୍ୟ ବ୍ୟାଧି ମଧ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ଉକ୍ରଟ ରୂପ ଧାରଣ କରିଛି । ଏମିତିରେ ତ ଆମ ମଥା ବାଳରୁ ଆରମ୍ଭ କରି ପାଦର ନଖ ପର୍ଯ୍ୟନ୍ତ ଶରୀରର ସବୁ ଅଙ୍ଗପ୍ରତ୍ୟଙ୍କ ଏବେ ବାୟୁ ପ୍ରଦୂଷଣ କବଳିତ ।
ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ଥିତି କ୍ରମଶଃ ସାଂଘାତିକ ରୂପ ଧାରଣ କରୁଛି । ଆମେରିକାର ଶିକାଗୋ ୟୁନିଭରସିଟି ଏନର୍ଜି ପଲିସ ଇନ୍ଷ୍ଟିଟୁ୍ୟଟର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ କାରଣରୁ ଭାରତବାସୀଙ୍କ ହାରାହାରୀ ଆୟୁ ହ୍ରାସ ପାଇବାରେ ଲାଗିଛି । ଏତ୍ଦଭିନ୍ନ, ଶିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସ ଇନ୍ଷ୍ଟିଟୁ୍ୟଟର ନିଦେ୍ର୍ଦଶକ ତଥା ଅର୍ଥଶାସ୍ତ୍ର ବିଷାରଦ ପ୍ରଫେସର ମାଇକେଲ ଗ୍ରିନ ଷ୍ଟୋନ ଓ ତାଙ୍କର ଟିମ ମନୁଷ୍ୟର ହାରାହାରୀ ଜୀବନକାଳ ଉପରେ ପଡୁଥିବା ବାୟୁର ଗୁଣାତ୍ମକ ପ୍ରଭାବକୁ ଏମ୍.କ୍ୟୁ ଏଲ୍.ଆଇ ବା ଏୟାର କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସ ( ବାୟୁ ଗୁଣବତାଭିତିକ ଜୀବନ ମାନକ ) ଦ୍ୱାରା ଆକଳନ କରିବାପରେ ଏଭଳି ନିଷ୍କର୍ଷରେ ପହଁଚିଛନ୍ତି ।
ଏମ୍.କୁ୍ୟ.ଏଲ.ଆଇ ହେଉଛି ଏକ ସୂଚକାଙ୍କ,ଯାହାର ଆଧାରରେ ମନୁଷ୍ୟର ହାରାହାରି ଜୀବନକାଳ ଉପରେ ପଡୁଥିବା ବାୟୁ ପ୍ରଦୂଷଣର ପ୍ରଭାବକୁ ଗଣନା କରାଯାଏ ।
ସଦ୍ୟତମ ଏହି ରିପୋର୍ଟ ଅନୁଯାୟୀ ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟଙ୍କ ହାରାହାରୀ ଜୀବନକାଳ ତୀବ୍ର ବେଗରେ ହ୍ରାସ ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ଏହା ୫.୨ ବର୍ଷ ଏବଂ ଜାତୀୟ ମାନକ ମୁତାବକ ୨.୩ ବର୍ଷ କମ୍ ।
ବାଂଲାଦେଶ ତଳକୁ ଭାରତ ବିଶ୍ୱର ଅନ୍ୟ ଏକ ଦେଶ ଯେଉଁଠି ଲୋକଙ୍କର ହାରାହାରୀ ଆୟୁ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏହି ଅଧ୍ୟୟନ ସୂଚେଇଛି ଯେ,ଭାରତର ମୋଟ ୧.୪ ଅରବ ଜନସଂଖ୍ୟା ମଧ୍ୟରୁ ଏକ ବଡ ଭାଗ ଏଭଳି ଭୂଭାଗରେ ବସତି ସ୍ଥାପନ କରିଛନ୍ତି ଯେଉଁଠି ପ୍ରଦୂଷଣ ତତ୍ୱ ତଥା ଅଙ୍ଗାରକ ନିର୍ଗମନର ହାରାହାରୀ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକଠାରୁ ଖୁବ ବେଶୀ ।
ଅତଏବ ୮୪ ପ୍ରତିଶତ ବ୍ୟକ୍ତି ଏଭଲି ଜାଗାରେ ବସବାସ କରନ୍ତି ଯେଉଁଠି ପ୍ରଦୂଷଣର ସ୍ତର ଭାରତ ଦ୍ୱାରା ନିର୍ଦ୍ଧାରିତ ମାନକ ଅପେକ୍ଷା ଢେର୍ ଅଧିକ । ସ୍ପଷ୍ଟତଃ ରିପୋର୍ଟ ପୁଣି ସୂଚେଇଛି ଯେ, ଭାରତର ଏକ ଚତୁର୍ଥାଂଶ ଜନସଂଖ୍ୟା ମାତ୍ରାଧିକ ପ୍ରଦୂଷିତ ବାୟୁ ସେବନ କରି ବଂଚିବାକୁ ବାଧ୍ୟ ହେଉଛନ୍ତି । ଯଦି ବାୟୁ ପ୍ରଦୂଷଣର ସ୍ତର ଏମିତି ଅବ୍ୟାହତ ରହେ ଉତର ଭାରତରେ ପାଖାପାଖି ୨୫ କୋଟି ଲୋକଙ୍କ ହାରାହାରୀ ଜୀବନକାଳରୁ ଆଠ ବର୍ଷ ହ୍ରାସ ଘଟିବାର ସମ୍ଭାବନାଲଲ ଉପୁଜିବ ।
ଏକ ନିର୍ଭରଯୋଗ୍ୟ ଅଧ୍ୟୟନ ମୁତାବକ,ଲକ୍ଷୋ୍ନ ହେଉଛି ଭାରତର ସର୍ବାଧିକ ପ୍ରଦୂଷିତ ସହର । ବିଶ୍ୱ ସ୍ୱାସ୍ଥ ସଂଗଠନର ନିର୍ଦ୍ଧାରିତ ମାନକ ତୁଳନାରେ ଏହି ସହର ୧୧.୨ ଗୁଣ ଅଧିକ ପ୍ରଦୂଷିତ ଏବଂ ମନୁଷ୍ୟର ହାରାହାରୀ ଜୀବନକାଳରୁ ୧୦.୩ ବର୍ଷ ହ୍ରାସ ଘଟିଥାଏ । ସେହିପରି ଦିଲ୍ଲୀବାସୀଙ୍କ ହାରାହାରୀ ଆୟୁ ୯.୪ ପ୍ରତିଶତ ହ୍ରାସ ପାଇଥିବା ଜଣାଯାଇଛି । ସୁତରାଂ ଉତର ଭାରତ ସମଗ୍ର ଦକ୍ଷିଣ ଏସିଆରେ ସର୍ବାଧିକ ପ୍ରଦୂଷିତ ଭୂଖଣ୍ଡ ରୂପେ ଉଭା ହୋଇଛି । ସେଠାରେ ପ୍ରଦୂଷକ ତତ୍ୱର ମାତ୍ରା ବିଗତ ୨୦ ବର୍ଷ ଭିତରେ ୪୨ ପ୍ରତିଶତ ବୃଦ୍ଧିପାଇଛି ।
ଆଉ ମନୁଷ୍ୟର ହାରାହାରୀ ଜୀବନକାଳ ଆଠ ବର୍ଷ ୍ହ୍ରାସ ପାଇଛି । ତେବେ ସେ ଯାହାହେଉ,ଅଧ୍ୟୟନରତ ବିଶିଷ୍ଟ ପରିବେଷବିତ୍ଙ୍କ କହିବାନୁସାରେ ଭାରତ ଜାତୀୟ ସ୍ୱଛତା ବାୟୁ କାର୍ଯ୍ୟକ୍ରମ ହାତକୁ ନେବାଦ୍ୱାରା ୨୦୨୪ ବର୍ଷସୁଦ୍ଧା ପ୍ରଦୂଷତ ତତ୍ୱର ମାତ୍ରା ୨୦-୩୦ ପ୍ରତିଶତ ପର୍ଯ୍ୟନ୍ତ କମାଇବା ଲାଗି ପ୍ରୟାସ ଜାରି ରଖିଛି । ମାତ୍ର ଏଥିସହିତ ସେମାନେ ପୁଣି ଚେତେଇ ଦେଇଛନ୍ତି ଯେ ଭାରତ ଯଦି ନିଜର ଇପ୍ସିତ ଲକ୍ଷ ହାସଲ କରିବାରେ ବିଫଳ ହୁଏ ଏହାକୁ ଗମ୍ଭୀର ପରିଣାମକୁ ସାମନା କରିବାକୁ ପଡିବ ।
ଅଧ୍ୟୟନ ରିପୋର୍ଟ ପରିଷ୍କାର ଭାବେ ଦର୍ଶାଇଛି ଯେ,ଯଦି ବିଶ୍ୱ ସ୍ୱାସ୍ଥ୍ୟ ମାନକ ଅନୁରୂପ ସାରା ଭାରତରେ ବାୟୁ ପ୍ରଦୂୂଷଣ ସ୍ତରରେ ହ୍ରାସ ଘଟାଇ ଦିଆଯାଏ ତେବେ ଭାରତୀୟଙ୍କ ହାରାହାରୀ ଆୟୁରେ ପାଖାପାଖି ୫.୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧିି ଘଟିବ । ଅପରପଟେ ଦିଲ୍ଲୀବାସୀଙ୍କ ଆୟୁ ୯.୪ ବର୍ଷକୁ ବୃଦ୍ଧି ଘଟିପାରେ ।
ଏହାର କିଛିଦିନ ଆଗରୁ ବୋଷ୍ଟନସ୍ଥିତ ହେଲଥ ଇଫେକ୍ଟ ଇନ୍ଷ୍ଟିଚୁ୍ୟଟ ଓ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୁ୍ୟସନ ପକ୍ଷରୁ ମନୁଷ୍ୟର ହାରାହାରୀ ଆୟୁ ଉପରେ ପଡୁଥିବା ଅନୁକୂଳ ଓ ପ୍ରତିକୂଳ ପ୍ରଭାବକୁ ନେଇ କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟ ପ୍ରକାଶିତ ହୋଇସାରିଛି । ରିପୋର୍ଟ ଦର୍ଶାଇଛି ଯେ, ଭାରତ ସମେତ ପ୍ରାୟତଃ ସବୁ ଏସୀୟ ଦେଶଗୁଡିକରେ ବାୟୁମଣ୍ଡଳରେ ଆଛାଦିତ ବିଷାକ୍ତ ଧୂଳିକଣା ,ଅଙ୍ଗାରକ ନିର୍ଗମନ ଓ ଅନ୍ୟାନ୍ୟ ବିପଜ୍ଜନକ ପ୍ରଦୂଷକ ତତ୍ୱ ନିରନ୍ତର ଭାବେ ପିଏମ ୨.୫କୁ ବୃଦ୍ଧି ପାଇବାରେ ଲାଗିଛି ।
ପରିବେଶ ବିଜ୍ଞାନୀଙ୍କ ମତ, ପିଏମ୍ ୨.୫ ସ୍ତରରେ ଥିବା ଭାରତ, ପାକିସ୍ତାନ ବାଂଲାଦେଶ ତଥା ଆଫ୍ରିକା ଦେଶଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱ୍ାରା ନିିରୂପିତ ମାନକଠାରୁ ଢେର ଅଧିକ । ଯେଉଁଥିପାଇଁ ସାରା ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟର ହାରାହାରୀ ଜୀବନକାଳରେ ଉଲ୍ଲେଖ୍ୟନୀୟ ଭାବେ ହ୍ରାସ ପରିଲକ୍ଷିତ ହେଉଛି ।
ପର୍ଯ୍ୟାବରଣ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ଓ ସେଂଟର ଫର ସାଇନସ୍ ଆଂଡ ଏନଭିରନମେଂଟ ପକ୍ଷରୁ ଗଲାବର୍ଷ କୁହାଯାଇଥିଲା ଯେ, ବାୟୁ ପ୍ରଦୂଷଣଜନିତ ପ୍ରାଣଘାତକ ବ୍ୟାଧି ହେତୁ ମନୁଷ୍ୟର ହାରାହାରୀ ଜୀବନକାଳ ୨.୬ ବର୍ଷ ହ୍ରାସ ପାଇଛି । ସି.ଏସ.ଇର ଏହି ରିପୋର୍ଟ ଅନୁଯାୟୀ ଏଭଳି ବିପଜ୍ଜନକ ସ୍ଥିତି ପାଇଁ ବାହ୍ୟ ବାତାବରଣରେ ଆଛାଦିତ ପ୍ୟାଟିକୁ୍ୟଲେଟ ମ୍ୟାଟର ବା ପି.ଏମ ୨.୫ ,ଓଜୋନ ଓ ଗୃହ ଅଭ୍ୟନ୍ତରରେ ବ୍ୟାପ୍ତ ବାୟୁ ପ୍ରଦୂଷଣ ସାମଗ୍ରିକ ଭାବେ ଦାୟୀ ବୋଲି ପ୍ରମାଣିତ ହୋଇସାରିଛି ।
ବିଶେଷତଃ ନିର୍ମାଣ କାର୍ଯ୍ୟ ଓ ଧ୍ୱନୀକରଣରୁ ସୃଷ୍ଟ ଧୂଳିବାଲି ,ଶୁଖିଲା ସିମେଂଟ ଗୁଣ୍ଡ ଓ ରାସ୍ତାଘାଟରେ ଉଡୁଥିବା ଧୂଳି ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହୋଇ ଉଭା ହୋଇଛି । ବିଶେଷକରି ,ଆମ ଦେଶର ରାଜଧାନୀ ଦିଲ୍ଲୀରେ ଚଳାଚଳ କରୁଥିବା ଯାନାବାହାନରୁ ନିର୍ଗତ ଅଙ୍ଗାରକ ଉତ୍ସର୍ଜନ ପାଖପାଖି ୪୦ ପ୍ରତିଶତ ବାୟୁ ପ୍ରଦୂଷଣ ପାଇଁ ମୁଖତଃ ଦାୟୀ ।
ସୁତରାଂ ଯାନବାହାନ ଚଳାଚଳଜନିତ ଅଙ୍ଗାରକ ଉତ୍ସର୍ଜନ ,ନାନାଦି ଖାଦ୍ୟପଦାର୍ଥ ରୋଷେଇରୁ ନିର୍ଗତ ଧୂଆଁ, ଜଙ୍ଗଲ ନିଆଁ ଓ ସର୍ବୋପରି କଳକାରଖାନାରୁ ନିର୍ଗତ ଧୂଆଁ ଇତ୍ୟାଦି ବାୟୁ ପ୍ରଦୂଷଣର ପ୍ରଧାନ ଉତ୍ସ ବୋଲି କୁହାଯାଏ । ଅତଏବ ବାୟୁମଣ୍ଡଳକୁ ଆଛାଦିତ କରି ରଖିଥିବା ଏହି ଅଙ୍ଗାର କଣିକା ଏତେ କ୍ଷୁଦ୍ରାତି କ୍ଷୁଦ୍ର ଯେ ଏହାକୁ ଖାଲି ଆଖିରେ ନିରୀକ୍ଷଣ କରିବା ଅସମ୍ଭବ ।
