ବିଶ୍ୱ ବଜାରରେ ଦୁର୍ବଳତା ଯୋଗୁଁ ବୁଧବାର ଭାରତୀୟ ଷ୍ଟକବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବିଏସଇ ସେନସେକ୍ସ ପ୍ରାୟ ୧୬୨୮ ପଏଣ୍ଟ ହ୍ରାସ ସହ ୭୧୫୦୦.୭୬ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଏନଏସଇ ନିଫଟି ୪୬୦ ପଏଣ୍ଟ ହ୍ରାସ ପାଇ ୨୧,୫୭୨ ପଏଣ୍ଟରେ ବନ୍ଦ ହୋଇଛି ।
ଆଜି କାରବାର ଆରମ୍ଭରେ ସେନସେକ୍ସ ଓ ନିଫଟିରେ ହ୍ରାସ ଦେଖାଦେଇଥିଲା । ଆରମ୍ଭରୁ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇ ୭୨୦୦୦ ତଳକୁ ଖସିଯାଇଥିବାବେଳେ ସେହିପରି ନିଫ୍ଟି ୨୧,୬୫୦ ତଳକୁ ଖୋଲିଥିଲା। ଏହାପରେ ସାରାଦିନ ଷ୍ଟକ ବଜାରରେ ବ୍ୟାପକ ଅସ୍ଥିରତା ଦେଖିବାକୁ ମିଳିଥିଲା ।
କେବଳ ଆଇଟି ଷ୍ଟକକୁ ଛାଡ଼ି ଅନ୍ୟ ଷ୍ଟକଗୁଡ଼ିକରେ ହ୍ରାସ ପରଲକ୍ଷିତ ହୋଇଥିଲା । ଅଟୋ, ମେଟାଲ, ଅଏଲ ଏଣ୍ଡ ଗ୍ୟାସ, ରିଅଲିଟି ଷ୍ଟକଗୁଡ଼ିକରେ ହ୍ରାସ ଦେଖାଦେଇଛି । ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ ଆଦି ଷ୍ଟକ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।
ଆଜିର ଏହି ହ୍ରାସ ଫଳରେ ନିବେଶକମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଗତ ଅଧିବେଶନରେ ୩୭୪.୯୫ ଲକ୍ଷ କୋଟି ଟଙ୍କା ଥିବା ବିଏସଇର ବଜାର ପୁଞ୍ଜି ଜାନୁଆରୀ ୧୭ରେ ୩୭୦.୩୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ଏହା ଫଳରେ ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୪.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।