ସୁଧାଂଶୁ ଶେଖର ଦ୍ବିବେଦୀ : ସମାଜ ବ୍ୟବସ୍ଥାରେ ମଣିଷର ଦୌଡ଼ିବା ଅଭ୍ୟାସ ଅତ୍ୟନ୍ତ ଦ୍ରୁତଗାମୀ ହୋଇଯାଇଥିଲା।ତାଛଡା ସଙ୍ଘର୍ଷମୟ ଜୀବନ ଜିଇବା ପାଇଁ ପ୍ରୟାସ କରିବାରେ ସେ କେବେ ପଛଘୁଞ୍ଚା ଦେଇନାହିଁ।କିନ୍ତୁ କେବେ କେବେ ହଠାତ ବିପଦ ମାଡ଼ିଆସେ।ବିନା ସୂଚନାରେ ଆତଙ୍କିତ କରେ।ଆଜି ସେହିପରି ଏକ ମହାମାରୀ ବିଷାଣୁ ସାରା ବିଶ୍ୱକୁ ନିଜ ପ୍ରକୋପରେ କବଳିତ କରି ରଖିଛି।ସମସ୍ତଙ୍କ ସ୍ୱତନ୍ତ୍ରତାରେ ବାଧକ ସାଜିଛି।ଭାରତବାସୀଙ୍କ ସାଧାରଣ ସ୍ଵଭାଵ ଅନୁସାରେ ସକାରାତ୍ମକ ସହ ସଙ୍କଟକୁ ମୁକାବିଲା କରି ଚାଲିଛନ୍ତି।ବିଗତ ୨ମାସ ହେବ ଜୀବନ ସରଳତାର ସୀମାକୁ ପାରି ହୋଇ ସାରିଲାଣି।ଯେଉଁ ମାନେ ବହୁତ ଆଗକୁ ବଢ଼ି ଯାଇଥଲେ ସେମାନେ କ୍ରମଶଃ କିଛି ଦୂର ପଛକୁ ଫେରିବାରେ ଲାଗିଛନ୍ତି।
ସରଳ ନୁହେଁ ସରଲତାର ଜୀବନ ଜିଇବା।ସରଲତାରେ ଯେଉଁ ଭରଷା ଅଛି ତାହା ସମାଧାନରେ ନଥାଏ।ତାହା ହୋଇ ନଥିଲେ ସାରା ଦେଶ ପୂର୍ଣ୍ଣବନ୍ଦୀ ରୂପେ ଶାନ୍ତିରେ ରହିପାରି ନଥାନ୍ତା ! ତେବେ ଖୁସିର କଥା ଯେ ଲମ୍ବା ଗୃହବନ୍ଦୀ ପାଇଁ ଘରେ ରହିବା ହେତୁ ପରିବାର ପରିଜନଙ୍କ ସହ ହସ ଖୁସି ବିତାଇବାକୁ ଅବସର ମିଳିଲା।କିନ୍ତୁ ସେଇ ଅବସର ମଧ୍ୟରେ କିଛି ଲୋକଙ୍କର ଅଭିଯୋଗ ବି ସାମ୍ନାକୁ ଆସିଲା।ଏହା ସତ କେତେକ ଲୋକଙ୍କର ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯିବାପାଇଁ ପଡୁଥିଲା।ମାତ୍ର ସେହିପରି ଲୋକମାନଙ୍କର କଣ କରିହେବ ଯେଉଁମାନେ ବିନା ଉଦ୍ଦେଶ୍ୟରେ ଘରୁ ବାହାରି ପୋଲିସ ଓ ପ୍ରଶାସନ ପାଇଁ ବିପତ୍ତି ସୃଷ୍ଟି କରୁଥିଲେ?
କେବେ ମାନବ ଜାତି ଭାବି ନଥିଲା ଦିନେ ଏମିତି ସମୟ ଆସିବ ବୁଦ୍ଧିମାନ ମନୁଷ୍ୟ ନିଜ କର୍ମର ଫଳ ନିଜେ ଭୋଗିବ।ଆମେମାନେ ପ୍ରକୃତିକୁ ନିଜର ବିଳାସିତ ଜୀବନ ସକାଶେ ବହୁତ ଅତ୍ୟାଚାର କରିଛୁ।ନୂଆ ନୂଆ ପ୍ରୟୋଗ ଦ୍ୱାରା ପର୍ଯ୍ୟବରଣର ବିନାଶ ଘଟିଛି।ସେଥିରେ ପୁଣି କରୋନା ଭଳି ମହାମାରୀ ସାରା ଦୁନିଆବାସୀଙ୍କୁ ମହା ପରିବର୍ତ୍ତନ କରିଛି।ଯାହାଫଳରେ ଆଜିର ବିକଶିତ ଦେଶ ଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ବଡ଼ଲୋକି ହେବାର ଆଶା ଆକାଂକ୍ଷାରେ ଧନୀମାନେ ମଧ୍ୟ ଗରିବ ପରି ପତୀୟ ହେଉଛନ୍ତି। ଧନୀ ଗରିବ ଏବେ ସମସ୍ତେ ସମାନ୍ତରାଳ ହୋଇ ଯାଇଛନ୍ତି।
ତା ମଧ୍ୟରେ ବି ଦିନ ମଜୁରିଆ ମାନଙ୍କର ଜୀବନ ସଙ୍କଟାପନ୍ନ ହୋଇଛି।ସେମାନଙ୍କ ଦୁଃଖ ଦୈନ୍ୟର ତୁଳନା କାହା ସହିତ ସମାନ୍ତରାଳ କରିହେବନି। କେହି କେହି ଅତି ଦୀର୍ଘ ରାସ୍ତା ଅତିକ୍ରମ କରି ଘରକୁ ଫେରିବା ପାଇଁ ମନରେ ସାହାସ ବାନ୍ଧି ରାସ୍ତାକୁ ଓହ୍ଲେଇ ଆସିଛି। ଏମିତି ବିପତ୍ତି ସମୟରେ ସେମାନଙ୍କର ଦୁଃଖ କଷ୍ଟକୁ ଯାହା ଆମେମାନେ ଟିଭି ମାଧ୍ୟମରେ ଦେଖି ପାରୁଛେ,କିନ୍ତୁ ଅନୁଭବ କରି ପାରୁନାହୁଁ।ଅନୁଭବୀ ହିଁ ଜାଣେ ଅନୁଭବ ଯନ୍ତ୍ରଣାର କାହାଣୀ।ଏ କାହାଣୀ କେବଳ ଗୋଟିଏ କ୍ଷେତ୍ରରେ ନୁହେଁ ସବୁଠି ସବୁଆଡେ ବ୍ୟାପ୍ତ।
ଅପ୍ରିୟ ବାସ୍ତବିକତା ଏବଂ ଦୁଃଖଦ ଚିତ୍ରପଟ ପରିବର୍ତ୍ତେ ଯଦି ସେହିପରି ବିବଶ ସମସ୍ୟାକୁ ସମାଧାନ କରିବାର ଉପାୟ ଲାଗି ଏଇଭଳି ବଞ୍ଚିବାର ରାସ୍ତା ମିଳେ ତାହେଲେ ଜଣେ ଭଲ ନାଗରିକ ଭାବେ କର୍ତ୍ତବ୍ୟ ପାଳନ କରି ପରିବାର ପ୍ରତି ସମୟ ଦେଇ ଖୁସିକୁ ସଭିଙ୍କ ମଧ୍ୟରେ ବାଣ୍ଟିହେବ।ଜୀବନ ବାରମ୍ବାର ମଉକା ଦିଏନାହିଁ ଏହାହିଁ ଆମ ମାନଙ୍କର ଧ୍ୟେୟ ହେବା ଆବ ଶ୍ୟକ।ପତି ପତ୍ନୀ ନିଜ ନିଜର ବ୍ୟବହାରକୁ ବୁଝି ବିଚାରି ନିଜ ପିଲାଙ୍କୁ ଦେଉଥିବା ସଂସ୍କାରିତ ବିଚାରର ମୂଲ୍ୟବୋଧକୁ ମଧ୍ୟ ଆକଳନ କରିବା ଉଚିତ। ଏ ସମୟରେ ଦୁନିଆସାରା ଲୋକଙ୍କୁ କେବଳ ତିନୋଟି ଜିନିଷ ମୂଖ୍ୟ ରୂପେ ଆବଶ୍ୟକତା ଅଛି- ଖାଇବା,ରହିବା ଓ ପିନ୍ଧିବା।
ସକାରାତ୍ମକ ଦୃଷ୍ଟିରେ ଦେଖିଲେ ଆଜି ଅନେକ ପରିବାର ଏକଜୁଟ ହୋଇ ନିଜ ନିଜ ଭିତରେ ଭାବର ବିନିମୟ ପ୍ରଦାନ କରି ପାରିଛନ୍ତି।ଏସବୁ ବହୁଦିନ ଧରି ଆମ ସମାଜରେ ଅଭାବ ପରିଲକ୍ଷିତ ହେଉଥିଲା । ଧନ ସଂପତ୍ତି ରୋଜଗାର ଲୋଭରେ ଦୌଡ଼ି ଦୌଡ଼ି ହାଲିଆ ହୋଇଯାଉଥିବା ମଣିଷ ଆଜି ନିଜକୁ ଅନେକାଂଶ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛି। ସମୟ ବି ଠିକ ଏହିପରି ଚାହୁଁଥିଲା।