Odisha news

ହାତ ଟେକି ଦେଲେ ସରକାର : ସୋରରେ କୋଭିଡ୍ ପରିଚାଳନା ବାଟବଣା

0

ସୋର : ସୋରରେ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିଚାଳିତ କରୋନା ସମୟରେ ରୋଗୀ ସେବା ଏକ ପ୍ରକାର ଠପ୍ ହୋଇଯାଇଛି । ଏଠାରେ ସ୍ୱାବ ପରୀକ୍ଷା ପରେ ୧୦ /୧୫ ଦିନ ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ଔଷଧ ଯୋଗାଇବା କି ଆଇସୋଲେସନ୍ରେ ରଖିବା ଦୂରର କଥା ସଠିକ୍ ସୂଚନା ପ୍ରଦାନ କରାଯାଉ ନଥିବାରୁ ରୋଗାମାନେ ନେଗେଟିଭ୍ ହୋଇଥିବା ଭାବି ଖୋଲାଖୋଲି ଭାବେ ବୁଲାବୁଲି କରୁଛନ୍ତି । ସେମାନେ ଅନ୍ୟ ଲୋକମାନଙ୍କ ସହିତ ମିଳାମିଶା କରୁଛନ୍ତି ।

ଫଳରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଗତ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହା ଅଧୀନରେ କରାଯାଇଥିବା ରାପିଡ଼୍ ଆଣ୍ଟିଜେନ୍ ଏବଂ ଆର୍ଟି ପିସିଆର୍ ଟେଷ୍ଟ ରିପୋର୍ଟ ମିଳିବାରେ ଘୋର ବିଭ୍ରାଟ୍ ଦେଖାଯାଇଛି । ଫଳରେ ପଜିଟିଭ୍ ହୋଇଥିବା ଲୋକମାନେ ଚିକିତ୍ସା ସେବା ପାଉ ନଥିବାର ଅଭିଯୋଗ ହେଉଛି । ବିଶେଷ କରି ସୋରର ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପୌରପରିଷଦ ଅଧିକାରୀ ଏବଂ ପରେ ବ୍ଲକ ଅଧିକାରୀ ପରିଚାଳନା କରୁଥିଲେ । ସଂପ୍ରତି ବ୍ଳକ ଅଧିକାରୀ କୋଭିଡ଼୍ ଆକା୍ରନ୍ତ ହୋଇ ହୋମ୍ ଆଇସୁଲେସନ୍ରେ ଥିବାବେଳେ ଏହି ଦାୟିତ୍ୱ ସୋର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ହାତକୁ ନେଇଛି ।

ବିଭିନ୍ନ ଦିନରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କରାଯାଉଥିବା ସ୍ୱାବ୍ ପରୀକ୍ଷାର ସଠିକ୍ ରିପୋର୍ଟ ଲୋକମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଗୋପନୀୟତା ପ୍ରକାଶ ପାଇବା ଆଳ ଦେଖାଇ ଏହି ରିପୋର୍ଟକୁ ମେଡିକାଲ୍ ତରଫରୁ ଲୁଚାଇ ରଖାଯିବା ଫଳରେ ଅସଲ ପଜିଟିଭ୍ ରୋଗୀମାନେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନା କିଛି ଜାଣିପାରୁଛନ୍ତି ନା ଚିକିତ୍ସା ହେବାପାଇଁ ତାଙ୍କୁ ସୁଯୋଗ ମିଳୁଛି । ଫଳରେ ରୋଗୀ ସାଧାରଣ ଥଣ୍ଡା ଜ୍ୱର ଭାବି ବାହାରେ ବୁଲବୁଲି ସଂକ୍ରମଣର ବାଟ ଖୋଲୁଛନ୍ତି ।

ଏଣୁତେଣୁ ଔଷଧ ଖାଇ ଶେଷରେ କେତେକ ମୃତୁ୍ୟ ମୁଖରେ ପଡ଼ୁଥିବାର ଦେଖାଯାଉଛି । ତେଣୁ ସମସ୍ତ ସ୍ୱାବ୍ ପ୍ରଦାନକାରୀମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏହି ବେପରୁଆ ମନୋଭାବ ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ସ୍ୱାବ୍ ପ୍ରଦାନକରୀଙ୍କ ମଧ୍ୟରୁ କେହି କେହି ନିଜ ତରଫରୁ ଡାକ୍ତରଖାନାକୁ ପଚାରିଲେ ବହୁ କଷ୍ଟରେ ପଜିଟିଭ୍ ହେବାର ସୂଚନା ଦିଆଯାଉଥିବା ବେଳେ ସେମାନଙ୍କ ପାଖକୁ କୌଣସି ପଜିଟିଭ୍ ମେସେଜ୍ କିମ୍ବା ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ମିଳିବାତ ଦୂରର କଥା ସରକାରୀ ଭାବେ ମାଗଣା ଔଷଧ ବି ପ୍ରଦାନ କରାଯାଉନାହିଁ ।

ସେହିପରି ସ୍ୱାବ୍ ପରୀକ୍ଷା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସୁଥିବା ମେସେଜ୍ରେ ଥିବା ଲିଙ୍କ୍ ଖୋଲୁ ନଥିବାରୁ ଲୋକମାନେ ସେମାନଙ୍କ ରୋଗ ସଂପର୍କରେ କିଛି ଅବଗତ ହୋଇ ପାରୁନଥିବା ଜଣାଯାଇଛି । ଫଳରେ ଲକ୍ଷଣ ଥାଇ ଆକା୍ରନ୍ତମାନେ ଅଧିକ ହତାଶ୍ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ଏହାର ତୁରନ୍ତ ସ୍ଥାୟୀ ସମାଧାନ ନହେଲେ ନେଡିଗୁଡ କହୁଣିକୁ ବୋହିଯିବ ବୋଲି ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ବିଶେଷ କହିଛନ୍ତି ।

Nalco
Leave A Reply