Odisha news

ସ୍କୁଲ, କଲେଜ, ଅଙ୍ଗନବାଡି, ମନ୍ଦିର ଆଦି ଧାର୍ମିକ ପୀଠସ୍ଥଳୀ, ଶିକ୍ଷା, ପ୍ରଶିକ୍ଷଣ ଓ କୋଚିଂ ପ୍ରତିଷ୍ଠାନଗୁଡିକ ୩୧ ଅକ୍ଟୋବର ଯାଏ ବନ୍ଦ ରହିବ

0

ଭୁବନେଶ୍ୱର : ସ୍କୁଲ, କଲେଜ, ଅଙ୍ଗନବାଡି, ମନ୍ଦିର ଆଦି ଧାର୍ମିକ ପୀଠସ୍ଥଳୀ, ଶିକ୍ଷା, ପ୍ରଶିକ୍ଷଣ ଓ କୋଚିଂ ପ୍ରତିଷ୍ଠାନଗୁଡିକ ୩୧ ଅକ୍ଟୋବର ଯାଏ ଖୋଲିପାରିବେ ନାହିଁ। ଫିଲ୍ମ ହଲ୍ ବି ନୁହେଁ। ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ କୋଭିଡ୍ କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ଏକଥା ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ସରକାର ଅନ୍‌ଲକ୍-୫ରେ ସିନେମା ହଲ୍, ଥିଏଟର ୫୦ ପ୍ରତିଶତ ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦେଇଥିଲେ ଓ ବିଦ୍ୟାଳୟ ଆଦି ଖୋଲିବା ସଂକ୍ରାନ୍ତରେ ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ନିଷ୍ପତ୍ତି ବୋଲି କହିଥିଲେ।

ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, କଣ୍ଟେନ୍‌ମେଣ୍ଟ ଜୋନ୍ ପରିସରରେ ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ୍ କଟକଣା ଜାରି ରହିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ ବାହାରେ ଅର୍ଥାତ୍ ଜିଲ୍ଲା, ସବ୍‌ ଡିଭିଜନ୍ ଅଥବା ସହର କିମ୍ବା ଗ୍ରାମୀଣସ୍ତରରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‌ଡାଉନ୍ କରିପାରିବେ ନାହିଁ। ପୂର୍ବରୁ ରାଜ୍ୟ ସରକାର ପୂଜାଛୁଟି ଯାଏ ବିଦ୍ୟାଳୟ ଆଦି ବନ୍ଦ ଘୋଷଣା କରିଥିଲେ। ଆଜି ଅକ୍ଟୋବର ୩୧ ଯାଏ ଛୁଟି ରହିବ ବୋଲି ସୂଚନା ଦେଇଥିଲେ ହେଁ, ପ୍ରବେଶିକା ପରୀକ୍ଷା କିମ୍ବା ଅନ୍ୟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ସାମାଜିକ, ରାଜନୈତିକ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ଜନସମାଗମ ଉପରେ ଏହି ମାସ ଶେଷ ଯାଏ କଟକଣା ପୂର୍ବଭଳି ବଳବତ୍ତର ରହିବ।

ତେବେ ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ଜାରି କରିଥିବା କଟକଣା ଅନୁପାଳନ ହେବ। ଯେଉଁ ହଲ୍‌ରେ ରାଜନୈତିକ ସଭା କରାଯିବ, ସେଥିରେ ୫୦% ଦର୍ଶକ ବସିବା କ୍ଷମତା ବ୍ୟବହାର ହେବ ଓ ଲୋକ ସଂଖ୍ୟା ୧୦୦ ଅତିକ୍ରମ କରିବ ନାହିଁ। ସେହିପରି ଖୋଲା ସଭା ମଧ୍ୟ ପଡିଆର ଆକାର ଅନୁସାରେ ଅନୁମତି ଦିଆଯିବ। କିନ୍ତୁ କୌଣସି ପରିସ୍ଥିତିରେଏ କ୍ଷେତ୍ରରେ ବି ଶହେରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସାମାଜିକ ଦୂରତା ସହିତ ସଭା କରାଯିବ। ଜିଲ୍ଲା ମାଜିଷ୍ଟ୍ରେଟମାନେ ଏହା ନିଶ୍ଚିତ କରିବେ।

ସର୍ବସାଧାରଣରେ ପାନ, ଗୁଟ୍‌କା , ପାନ, ତମାଖୁ ସେବନ ଉପରେ ନିଷେଧାଦେଶ ଜାରି ରହିଛି। ବିବାହ କ୍ଷେତ୍ରରେ ୫୦ଜଣ ଓ ଅନ୍ତ୍ୟେଷ୍ଟି ବେଳେ ୨୦ଜଣ ଲୋକଙ୍କ ସମାଗମ ସଂକ୍ରାନ୍ତ ପୂର୍ବ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି। ସେହିଭଳି ସର୍ବସାଧାରଣରେ ଛେପ ପକାଇଲେ ଆଇନ ଅନୁସାରେ ଦଣ୍ଡନୀୟ ଓ ଜରିମାନା ବ୍ୟବସ୍ଥା ରହିଛି। ସିନେମାହଲ୍, ଅଡିଟୋରିୟମ୍, ସୁଇମିଂ ପୁଲ୍ ଆଦି ଉପରେ କଟକଣା ବଳବତ୍ତର ରହିଛି। ତେବେ ଅକ୍ଟୋବର ୧୫ ତାରିଖ ପରେ କ୍ରୀଡା ବିଭାଗ ଅଧୀନରେ ଥିବା ସୁଇମିଂ ପୁଲ୍‌କୁ ଅନୁମତି ମିଳିବ। କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାରର ଏସଓପି ସେମାନେ ମାନିବେ।

Nalco
Leave A Reply