ପ୍ରଫେସର ଡାକ୍ତର ମଞ୍ଜୁଶ୍ରୀ ନାୟକ : “ତୁମେ କୁହନା ତୁମେ ଭୀରୁ, କୁହନା ତୁମେ କାପୁରୁଷ, କୁହନା ତୁମେ ଦୁରାଶୟ, ପିତାଙ୍କ ଆଡ଼କୁ ନଜର କର, ଆବେଗଭରେ କୁହ- ହେ ପିତା, ମୁଁ ତୁମରି ସନ୍ତାନ, ମୋର ଆଉ ଜଡ଼ତା ନାହିଁ, ଆଉ ଦୁର୍ବଳତା ନାହିଁ, ମୁଁ ଆଉ କାପୁରୁଷ ନୁହେଁ, ମୁଁ ଆଉ ତୁମକୁ ଭୁଲି ନରକ ଆଡ଼କୁ ଦୌଡ଼ିଯିବ ନାହିଁ, ଆଉ ତୁମର ଜ୍ୟୋତି ଆଡ଼କୁ ପଛ କରି “ଅନ୍ଧକାର’ ଅନ୍ଧକାର ବୋଲି ଚିକ୍ରାର କରିବି ନାହିଁ ।’ ଏହି ଅଭୟବାଣୀ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ବାଇଶ ବର୍ଷ ବୟସରେ ଶ୍ରୀହସ୍ତ ଲିଖିତ ଅମୃତ ନିଦେ୍ର୍ଦଶ ଯାହାକି ସତ୍ୟାନୁସରଣ ପୁସ୍ତକରେ ଲିପିବଦ୍ଧ । ଏହି ଯୁଗମାନବଙ୍କର ଜନ୍ମ ଅବିଭକ୍ତ ଭାରତବର୍ଷ, ଅଧୁନା ବାଙ୍ଗଲାଦେଶର ପାବନା ଜିଲ୍ଲାର ଏକ ନଗଣ୍ୟପଲ୍ଲୀ ହିମାଇତପୁର ଗ୍ରାମରେ ଏକ ସାଧାରଣ ପରିବାରରେ ହୋଇଥିଲା ।

ତାଙ୍କର ମାତା ଥିଲେ ମନମୋହିନୀ ଦେବୀ ଓ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ । ମାତୃ ଓ ପିତୃକୁଳ ଉଭୟ କୁଳୀନ ଉଚ୍ଚ ମର୍ଯ୍ୟଦା ସମ୍ପନ୍ନ ଥିଲେ । ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତିୀ ଥିଲେ ହିମାଳୟ ପାଦ ନିବାସୀ କାନ୍ୟକୁବ୍ଜ ସାଣ୍ଡିଲ୍ୟ ଗୋତ୍ରୀୟ ବିପ୍ର ବଂଶଜ । ମାତା ମନମୋହିନୀ ଦେବୀ ବାଲ୍ୟ ବୟସରେ ସ୍ୱପ୍ନରେ ଦୀକ୍ଷା ପାଇଥିଲେ ଏବଂ ପୂଜାର୍ଚ୍ଚନାରେ ଅଧିକାଂଶ ସମୟ ଅତିବାହିତ କରୁଥିଲେ । ତି୍ରସନ୍ଧ୍ୟା ମନ୍ତ୍ର ସାଧନ ଏବଂ ଅଷ୍ଟପ୍ରହର ନାମଜପ ନେଇ ସେ ବିଭୋର ରହୁଥିଲେ । ଗୃହକାର୍ଯ୍ୟ, ରନ୍ଧନ ଓ ପରିବେଷଣ ଏବଂ ପରିଜନଙ୍କର ସେବା ପରିଚର୍ଯ୍ୟା ଆଦି ପ୍ରାତ୍ୟହିକ ପ୍ରତିଟି କର୍ମ ସହିତ ଅନବରତ ତାଙ୍କର ହରିନାମ ଚାଲିଥାଏ । ସେ ଅନ୍ତଃସତ୍ତ୍ୱା ଥିବା ସମୟରେ ଜଣେ ଦୀର୍ଘକାୟ ସୌମ୍ୟକାନ୍ତି ଜଟାଜୁଟଧାରୀ ପ୍ରବୀଣ ସନ୍ନ୍ୟାସୀ ଶିବଚନ୍ଦ୍ରଙ୍କ ଗୃହକୁ ଅତିଥି ଭାବରେ ଆସିଥିଲେ । ସେ ଗଲାବେଳେ ଆଭାସ ଦେଇଗଲେ ଯେ ଏଠାରେ ଏପରି ଜଣେ ଶକ୍ତିମାନ ପୁରୁଷ ଜନ୍ମ ନେବେ, ଯିଏ ନିଜ ଚରିତ୍ର ବଳରେ ବହୁ ଲୋକଙ୍କର ଅଧୀଶ୍ୱର ହେବେ ଓ ଜଗତର ମହାମଙ୍ଗଳ ସାଧନ କରିବେ ।

ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର ମାତୃଗର୍ଭରୁ ବାର ମାସରେ ଜନ୍ମଗ୍ରହଣ କରିଥିଲେ । ମାତା ମନମୋହିନୀ ଦେବୀଙ୍କର କୌଣସି ପ୍ରସୂତୀ ବେଦନା ହୋଇନଥିଲା । ସୁତିକା ଘରେ ଥିବା ଧାଈ, ନିଜେ ମା ଓ ଆଈ ସମେତ ସମସ୍ତେ ବାଳକ ଅନୁକୂଳଚନ୍ଦ୍ର ଜନ୍ମ ହେବା ସମୟରେ ତନ୍ଦ୍ରାଚ୍ଛନ୍ନ ହୋଇଯାଇଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ହିଁ ଅଗ୍ନିଛଟାତୁଲ୍ୟ ଏକ ଅତୁ୍ୟଜ୍ଜଳ ଆଲୋକପାତରେ ସେମାନଙ୍କର ତନ୍ଦ୍ରା କଟିଯାଇଥିଲା । ସମସ୍ତେ ସେତେବେଳେ ପୁଲକିତ ବିସ୍ମୟରେ ଦେଖିବାକୁ ପାଇଲେ ସେମାନଙ୍କର ଅଜ୍ଞାତରେ ଅପୂର୍ବ ଜ୍ୟୋତି ସମ୍ପନ୍ନ ଗୌରକାନ୍ତି ମୁଣ୍ଡିତ ମସ୍ତକ ଏକ ଶିଶୁ ଭୂମିଷ୍ଠ ହୋଇଛନ୍ତି ଏବଂ ତାଙ୍କର ଆଲୋକରେ ଗୃହଟି ଉଦ୍ଭାସିତ ହୋଇ ଉଠିଛି । ସେ ଘରେ ଜ୍ୟେଷ୍ଠ ସନ୍ତାନ ଥିଲେ । ତାଙ୍କର ଆବିର୍ଭାବ ହୋଇଥିଲା ୧୮୮୮ ମସିହା ସେପ୍ଟେମ୍ବର ୧୪ ତାରିଖ ସକାଳ ୭ଟା ୨୮ ମିନିଟରେ । ଶିଶୁ ଜନ୍ମ ହେବା ମାତ୍ରେ ସମସ୍ତଙ୍କ ଆଡ଼କୁ ବିସ୍ମୟର ସହିତ ଅନାଇଲେ ଏବଂ କାନ୍ଦିବା ପରିବର୍ତ୍ତେ ମୃଦୁ ମୃଦୁ ହସି ଚତୁର୍ଦ୍ଦିଗକୁ ନିରୀକ୍ଷଣ କରିବାକୁ ଲାଗିଲେ । ଏହି ଭାବେ ଦିନ ଗଡ଼ି ଚାଲିଲା । ନବମ ମାସରେ ଅନ୍ନପ୍ରାସନ୍ନ ସମୟରେ ମାତା ମନମୋହିନୀ ଦେବୀ ଶିଶୁଙ୍କର ନାମ ଅନୁକୂଳ ରଖିଲେ । ଶୈଶବ କାଳରେ ଅନୁକୂଳଚନ୍ଦ୍ରଙ୍କର ପ୍ରାଣଶକ୍ତିର ଅଦ୍ଭୁତ ପ୍ରକାଶ ତାଙ୍କର ପ୍ରତିଟି କାର୍ଯ୍ୟରେ ପରିଲକ୍ଷିତ ହେଉଥିଲା । ଶିଶୁଙ୍କର ବୟସ କ୍ରମଶଃ ବଢ଼ି ଚାଲିଲା ।

ତାଙ୍କର ମୁଖର ବାଣୀ ଆଶ୍ଚର୍ଯ୍ୟ ରୂପେ ସତ ହୋଇଯାଉଥିଲା । ଅନେକ ଅଲୌକିକ ଘଟଣା ଘଟି ଯାଉଥିଲା । ଥରେ ମାତା ମନମୋହିନୀ ଦେବୀ ତାଙ୍କର ମାଆ ଓ ଶିଶୁ ଅନୁକୂଳଚନ୍ଦ୍ରଙ୍କୁ ନେଇ ପଦ୍ମାନଦୀ ଅତିକ୍ରମ କରି ନୌକାରେ ହିମାୟତପୁର ଆସୁଥିଲେ । ଖରସ୍ରୋତା ପଦ୍ମାନଦୀରେ ନୌକା ଚଳାଇବା ଅତ୍ୟନ୍ତ କଠିନ ହୋଇଥାଏ । ତହିଁରେ ପୁଣି ସେ ଦିନ ଦୈବକ୍ରମେ କାଳବୈଶାଖୀର ଝଡ଼ ଉଠିଲା । ପଦ୍ମାନଦୀ ବକ୍ଷରେ ପ୍ରକୃତିର ସେ ତାଣ୍ଡବ ଲୀଳା ଅବର୍ଣ୍ଣନୀୟ । ନାଉରୀଆମାନେ ନିରୁପାୟ ହୋଇ ପ୍ରାଣଭୟରେ ପଦ୍ମାନଦୀ ଜଳକୁ ଡେଇଁ ପଡ଼ିଲେ ଜୀବନ ରକ୍ଷା ପାଇଁ ଏବଂ ଭୀଷଣ ସ୍ରୋତରେ ଭାଷିଗଲେ । ନାଉରୀ ବିହୀନ ଡଙ୍ଗାଟି କେଉଁ ମୁହୂର୍ତ୍ତରେ ଯେ ଓଲଟି ଯାଇପାରେ । ଏହି ମହାସଙ୍କଟ କାଳରେ ମାତା ମନମୋହିନୀ ଦେବୀ ଓ ଆଈ କୃଷ୍ଣସୁନ୍ଦରୀ ଦେବୀ ଭଗବାନଙ୍କ ପାଖରେ ଆକୁଳ ପ୍ରାର୍ଥନା ନିବେଦନ କଲେ ।

ଏହି ସମୟରେ ଶିଶୁ କଣ୍ଠରେ “ମା’ ଶୀଘ୍ର ଓହ୍ଲେଇପଡ଼’ – ଏହି ଅର୍ଦ୍ଧସ୍ଫୁଟ ଅସ୍ପଷ୍ଟ କଥା କେତୋଟି ଦୈବବାଣୀ ପରି ମା’ଙ୍କ କର୍ଣ୍ଣ ଗହ୍ୱରରେ ପ୍ରବେଶ କରିଲା । ଶ୍ରବଣ ମାତ୍ରେ ସେ ଯେପରି ଅକୁଳରେ କୁଳ ପାଇଲେ । ଏହି ଅବସ୍ଥାରେ କୌଣସି ଏକ ଅଜ୍ଞାତ ଐଶୀ ଶକ୍ତିର ପ୍ରେରଣାରେ ବଳୀୟାନ ହୋଇ ସେ ସେପ୍ଟେମ୍ବର ୧୪ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୩ତମ ଆର୍ବିଭାବ ଦିବସ ଉପଲକ୍ଷେ ଗୋଟେ ହାତରେ ତାଙ୍କ ମା’ଙ୍କୁ ଓ ଅନ୍ୟ ହାତରେ ଶିଶୁ ଅନୁକୂଳଙ୍କୁ କୋଳରେ ଧରି ତତ୍କ୍ଷଣାତ ଝଞ୍ଜା ବିକ୍ଷୁବ୍ଧ ନଦୀ ଗର୍ଭକୁ ଓହ୍ଲାଇ ପଡ଼ିଲେ । ଆଶ୍ଚର୍ଯ୍ୟର ବିଷୟ ଓହ୍ଲାଇବା ମାତ୍ରେ ସେମାନେ ସେଠାରେ ଭୂମିର ସ୍ପର୍ଶ ଅନୁଭବ କରିଲେ । ଏହାପରେ ଯେତେ ସେମାନେ ଅଗ୍ରସର ହେଉଥାନ୍ତି କେଉଁଠାରେ ମଧ୍ୟ ଆଣ୍ଠୁ ଉପରକୁ ପାଣି ନଥିଲା । ଚାଲି ଚାଲି ସେମାନେ ଏକ ଚରଭୂମିରେ ଆସି ପହଞ୍ଚôଲେ । ଇତିମଧ୍ୟରେ ଝଡ଼ କମିଗଲା ଓ ପ୍ରକୃତି ମଧ୍ୟ ଶାନ୍ତ ହେଲା । ସେମାନେ ତାପରେ ଅନ୍ୟ ଏକ ନୌକାରେ ଘରକୁ ଫେରିଲେ ।

ସେହିପରି ଚାରିବର୍ଷ ବୟସ ବେଳର ଅନ୍ୟ ଏକ ଘଟଣା । ଜଣେ ପଡ଼ୋଶୀ ତାଙ୍କ ଘରେ ଗୋଟେ ଖୁବ ସୁନ୍ଦର ପୁଷ୍ପ ଉଦ୍ୟାନ ଅତି ଯତ୍ନର ସହ କରିଥିଲେ । ତା ସହିତ ବେଢ଼ା ମଧ୍ୟ ବାନ୍ଧି ଦେଇଥିଲେ । କିନ୍ତୁ ଶିଶୁ ଅନୁକୂଳ କୌଣସି ପ୍ରକାରେ ଉଦ୍ୟାନରେ ପ୍ରବେଶ କରି ସବୁବେଳେ ତାଙ୍କର ସବୁ ଫୁଲଗଛ ଉପାଡ଼ି ଦିଅନ୍ତି । ଏଥିପାଇଁ ପଡ଼ୋଶୀ ହେମେନ୍ଦ୍ରବାବୁ ଖୁବ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଥରେ ଶିଶୁ ଅନୁକୂଳଚନ୍ଦ୍ର ହେମେନ୍ଦ୍ରଙ୍କୁ କହିଲେ, ଦେଖ ତୁମ ବଗିଚାର ଗଛ ମୁଁ ନଷ୍ଟ କରି ଦେଉଛି । ଜାଣିରଖ, ଯେତେଥର ତୁମେ ବଗିଚା କରିବ ମୁଁ ସବୁ ନଷ୍ଟଭ୍ରଷ୍ଟ କରିଦେବି, ଛାଡ଼ିବିନି । ତୁମର ଏଠାରେ ଦୁଇଦିନର ବଗିଚା କରି କଣ ହେବ, ଏଠି ତ ତୁମେ ରହିବନି । ଏହା କହି ବାଳକ ଅକାଶ ଆଡ଼କୁ ଆଙ୍ଗୁଳି ଦେଖାଇ ନିଦେ୍ର୍ଦଶ ପୂର୍ବକ କହିଲେ – “ତୁମ ପାଇଁ ସେଠି ସୁନ୍ଦର ବଗିଚା କରାଯାଇଛି, ସେ ବଗିଚା ଏ ବଗିଚା ଠାରୁ ଅନେକ ସୁନ୍ଦର, “ଆଶ୍ଚର୍ଯ୍ୟର କଥା, ଏହି କଥାଟି ସତ୍ୟରେ ପରିଣତ ହେଲା । ଅଳ୍ପଦିନ ପରେ ହେମେନ୍ଦ୍ର ବାବୁ କଠିନ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତୁ୍ୟବରଣ କଲେ । ଏହିପରି ଅନେକ ଆଶ୍ଚର୍ଯ୍ୟଜନକ ଅଦ୍ଭୁତ ଘଟଣା ଅନୁକୂଳଚନ୍ଦ୍ରଙ୍କର ଜୀବନରେ ଘଟି ଯାଇଥିଲା ।

ବୟସ ଗଡ଼ି ଚାଲିଲା । ବାଇଶବର୍ଷ ବୟସରେ ଜଣେ ଭକ୍ତଙ୍କର ଅନୁରୋଧରେ ଗୋଟିଏ ରାତ୍ରିରେ ନିତିଦିନର ସାହାରା ସତ୍ୟାନୁସରଣ ପୁସ୍ତକଟିକୁ ସ୍ୱହସ୍ତରେ ଲେଖିଦେଲେ । ସେଥିରେ ସେ ଲେଖିଲେ “ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ନାମ ମନନ କର ଓ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟ କରି କହୁଛି, ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ ।’ ଶାସ୍ତ୍ର କହେ “ବ୍ରହ୍ମବିତ୍ ବ୍ରହ୍ମୈବ ଭବତି’ ଅର୍ଥାତ୍ ବ୍ରହ୍ମବିତ ଯିଏ ସେ ହିଁ ବ୍ରହ୍ମଙ୍କର ସାକାର ମୂର୍ତ୍ତି, ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – “ମୋର ମନେ ହୁଏ ବ୍ରହ୍ମଜ୍ଞାନମାନେ ପ୍ରଗତିଶୀଳ ବିବର୍ତ୍ତନର ଜ୍ଞାନ ।

ଏହି ଜ୍ଞାନ ଥିଲେ ମଣିଷ ଯେ କୌଣସି ପରିସ୍ଥିତିରେ ପଡ଼ିଲେ ମଧ୍ୟ ପରିବେଶ ସହ ଉକ୍ରର୍ଷ ଆଡ଼କୁ ଆଗେଇ ଯିବାରେ ସକ୍ଷମ ହୁଏ । ବ୍ରହ୍ମଜ୍ଞାନୀ ଯିଏ ସେ ଜାଗତିକ ଓ ଆଧ୍ୟାତ୍ମିକ ଉଭୟ କ୍ଷେତ୍ରରେ ହିଁ ସମଭାବେ ଦକ୍ଷ ଓ ଉନ୍ନତିଶୀଳ ହୁଅନ୍ତି । କିନ୍ତୁ କୌଣସି ଟା ମଧ୍ୟ ତାଙ୍କୁ ବାନ୍ଧି ରଖିପାରେ ନାହିଁ । ଦୁଇଟା ଯାକରେ ସେ ନିର୍ଲିପ୍ତ । ଧ୍ୟାନ ଧାରଣାରେ ତାଙ୍କର ଯେପରି ଆନନ୍ଦ, କୋଦାଳ ଚଳାଇବାରେ ମଧ୍ୟ ସେତିକି ଆନନ୍ଦ । ବ୍ରହ୍ମ ବା ଅପରିବର୍ତ୍ତନୀୟ ସତ୍କୁ ଯିଏ ଜାଣିବାକୁ ଚାହେଁ, ତାକୁ ଜଗତ ବା ପରିବର୍ତ୍ତନୀୟ ସତକୁ ଜାଣିବାକୁ ହେବ । ଆଉ ପରିବର୍ତ୍ତନୀୟ ସତ୍କୁ ଯିଏ ଜାଣିବାକୁ ଚାହେଁ ତାକୁ ତାହା ଜାଣିବାକୁ ହେବ ଅପରିବର୍ତ୍ତନୀୟ ସତ୍ ବା ବ୍ରହ୍ମର ଆଲୋକରେ, ନ ହେଲେ ଜାଣିବାଟା ପୂର୍ଣ୍ଣ ହେବନି । ଆଉ ସେହି ଯୁଗପୁରୁଷ ହିଁ ହେଲେ ବିବର୍ତ୍ତନର ଘନୀଭୂତ ଓ ପୂର୍ଣ୍ଣତମ ରୂପ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ।

LEAVE A REPLY

Please enter your comment!
Please enter your name here