ସୋର : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ଜାମୁଝାଡି ଛକରେ ଚଢ଼ାଉ କରି ସ୍କୁଟି ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଆଇଆଇସି ଧିରେନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଜାମୁଝାଡି ଛକରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୦୧ ଆର ୭୮୩୯ ନମ୍ବର ବିଶିଷ୍ଟ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ଏକ ଅଖାରେ ୫୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ସ୍କୁଟି ସହ ମଦକୁ ଜବତ କରି ଜାମୁଝାଡି ଗ୍ରାମର ସତ୍ୟବ୍ରତ ଲେଙ୍କାକୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଥବୀର ପଟ୍ଟନାୟକ, କିଶୋର ରାଉତ,ଗୋଖେନ୍ଦ୍ର ପରିଡା, କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ, ସୁମିତ୍ରା ସାମଲ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।