ଡାକ୍ତର ଦିଲ୍ଲୀପ କୁମାର ମହାରଣା : ବିଶ୍ୱ ଜଳ ଦିବସ ଅବ୍ୟବହିତ ପୂର୍ବରୁ ଜଳସଙ୍କଟର ସମାଧାନ ଦାବି କରି ଢ଼େଙ୍କାନାଳ ଠାରେ ସ୍ଥାନୀୟ ସହରାଞ୍ଚଳ ଜଳଯୋଗାଣ ସଂସ୍ଥାର ଦୁଇ ଯନ୍ତ୍ରୀଙ୍କୁ ଜନସାଧାରଣ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଦେବା ଭଳି ଖବର ଯେମିତି ଆଶ୍ୱସ୍ତ କରିଛି, ସେତିକି ଆଗାମୀ ଦିନରେ ଜଳ ପାଇଁ ହେବାକୁ ଥିବା ଲଢ଼େଇ ପ୍ରତି ବି ଇସାରା ଦେଇଛି । ଏଥିରେ ତିଳେମାତ୍ରେ ସନେ୍ଦହ ନାହିଁ ଯେ ଜଳଯୋଗାଣ କ୍ଷେତ୍ରରେ ସରକାରଙ୍କ ଯେଉଁ ବିଭାଗଟି ରହିଛି, ତାର ସ୍ଥାଣୁତା ପାଇଁ କେବଳ ସେହି ଅଞ୍ଚଳ ନୁହେଁ, ସମଗ୍ର ରାଜ୍ୟରେ ଏଭଳି ସମସ୍ୟା ହେଉଛି । ନିକଟରେ ମହାରାଷ୍ଟ୍ରର ଲାଟୁରରେ ସାର୍ବଜନୀନ ଜଳଉତ୍ସଗୁଡ଼ିକରେ ପ୍ରଶାସନକୁ ୧୪୪ ଧାରା ଜାରି କରିବାକୁ ପଡ଼ିଛି କେବଳ ଏଇଥିପାଇଁ ଯେ ଲୋକେ ପାଣି ନେବା ପାଇଁ ପରସ୍ପର ଭିତରେ ଲଢ଼େଇ କରିବାକୁ ମଧ୍ୟ କୁଣ୍ଠିତ ହେଉନଥିଲେ ଏବଂ ସେମାନଙ୍କୁ ପୁଲିସ ନିୟନ୍ତ୍ରଣ କରିପାରିନଥିଲା । ଜଳକ୍ଲିଷ୍ଟ ଲୋକେ ଜଳଯୋଗାଣ ବ୍ୟାଙ୍କରକୁ ଲୁଟ୍ କରିନେଇଥିଲେ ।
ସେଠାକାର କେତେକ ଶିକ୍ଷାନୁଷ୍ଠାନକୁ ମଧ୍ୟ ପ୍ରଶାସନ ପକ୍ଷରୁ ଏଥିପାଇଁ ବନ୍ଦ କରିଦିଆଯାଇଛି ଯେ ସେଠାରେ ବାହାରୁ ଆସି ପଢ଼ୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଅଞ୍ଚଳକୁ ଚାଲିଗଲେ ଜଳ ଚାହିଦା ହ୍ରାସ ପାଇବ ଓ ଚାପ କମିବ । ଏଥିରୁ ଜଳ ସଙ୍କଟର ଭୟାବହତା ସହଜରେ ଅନୁମାନ କରାଯାଇପାରେ । ମହାରାଷ୍ଟ୍ରର ଏହି ଅଞ୍ଚଳ ଦୀର୍ଘ ବର୍ଷ ଧରି ମରୁଡ଼ିପୀଡ଼ିତ ଓ ସରକାରୀ ଉଦାସୀନତା ହେତୁ ସେଠାରେ ପାଣିକୁ ନେଇ ବେପାର ଚାଲିଛି । ବେଶି ଜଳ ବ୍ୟବହାର ହେଉଥିବା ଆଖୁଚାଷକୁ ବ୍ୟବସାୟିକ ଭାବେ କରାଯାଉଥିବାରୁ ପ୍ରଚୁର ପାଣି ସେଥିରେ ବ୍ୟବହାର କରାଯାଉଛି । ଯନ୍ତ୍ର ସାହାଯ୍ୟରେ ପାଣି ଉଠାଯାଉଥିବା ଭୂତଳଜଳସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିସାରିଛି ।
ଆଜି ନ ହେଲେ ବି ଆଗାମୀ ଦିନମାନଙ୍କରେ ମହାରାଷ୍ଟ୍ରର ଲାଟୁର ଅଞ୍ଚଳର ଦୁଃସ୍ଥିତି ସାରା ଭାରତରେ ଦେଖାଯିବ, ଏହା ନିଶ୍ଚିତ । ଓଡ଼ିଶା ସମେତ ରାଜସ୍ଥାନ, ଆସାମ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ହରିୟାଣା ଭଳି ରାଜ୍ୟଗୁଡ଼ିକରେ ବୃଷ୍ଟିପାତ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାରୁ ସେହି ଅଞ୍ଚଳରେ ଜଳ ସଙ୍କଟ ଦେଖାଦେବା ସ୍ୱାଭାବିକ । ଆମ ଦେଶରେ ପ୍ରତିବର୍ଷ ହାରାହାରି ୧୧୭୦ ମିଲିଲିଟର ବର୍ଷା ହୋଇଥାଏ । ବର୍ଷ ଓ ବରଫ ତରଳିବା କାରଣରୁ ବର୍ଷରେ ପ୍ରାୟ ୪୦୦୦ ଘନ କିଲୋମିଟର ପାଣି ଆମକୁ ମିଳେ, ଯେଉଁଥିରୁ ୮୦ ଶତାଂଶ ପାଣି ବୋହିଯାଇ ନଷ୍ଟ ହୁଏ ଓ ବ୍ୟକ୍ତିପିଛା ପ୍ରାୟ ୧୮୨୦ ଘନମିଟର ପାଣି ମିଳୁଥିବା ଆକଳନ କରାଯାଇଛି । ତେବେ ଏହା ମଧ୍ୟ ସମସ୍ତଙ୍କୁ ଉପଲବ୍ଧ ହୋଇନଥାଏ । ସରକାରଙ୍କ ଜଳନୀତିର ଏକ ରିପୋର୍ଟ ଅନୁସାରେ ଦେଶର ବ୍ୟକ୍ତିପିଛା ଜଳ ଉପଲବ୍ଧତା ୧୯୪୭ରେ ୬୦୪୨ ଘନମିଟର ଥିବାବେଳେ ୨୦୧୧ ମସିହାବେଳକୁ ୧୫୪୫ ଘନମିଟରରେ ପହଞ୍ଚôଛି, ଅର୍ଥାତ୍ ୭୪ ଶତାଂଶ ହ୍ରାସ ପାଇଛି । ବର୍ଷାଜଳ ନଷ୍ଟ ହେବା ଓ ଉପଲବ୍ଧ ପାଣିର ଦୁରୁପଯୋଗ ଜଳ ସଙ୍କଟର ପ୍ରମୁଖ କାରଣ । ଭୂଜଳର ଆଖିବୁଜା ଦୋହନ ଫଳରେ ଏବେ ତାର ସ୍ତର ନିମ୍ନମୁଖୀ ।
ଏହି ସମସ୍ୟା ଏବେ ଅଳ୍ପବହୁତେ ସବୁ ରାଜ୍ୟର । ତେଣୁ ସରକାର ଏଥିପ୍ରତି ଏବେଠାରୁ ଆବଶ୍ୟକ ପଦକ୍ଷେପ ନନେଲେ ଏବଂ ଜନସାଧାରଣ ସଚେତନ ନ ହେଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ, ତାହା ନିଃସନେ୍ଦହ । କେନ୍ଦ୍ରୀୟ ଜଳ ଆୟୋଗ ଦେଶର ୮୫ଟି ପ୍ରମୁଖ ଜଳାଶୟର ରକ୍ଷଣାବେକ୍ଷଣ ଅନୁଧ୍ୟାନ କରିଥାଏ । ନିକ୍ଟରେ ପ୍ରକାଶିତ ଏହାର ମୁଖ୍ୟ ପରାମର୍ଶଦାତା କମ୍ପାନୀ ଇ.ଏ.ର ଏକ ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ଭାରତ ୨୦୨୫ ମସିହା ସୁଦ୍ଧା ଜଳସଙ୍କଟଗ୍ରସ୍ତ ଦେଶ ପାଲଟିବ । ଏଥିରେ କୁହାଯାଇଛି ଯେ ପରିବାରର ଆୟବୃଦ୍ଧି ଓ ସେବା ଏବଂ ଉଦ୍ୟୋଗ କ୍ଷେତ୍ର ବଢ଼ିବା ଦ୍ୱାରା ଘରୋଇ ଓ ଔଦ୍ୟୋଗିକ କ୍ଷେତ୍ରରେ ପାଣିର ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି ।
ଭୂଜଳ ଦୋହନର ପରିମାଣ ଏହି କାରଣରୁ ବୃଦ୍ଧି ପାଉଛି । ଏ ସମ୍ପର୍କରେ ଦେଶର ପରିବେଶବିତ୍ମାନେ ବାରମ୍ବାର ଚେତାବନୀ ଦେଉଥିଲେ ସୁଦ୍ଧା ସରକାର ସେଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବା ପରିତାପର ବିଷୟ । ଜଳ ସଙ୍କଟର ସମାଧାନ ପାଇଁ ଜଳସଂରକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଭଳି ବ୍ୟବସ୍ଥା ଆମ ଦେଶରେ ପରମ୍ପରାଭାବେ ବହୁ ଆଗରୁ ରହିଥିଲା, ଯାହା ଆମେ ସେସବୁର ଧ୍ୱଂସାବଶେଷରୁ ଜାଣିବାକୁ ପାଉ । ଆଧୁନିକ ସମାଜ ଏହାକୁ ଗୁରୁତ୍ୱ ଦେଉନଥିବାରୁ ଏବଂ ଜଳର ପ୍ରକୃତ ମୂଲ୍ୟ ବୁଝିପାରୁନଥିବାରୁ ସମସ୍ୟା କାଳକ୍ରମେ ଗୁରୁତର ରୂପ ନେଉଛି । ଦୈନନ୍ଦିନ ଜୀବନରେ ମଧ୍ୟ ଆମେ ଜଳର ଦୁରୁପଯୋଗକୁ ରୋକିପାରିଲେ ଏବଂ ସେଥିପ୍ରତି ସଜାଗ ହୋଇପାରିଲେ ଜଳସଙ୍କଟ ଦେଖାଦିଅନ୍ତା ନାହିଁ । ଜନସଚେତନତା ସହ ସରକାରୀ ସ୍ତରରେ ଶକ୍ତିଶାଳୀ ଜଳ ପରିଚାଳନା ବ୍ୟବସ୍ଥା ତିଆରି କରିବା ବର୍ତ୍ତମାନ ସମୟର ଆବଶ୍ୟକତା । ଜଳ ପାଇଁ ଯୁଦ୍ଧ ହେବା ପୂର୍ବରୁ ଜଳର ଉପଲବ୍ଧତା ଯେ ପ୍ରକୃତରେ ସୀମିତ, ଆମେ ସମସ୍ତେ ସେକଥା ବୁଝିବା ଜରୁରୀ ।