ଭୁବନେଶ୍ୱର ,୧୮ ସେପ୍ଟେମ୍ବର – ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୁଣି ସକ୍ରିୟ ହୋଇଛି ସିବିଆଇ । ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇ ଶୁକ୍ରବାର ଦିନ ୮ଟି ସ୍ଥାନରେ ଚଢ଼ାଉ କରିଛି । ଶୁକ୍ରବାର ସକାଳେ ସିବିଆଇ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିଲା । ପରେ ତତ୍କାଳୀନ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରବି ନନ୍ଦଙ୍କ ଘରେ ଏବଂ ସିସୋର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଘର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ସ୍ୱାଗତିକା ଇନଫ୍ରା ଲିଃ ପରଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ଓ ଏଭେନ୍ୟୁ ଆସୋସିଏଟ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ୍ ହୋଇଛି । ଉଲ୍ଲେଖ୍ୟଯୋଗ୍ୟ କଟକ ମହାନଦୀ ଏବଂ ଅଟ୍ରିରେ ସି-ସୋରକୁ ବୋଟିଂ ପାର୍କ ଠିକା ଦେବା ନେଇ ଖୋଳତାଡ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଏ ନେଇ ପଚରାଉଚରା କରାଯାଇଛି ।
