Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ଅପରାହ@ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0

 କୋଭିଡ୍‌-୧୯ ବିରୁଦ୍ଧରେ ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଥିବାବେଳେ ଏହି ସଂଗ୍ରାମରେ ଦୁଃସ୍ଥ ଓ ଅସହାୟ ଲୋକମାନଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ୧୦୦ ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏହି କାର୍ଯ୍ୟ ସଂପାଦନ କରିବେ ଏବଂ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବେ ।
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହିଥିବା ୬୫୦୦୦ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ।
 କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାର ସଂପୂର୍ଣ୍ଣ ଦକ୍ଷତାର ସହ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ବୃହତ୍‌ ଉଦ୍ୟୋଗରେ ସ୍ୱାସ୍ଥ୍ୟସେବା, ଡାକ୍ତରଖାନା ଭିତ୍ତିଭୂମି ଓ ପରିଚାଳନା, ବିଶ୍ୱସ୍ତରୀୟ ଅନୁଭବ, ଯନ୍ତ୍ରପାତି, ସଂରଜାମ ତଥା ସାମଗ୍ରୀ ସଂଗ୍ରହ ଏବଂ ସରକାରୀ, ଘରୋଇ ତଥା ଦାତବ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଦୀର୍ଘ ଅଭିଜ୍ଞତା ରହିଥିବା ଆଗ୍ରହୀ ପ୍ରବୀଣ ବିଶେଷଜ୍ଞମାନଙ୍କଠାରୁ ଓଡ଼ିଶା ସରକାର ଆବେଦନ ଆହ୍ୱାନ କରିଛନ୍ତି । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିମାନେ ଅବୈତନିକ ପରାମର୍ଶଦାତା ଭାବେ ସରକାରଙ୍କୁ ଉଚ୍ଚସ୍ତରୀୟ ପରିଚାଳନା କ୍ଷେତ୍ରରେ ସହଯୋଗ କରିବେ । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୂପ ଅନୁରୋଧ ଜଣାଇଥିଲେ । ବାହାର ରାଜ୍ୟଗୁଡ଼ିକରେ ରହିଯାଇଥିବା ଓଡ଼ିଆମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପ୍‌ଲାଇନ୍‌ ନଂ-୦୬୭୪-୨୩୯୨୧୧୫ ଓ ମୋବାଇଲ୍‌ ହ୍ୱାଟସ୍‌ଆପ୍‌ ନଂ-୯୪୩୮୯୧୫୯୮୬ କାର୍ଯ୍ୟ କରୁଛି । ଏଥିରେ ଯୋଗାଯୋଗ କରିବା ପାଇଁ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛି ।
 ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍‌ଲାଇନ୍‌ ଖୋଲାଯାଇଛି । ଏହାର ନମ୍ବର: ୧୮୦୦୩୪୫୬୭୦୩ । ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତି ମଧ୍ୟରେ ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ୯୦୦୦ ଶ୍ରମଜୀବୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି । ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତି । ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏ ପ୍ରସଙ୍ଗରେ ମଧ୍ୟ ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କୁ ଅବଗତ କରାଯାଇଛି ।
 କୋଭିଡ୍‌-୧୯ ସ୍ୱାସ୍ଥ୍ୟ ହେଲପ୍‌ଲାଇନ୍‌ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
 ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୂକ୍ତ କରାଯାଇ ସେସବୁଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜାରତି ଦୋକାନରେ ପଶୁଖାଦ୍ୟ ବିକି୍ର କରାଯାଇପାରିବ ।
 ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨୪ଟି ମାମଲା ଦାୟର କରାଯାଇଛି । ସେଥିରୁ ୩୦୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧୫ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ଗୋଟିଏ କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ନିମନ୍ତେ ଅନ୍ତର୍ଭୁକ୍ତ ।
‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୨୬ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
 ପ୍ରଥମ ଦୁଇଟି ପଜିଟିଭ୍‌ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସ୍ଥିର ଓ ଲକ୍ଷଣମୁକ୍ତ ରହିଛି । ତୃତୀୟ ବ୍ୟକ୍ତିଙ୍କର ଅବସ୍ଥାରେ ଆଜି ଉନ୍ନତି ହୋଇଛି । ସମସ୍ତେ ହସ୍‌ପିଟାଲ୍‌ର ସାଧାରଣ ଖାଦ୍ୟ ଖାଉଛନ୍ତି ।
 ପ୍ରଥମ ଦୁଇଟି କେସ୍‌ର ସଂସ୍ପର୍ଶରେ ଆସିଥିବା ୫୫ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି ।
 ତୃତୀୟ କେସ୍‌ର ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଚାଲିଛି ।
 ଆଜି ୫୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।
 ଆଜି ପର୍ଯ୍ୟନ୍ତ ମୋଟ ୭୦୮୦ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୮୬ ବିଦେଶରୁ ଓ ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ।

 

Leave A Reply