Odisha news

ନିଆଁ ମୁହଁରେ ଜଙ୍ଗଲ

0

ସବ୍ୟସାଚୀ ଅମିତାଭ : ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ନିଆଁ ଲାଗିବା ସପ୍ତାହରୁ ଅଧିକ ସମୟ ହୋଇଗଲାଣି। ହେଲେ ନିଆଁ ଲିଭିବାର ନାଁ ନେଉନି, ବରଂ ନିଆଁ ଦିନକୁ ଦିନ କାୟା ବଢାଉଛି। ସେପଟେ ସରକାରୀ ଟୁଇଟ୍ ଓ ଜବାବୀ ଟୁଇଟ୍ କହୁଛି ବିନା କୌଣସି କ୍ଷୟକ୍ଷତିରେ ନିଆଁକୁ ଆୟତ୍ତ କରାଯାଇସାରିଲାଣି। ମୋଟାମୋଟି କଥାଟି ହେଲା- ପ୍ରତିବର୍ଷ ଫେବୃଆରୀରୁ ଜୁନ ମାସ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ପାହାଡ଼ ଉପରେ ଓ ସମତଳ ଭୂମିରେ ଥିବା ଜଙ୍ଗଲରେ ଏଇ ମଣିଷକୃତ ନିଆଁ ବିକଟାଳ ଆଁ କରି ହଜାର ହଜାର ବୃକ୍ଷଲତା ଓ ବିରଳ ଜୀବଜନ୍ତୁଙ୍କୁ ଗ୍ରାସ କରିପକାଏ। ଓଡ଼ିଶାର ଜଙ୍ଗଲ ନିଆଁ ବିଷୟକୁ ଆଲୋଚନା କରିବାକୁ ଗଲେ ଏହାର କାରଣ ଓ ନିରାକରଣର ବାଟ ସବୁ କଣ ରହିଛି ତାକୁ ତର୍ଜମା କରାଯିବା ଦରକାର।

ଜଙ୍ଗଲ ନିଆଁ ହେଉଛି ସାଧାରଣ ଭାବେ ମନୁଷ୍ୟକୃତ। ବିଶେଷ କରି ମହୁଲ ଫୁଲ, ଶାଳମଞ୍ଜି ସଂଗ୍ରହକାରୀମାନଙ୍କ ଦ୍ୱାରା ସମ୍ପୃକ୍ତ ଗଛମୂଳରେ ଲଗାଯାଇଥାଏ ଯାହା ପରବର୍ତ୍ତୀ ସମୟରେ ଜଙ୍ଗଲ ନିଆଁରେ ପରିବର୍ତ୍ତିତ ହୋଇଥାଏ। ସେହିପରି ବିଡି ସିଗାରେଟ ନିଆଁ, ଜଙ୍ଗଲ ମଧ୍ୟରେ ରୋଷେଇ ବାସ, ଶିକାର ପାଇଁ ଲଗା ଯାଉଥିବା ନିଆଁ, ଜନସାଧାରଣଙ୍କ ଆକ୍ରୋଶ ଜନିତ ନିଆଁ ବି ଜଙ୍ଗଲ ନିଆଁର ଅନ୍ୟ ସବୁ ପ୍ରମୁଖ କାରଣ ଅଟେ। ଯେମିଚି- ଏଇ କିଛିଦିନ ତଳେ ବେତନଟୀ ରେଞ୍ଜ ରେ ଥିବା ପାଲବଣୀ ଜଙ୍ଗଲରେ ନିଆଁ ଲାଗିଥିଲା। ଛାନଭିନରୁ ଜଣାପଡିଲା, କଦଳୀ ନେଇ ଆନ୍ଧ୍ରରୁ ଆସୁ ଥିବା ଟ୍ରକ ଗୁଡିକ କଦଳୀ କାନ୍ଧି ଗୁଡିକୁ ବାରିପଦାରେ ଅନଲୋଡ କରିବା ପରେ କଦଳୀ ଓ ଫଳକୁ ପ୍ୟାକିଂ ଦିଆଯାଇଥିବା କଦଳୀ ପତ୍ର ଓ ଅନ୍ୟ ସାମଗ୍ରୀକୁ ଆଣି ସଂରକ୍ଷିତ ଜଙ୍ଗଲ କଡରେ ଅନଲୋଡ କରି ଚାଲି ଯାଉଛନ୍ତି। ଏହି ପତ୍ର ଶୁଖି ଯିବା ପରେ କେହି ନିଆଁ ଲଗାଇଦେବାରୁ ଏହା ଜଙ୍ଗଲ ମଧ୍ୟକୁ ବ୍ୟାପି ଜଙ୍ଗଲ ହୁତହୁତ ହୋଇଜଳିଥିଲା। ଫଳରେ ବହୁ ଔଷଧୀୟ ବୃକ୍ଷ, ଗୁଳ୍ମ, ଲତା, ଜୀବଜନ୍ତୁ, କୀଟପତଙ୍ଗ, ସରୀସୃପ ଏହି ନିଆଁରେ ପୋଡି ହୋଇ ନଷ୍ଟ ହେଇଥିଲେ ବା ଜୀବନ ହାରିଥିଲେ।

ଏକ ତଥ୍ୟ ଅନୁସାରେ ୨୦୧୮ ନଭେମ୍ବର ୧ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶାରେ ୫ ହଜାର ୩୩୨ଟି ଜଙ୍ଗଲ ନିଆଁ ଘଟଣା ରେକର୍ଡ କରାଯାଇଥିଲା। ପ୍ରତିବର୍ଷ ଏ ସଂଖ୍ୟା ଢେର ବଢୁଛି। କେବଳ ମୟୁରଭଂଜର ଶିମିଳିପାଳ ଜାତୀୟ ଅଭୟାରଣ୍ୟ ନୁହେଁ, ବରଂ କୋରାପୁଟ, କନ୍ଧମାଳ, ବଲାଙ୍ଗିର, ଗଜପତି, ବୌଦ୍ଧ, ସୋନପୁର ଜିଲ୍ଲାରେ ଥିବା ବିଭିନ୍ନ ଛୋଡ ବଡ଼ ଜଙ୍ଗଲ ମଧ୍ୟ ପ୍ରତିବର୍ଷ ଜଳିଥାଏ।

୨୦୧୯ରେ ବନାଗ୍ନିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ। ଏଥିସହ ଆଦିବାସୀ ଉପଯୋଜନା ଅର୍ଥରୁ ୮୩ ଲକ୍ଷ ୯୯ ହଜାର ଓ ସିଏସପିଏସରୁ ସ୍ୱତନ୍ତ୍ର ଭାବେ ୧ କୋଟି ୨୪ ଲକ୍ଷ ଏପରି ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ମଂଜୁର କରାଯାଇଥିଲା। ଏହି ବ୍ୟୟବରାଦ ପ୍ରତିବର୍ଷ ବଢୁଛି। ସେହିପରି ବନ କର୍ମଚାରୀଙ୍କୁ ଆଣ୍ଡ୍ରଏଡ଼ ଫୋନ ଦିଆଯାଇଥିଲା ଏବଂ ନିଆଁ ଲାଗିବା ଖବର ପାଇବା ମାତ୍ରେ ଫୋଟ ଅପଲୋଡ଼ କରିବାକୁ କୁହାଯାଇଥିଲା, ଏସବୁ ସତ୍ତ୍ବେ ଜଙ୍ଗଲ ନିଆଁ ବାବଦରେ ପ୍ରାଥମିକ ତଥ୍ୟ ହାସଲରେ କଣ ପାଇଁ ଡେରି ହେଉଛି ଆଉ ବେଳ ଥାଉ ଥାଉ ନିଆଁ ବାବଦରେ କଣ ପାଇଁ ସୂଚନା ମିଳିପାରୁନି ତାହା ବଡ଼ ପ୍ରଶ୍ନ। ଯାହା ପରୋକ୍ଷରେ ବନ କର୍ମଚାରୀଂକ ଦାୟିତ୍ବହୀନତା ଓ ଖାମଖିଆଲିପଣକୁ ହିଁ ବୟାନ କରୁଛି।

ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଜଙ୍ଗଲର କ୍ଷତି ହୋଇଥାଏ ବୋଲି ପ୍ରାୟ ଅଧିକାଂଶର ଧାରଣା ରହିଛି। ତେବେ ଏହା ମୋଟାମୋଟି ସଂପୂର୍ଣ୍ଣ ଠିକ୍ କଥା ନୁହେଁ। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜଙ୍ଗଲର କିଛି ଲାଭ ମଧ୍ୟ ହୋଇଥାଏ । ସାଧାରଣତଃ ଜଙ୍ଗଲରେ ଅନେକ ଅନାବଶ୍ୟକ ଲଟା, ଗୁଳ୍ମ, ଆକ୍ରାମକ ବିଦେଶୀ ଉଦ୍ଭିଦ ରହିଯାଇଥାଏ । ଯାହା ଜଙ୍ଗଲର ସଠିକ୍ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଥାନ୍ତି । ନିଆଁ ଲାଗିବା ଦ୍ୱାରା ଏହା ଜଳିଯାଇଥାନ୍ତି ଏବଂ ଜଙ୍ଗଲରେ ଥିବା କ୍ଷତିକାରୀ କୀଟ ମଧ୍ୟ ଜଳିଯାଆନ୍ତି।

ତୃଣଭୂମିଗୁଡ଼ିକରେ ନିଆଁ ଲାଗିବା ପରେ ତାହା ଅଧିକ ଘନ ଭାବେ ବଢିଥାଏ ଯାହା ତୃଣଭୋଜୀ ପ୍ରାଣୀଙ୍କୁ ଖାଦ୍ୟ ଯୋଗାଇଥାଏ । ଏହାଛଡା, ନିଆଁ ଲାଗିବା ଦ୍ୱାରା ଜଙ୍ଗଲରେ ବ୍ୟାପକମାତ୍ରାରେ ପାଉଁଶ ଜମା ହୁଏ, ଯାହା ଜଙ୍ଗଲି ମାଟିକୁ ଅଧିକ ଉର୍ବର କରିବା ସହ

ଜଙ୍ଗଲର ଅଭିବୃଦ୍ଧି ପାଇଁ ପରୋକ୍ଷରେ ସହାୟତା କରେ।,ତେବେ ଜଙ୍ଗଲ ନିଆଁରେ ହେଉଥିବା ଏଇ ଛୋଟ ଲାଭ ତୁଳନାରେ କ୍ଷତି ଅଧିକ ପରିମାଣରେ ଥାଏ। ଜଙ୍ଗଲର ଅନେକ ବୃକ୍ଷଲତା ଜଳିପୋଡ଼ି ପାଉଁଶ ହୋଇଯାଆନ୍ତି । ବହୁ ବନ୍ୟପ୍ରାଣୀ, ସରିସୃପ ଜଳି ମରିଥାନ୍ତି। ସାପ, ନେଉଳ, ଗୁଣ୍ଡୁଚି, ପକ୍ଷୀ ବସାରେ ଥିବା ଛୁଆ, ବେଲାରି ମୂଷା ଆଦି ବହୁ ସଂଖ୍ୟାରେ ମରିଥାନ୍ତି। ନିଆଁ ଲାଗିବା ଯୋଗୁଁ ଜଙ୍ଗଲରେ ଦେଖାଦେଉଥିବା ଖାଦ୍ୟଭାବ କାରଣରୁ ଆଖପାଖ ଜନବସତି ଅଂଚଳରେ ହାତୀ ତଥା ବାଘ ଆଦି ବନ୍ୟପ୍ରାଣୀଂକ ଉପଦ୍ରବ ବଢିଥାଏ।  ମାଟିକୁ ଧରି ରଖୁଥିବା ଗଛଲତା ନଷ୍ଟ ହୋଇଯିବା ଫଳରେ ମୃତ୍ତିକା କ୍ଷୟ ହୋଇଥାଏ। ସେହପରି ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବିଭିନ୍ନ ବନ୍ୟଜନ୍ତୁ ନିଜର ଜୀବନ ବଞ୍ଚାଇବା ଲାଗି ଅନ୍ୟ ଜଙ୍ଗଲକୁ ଅବା ଆଖପାଖରେ ଥିବା ଜନବସତି ଅଞ୍ଚଳକୁ ଚାଲି ଆସିଥାନ୍ତି । ନିଆଁ ଲାଗିବା କାରଣରୁ ଜଙ୍ଗଲରୁ ଖାଦ୍ୟସ୍ରୋତ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ। ପରବର୍ତ୍ତୀ ସମୟରେ ମନୁଷ୍ୟ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଗଲେ ତାହା ସଂଘର୍ଷ ଆଡ଼କୁ ମୁହାଁଇଥାଏ, ଆଉ ଉଭୟ ମନୁଷ୍ୟ-ବନ୍ୟପ୍ରାଣୀ ମୃତାହତ ହେବା ସହିତ ଫସଲଗୁଡ଼ିକର ମଧ୍ୟ ଯଥେଷ୍ଟ କ୍ଷୟକ୍ଷତି ହୋଇଥାଏ। ଜଙ୍ଗଲ ନିଆଁ କେବଳ ହଜାର ହଜାର କୋଟି ଟଙ୍କାର ଜଙ୍ଗଲ ସଂପଦ ନଷ୍ଟ କରିନଥାଏ କିମ୍ବା ବନ୍ୟପ୍ରାଣୀଙ୍କ ଜୀବନକୁ ବିପନ୍ନ କରିନଥାଏ, ଏହାସହ ଏହା ବିପୁଳ ମାତ୍ରାର ଅଙ୍ଗାରକାମ୍ଳ ବାଷ୍ପ ସୃଷ୍ଟି କରିଥାଏ, ଯାହା ବାୟୁମଣ୍ଡଳ ପ୍ରଦୂଷଣର ଏକ ମୁଖ୍ୟ କାରଣ। ବିଶ୍ୱ ଉତ୍ତାପନ ବୃଦ୍ଧିରେ ଏହା ସହାୟକ ହୋଇଥାଏ।

ଜଙ୍ଗଲରେ ଲାଗୁଥିବା ନିଆଁର ନିରାକରଣ ପାଇଁ କିଛି ଫଳପ୍ରଦ ଉପାୟ ମଧ୍ୟ ରହିଛି। ଯେମିତି ରିଙ୍ଗ୍ ମେଥଡ୍ ଓ ଷ୍ଟ୍ରିପ୍ ମେଥଡ୍। ରିଙ୍ଗ ମେଥଡରେ ବନ କର୍ମଚାରୀମାନେ ପ୍ରତି ଗଛ ମୂଳରେ ଏକ ରିଙ୍ଗ କରି ଶୁଖିଲା ପତ୍ର ସବୁ ନିଆଁ ଲଗାଇଦେଇଥାନ୍ତି। ଫଳରେ ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଇବାର ଆବଶ୍ୟକତା ପଡିବନି। ସେହିପରି ଷ୍ଟ୍ରିପ ମେଥଡ଼ରେ ଲମ୍ବା ଷ୍ଟ୍ରିପ କରି ଶୁଖିଲା ପତ୍ର ସବୁ ବାହାର କରିବା ସହ ସଂପୃକ୍ତ ଅଞ୍ଚଳକୁ ଶୁଖିଲା ପତ୍ରବିହୀନ କରିବାକୁ ପଡେ, ଯାହା ଫଳରେ ନିଆଁ ଲାଗିବା ସ୍ଥିତିରେ ବି ଗଛ ନିକଟକୁ ନିଆଁ ପହଞ୍ଚି ପାରିବନି ଆଉ ଗଛ ସୁରକ୍ଷିତ ରହିବ। ତେବେ କେତେକ କ୍ଷେତ୍ରରେ ବନକର୍ମଚାରୀ ଏଥିରେ ଆଗ୍ରହ ଦେଖାଉ ନାହାଁନ୍ତି ଫଳରେ ପଦ୍ଧତିଗୁଡିକ ପୋଥି ବାଇଗଣ ପରି ରହିଯାଉଛି। ସେହିପରି ବନ ସଂରକ୍ଷଣ କମିଟିମାନ ଗଠନ କରି ଲୋକଙ୍କୁ ଜଙ୍ଗଲ ସୁରକ୍ଷା କରିବା, ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା, ବନ୍ୟଜନ୍ତୁ ସୁରକ୍ଷା କରିବା ସଂପର୍କରେ ଜନସଚେତନ କରିବା ଆବଶ୍ୟକ, ଏହାକେତେଦୂର କରାଯାଉଛି ତାହା ଆଲୋଚନାର ବିଷୟବସ୍ତୁ।

ଜଙ୍ଗଲ ନିଆଁ ଲାଗିଲେ ତୁରନ୍ତ ଲିଭାଇବା ପାଇଁ ପ୍ରତି ରେଂଜ୍ ଅଞ୍ଚଳରେ ଆବଶ୍ୟକ ପରିମାଣରେ କର୍ମଚାରୀ ଦିନରାତି ସଜାଗ ରହିବା ଦରକାର, ହେଲେ ଏହା ପାଳନ ହେଉନି। ସେପଟେ ନିଆଁର ମୁକାବିଲା ପାଇଁ ଆମର ଭିତ୍ତିଭୂମିଗତ ଅଭାବ ବି ଏକ ବଡ଼ କାରଣ ରହିଆସିଛି। ସାଧାରଣ ଭାବେ ସାଟେଲାଇଟରେ ବନାଗ୍ନି ଓ କେଉଁ ଅଂଚଳରେ ଲାଗିଛି ସୂଚନା ଆସିବା ପରେ ବନ କର୍ମଚାରୀ ସେଠାରେ ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କାର ବନଜ ସମ୍ବଳ ପୋଡ଼ି ଯାଉଥିବା ବେଳେ ତୃଣମୂଳ ସ୍ତରରେ ନିଆଁ ସହ ସଂଘର୍ଷ କରିବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଦକ୍ଷ କର୍ମଚାରୀ ନା ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି। ପାରମ୍ପରିକ ଉପାୟରେ ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ଜଙ୍ଗଲ ନିଆଁ ସହ ଲଢୁଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଦିଗରେ ବନ କର୍ମଚାରୀଙ୍କୁ ବିଶେଷ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ସୁରକ୍ଷାରେ କାମ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଦେଇ ଜଙ୍ଗଲ ନିଆଁ ଆୟତ୍ତ କରିବା ସକାଶେ ସରକାର ନିୟୋଜିତ କରିବା ଦରକାର।

ଆମ ରାଜ୍ୟର ଜଙ୍ଗଲ ସଂପଦକୁ ବନାଗ୍ନି ବିପର୍ଯ୍ୟୟରୁ ବଂଚାଇବାକୁ ହେବ। ବେଳ ଥାଉଥାଉ ସରକାର ଏନେଇ ଉଦ୍ୟମ ଆରମ୍ଭ କରିବା ଦରକାର। ପରିବେଶବିତ୍‌ମାନଂକ ମତରେ, ଏକ ଟୋଲ୍‌ ଫ୍ରି ନମ୍ବର ଜରିଆରେ ବଣ ନିଆଁର ଖବର ଦେବାର ବ୍ୟବସ୍ଥା କରାଗଲେ ବନ ବିଭାଗ ପାଖକୁ ଶୀଘ୍ର ପହଞ୍ଚି ପାରନ୍ତା, ଯାହା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସହାୟକ ହୁଅନ୍ତା। ଜଙ୍ଗଲ ନିଆଁ ପରିଚାଳନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଯାଇ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଯାଇଛି। ଉପଗ୍ରହ ଭିତ୍ତିକ ରିମୋଟ ସେନ୍ସିଂ ଡ଼ାଟା, କ୍ଷେତ୍ରରୁ ମିଳିଥିବା ରିପୋର୍ଟ ଡ଼ାଟାକୁ ନେଇ ଏକ ଜଙ୍ଗଲ ନିଆଁ ସୂଚନା ଡ଼ାଟାବେସ୍‌ ଗଠନ କରାଯିବା ଦରକାର। ଯାହା ଦୀର୍ଘକାଳୀନ ଭିତ୍ତିରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।

Leave A Reply

Your email address will not be published.

0Shares
0