Odisha news

ବିଶ୍ୱ ତମାଖୁ ବର୍ଜନ ଦିବସ

0
ସୌଭାଗ୍ୟବତୀ ଗିରି : ପ୍ରତୈକ ଲୋକ ପ୍ରତି ମୁହୁର୍ତ୍ତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥା’ନ୍ତି l ଦୁନିଆରେ ସମସ୍ତେ ଚାହାଁନ୍ତି ସେମାନେ କେମିତି ସବୁଦିନେ ସୁସ୍ଥ ରହିବେ l ସେଥିପାଇଁ ସୁଷମ ଖାଦ୍ୟ ଉପରେ ଧ୍ୟାନ ଦେବା ସହିତ ନିଜ ସ୍ୱାସ୍ଥ୍ୟ ର ଯତ୍ନ ବି ନିଅନ୍ତି l କିନ୍ତୁ ଜାଣିଶୁଣି ତମ୍ବାଖୁ ଓ ଧୂମ୍ରପାନ ଭଳି ବିଷ ଗ୍ରହଣ କରି ଚାଲି ଥାଆନ୍ତି l ଆମେ ତ ସ୍ୱୟଂ ଶିବଶଙ୍କର ନୁହଁ ଯେ ଆମ ପାଖରେ ହଳାହଳମୟ ବିଷ ପାନ କରିବାର ଅସୀମିତ ଶକ୍ତି ରହିବ l ତେଣୁ ବେଳେବେଳେ ଆମ ଅନିଚ୍ଛା ସତ୍ତ୍ୱେ ରୋଗ ଆମକୁ ଘୋଷାରି ଘୋଷାରି ମୃତ୍ୟୁ ଆଡକୁ ନେଇଯାଏ l ରୋଗର ପ୍ରସଙ୍ଗ ଯଦି ଆସେ କ୍ୟାନସର୍ ଆଗଧାଡିରେ ସ୍ଥାନ ପାଇଥିବା ଏକ ରୋଗ ଏବଂ ଧୂମ୍ରପାନ ଓ ତମ୍ବାଖୁସେବନ ଏହି ରୋଗର ଏକ ପ୍ରମୂଖ କାରଣ l
ଆମ ଦେଶରେ ତମ୍ବାଖୁସେବନ ର ଆଇନ୍ ଗତ ବୟସ ସୀମା ୧୮ ବର୍ଷ ଥିବା ବେଳେ ଆଇନ୍ ର ସେମିତି କିଛି ପ୍ରଭାବ ଥିବା ଦେଖାଯାଏ ନାହିଁ l ଅତି କମ୍ ବୟସର ପିଲାମାନେ ବି ତମ୍ବାଖୁ ସେବନ କରୁଥିବାର ଦେଖାଯାଏ l ଚୁମ୍ବକ ଲୁହାକୁ ଆକର୍ଷିତ କରିବା ପରି ତମ୍ବାଖୁ କିଶୋର ଓ ବିଶେଷ କରି ଯୁବକ ମାନଙ୍କୁ ଆକର୍ଷିତ କରିଥାଏ l ପ୍ରାୟ ଯୁବଗୋଷ୍ଠୀ ତମ୍ବାଖୁସେବନ ଓ ଧୂମ୍ରପାନ ପ୍ରତି ଆକର୍ଷିତ ହେଉଥିବା ଦେଖାଯାଏ l ତମ୍ବାଖୁ ସେବନ ଧୂମ୍ରପାନ ଠାରୁ ମଧ୍ୟ ଅଧିକ କ୍ଷତି କାରକ l ଥରେ ତମ୍ବାଖୁ ସେବନର ଅଭ୍ୟାସ ହୋଇଗଲେ ଏହା ଆଉ ପିଛା ଛାଡେ ନାହିଁ l ଏକ ହିସାବରୁ ଜଣାପଡିଛି ଓଡିଶାରେ ୨୯ ପ୍ରତିଶତ ଲୋକ ଅଭ୍ୟାସଗତ ଭାବେ ଧୂମ୍ରପାନ ଓ ତମ୍ବାଖୁସେବନ କରନ୍ତି l ତମ୍ବାଖୁ ଅନେକ ସମୟରେ କ୍ଲୋରିଡିଆ ଭାଇରେସେନସ୍ ଦ୍ୱାରା ସଂକ୍ରମିତ ହୋଇଥାଏ ଓ ଏହି ସଂକ୍ରମିତ ତମ୍ବାଖୁ ବି ବେଳେବେଳେ ଗୁଣ୍ଡ କରି ପ୍ୟାକେଟ୍ କରା ଯାଇଥାଏ l ତମ୍ବାଖୁ ସେବନ ଦ୍ୱାରା ହେଉଥିବା ପ୍ରମୂଖ ରୋଗ ଗୁଡିକ ହେଲା ହାର୍ଟଆଟାକ୍,ଷ୍ଟ୍ରୋକ୍,ମାଉଥ୍ କ୍ୟାନସର୍,ପାନକ୍ରିୟାଟିକ୍ କ୍ୟାନସର୍ ଇତ୍ୟାଦି l
ଏହାଛଡା ଅତ୍ୟଧିକ ଧୂମ୍ରପାନ ଓ ତମ୍ବାଖୁ ସେବନ ମନୁଷ୍ୟର ପ୍ରଜନନ କ୍ଷମତା ହ୍ରାସ କରିଥାଏ ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ଗର୍ଭପାତ କରାଇଦେବାର ଅନେକ  ସମ୍ଭାବନା ଥାଏ l ଧୂମ୍ରପାନ ନିଜେ ନକରି ଧୂମ୍ରପାନ କରୁଥିବା ବ୍ୟକ୍ତି ପାଖରେ ଠିଆ ହୋଇ ରହିଥିଲେ ମଧ୍ୟ ତାହା ପରୋକ୍ଷ ଧୂମ୍ରପାନର ଅନ୍ତର୍ଗତ l ଏହା ମଧ୍ୟ ଆମର ଅନେକ କ୍ଷତି କରିଥାଏ l ପ୍ରତି ମୁହୁର୍ତ୍ତରେ ତମ୍ବାଖୁ ସମାଜର ବ୍ୟାପକ କ୍ଷତି ଘଟାଇ ଚାଲିଛି l ଅନେକ ଦେଶରେ ତମ୍ବାଖୁ ବିକ୍ରୀ ଉପରେ ରୋକ୍ ଲାଗି ସାରିଛି l ଅନ୍ୟ କେତେକ ଦେଶ ରୋକ୍ ଲଗାଇବା ପାଇଁ ପ୍ରୟାସ ଚଳାଇଛନ୍ତି l ତମ୍ବାଖୁ ସେବନ ଦ୍ୱାରା କେବଳ  ଭାରତରେ ପ୍ରତିଦିନ ୨୫଼୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି l ତେଣୁ ଏହାକୁ ବନ୍ଦ କରିବା ପାଇଁ ଅନେକ ଚେଷ୍ଟା ଚାଲିଛି l ତଥାପି ଭାରତକୁ  ତମ୍ବାଖୁମୁକ୍ତ କରାଯାଇ ପାରିନାହିଁ l ଆମ ତମ୍ବାଖୁ ସେବନ ବନ୍ଦ କରିବା ଚେଷ୍ଟା କେବଳ ତମ୍ବାଖୁ ସେବନ ବିରୋଧୀ ସ୍ଲୋଗାନ୍ ଦେବା ଓ ପ୍ରତିବର୍ଷ ମେ ୩୧ ରେ  ତମ୍ବାଖୁ ବର୍ଜନ ଦିବସ ପାଳନ କରିବାରେ ସୀମିତ ରହିଯାଉଛି l
 ଏବେ କରୋନା ଭଳି ଏକ ଭୂତାଣୁ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ମଧ୍ୟ ତମ୍ବାଖୁ ଚୋରାବିକ୍ରୀ ଚାଲିଛି l ଅବଶ୍ୟ ପୂର୍ବାପେକ୍ଷା ଏହା  କିଛି ମାତ୍ରାରେ କମିଯାଇଛି l ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ତମ୍ବାଖୁ ବିକ୍ରୀ ନେଇ ଆଲୋଚନା କରିଛନ୍ତି l ସର୍ବସାଧାରଣରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ ଘୋଷଣା କରାଯାଇଛି l ଏହା ତମ୍ବାଖୁ ସେବନକୁ ଅଳ୍ପ କିଛି ମାତ୍ରାରେ କମାଇ ଦେଇପାରେ ବୋଲି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଶା ରଖି କେନ୍ଦ୍ର ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି l ଅନ୍ୟ ଏକ କଥା ହେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍  ମେଣ୍ଟାଲ୍ ହେଲଥ୍ ର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର୍ ପ୍ରତିମା ମୂର୍ତ୍ତି କହିଛନ୍ତି ଯେ ଧୂମ୍ରପାନ ଓ ତମ୍ବାଖୁ ସେବନ ଫୁସଫୁସ୍ ର କାର୍ଯ୍ୟକ୍ଷମତା କୁ ଅନେକ ପରିମାଣରେ ହ୍ରାସ କରିଦିଏ l ଧୂମ୍ରପାନ ଓ ତମ୍ବାଖୁ ସେବନ କରୁଥିବା ବ୍ୟକ୍ତି କରୋନା ଆକ୍ରାନ୍ତ ହେଲେ ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ l ତେଣୁ ଏସବୁଠୁ ଦୂରେଇ ରହିବା ଏ କରୋନା ସଙ୍କଟ ସମୟରେ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ଓ ଯଥାସମ୍ଭବ ତମ୍ବାଖୁ ସେବନ ଓ ଧୂମ୍ରପାନଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି l
ହୁଏତ ଏହି ଦୁଇଟି କାରଣ ଧୂମ୍ରପାନ ଓ ତମ୍ବାଖୁ ସେବନକୁ ବର୍ତ୍ତମାନ କମ୍ କରି ଦେଇପାରେ l କିନ୍ତୁ ଏହା କୌଣସି ସ୍ଥାୟୀ ସମାଧାନ ଆଣି ପାରିବ ନାହିଁ l ତମ୍ବାଖୁ ସେବନ ଅଭ୍ୟାସ କରିଥିବା ଲୋକଙ୍କ ପାଇଁ ଏ ଅଭ୍ୟାସ ଛାଡିବା ଏକ କଷ୍ଟକର କାର୍ଯ୍ୟ l କିନ୍ତୁ ଅସମ୍ଭବ ନୁହେଁ l ଏହି ଅଭ୍ୟାସକୁ ଦୂରେଇବା ପାଇଁ ଏକ ଛୋଟ ବିକଳ୍ପ ବ୍ୟବସ୍ଥା କରା ଯାଇପାରେ l ୧୦୦ ଗ୍ରାମ୍ ପାନମଧୁରୀ ସହିତ ୧୦ ଗ୍ରାମ୍ ଜୁଆଣୀ ଓ ଅଳ୍ପ ମାତ୍ରାରେ ସୈନ୍ଧବ ଲବଣ ମିଶାଇ ସେଥିରେ ଦୁଇଟି ଲେମ୍ବୁ ଚିପୁଡି ତାକୁ ତାୱାରେ ସେକି ରଖା ଯାଇପାରେ l ଏହାକୁ ତମ୍ବାଖୁ ପରି ପାଟିରେ ପକା ଯାଇପାରେ l ଏହା ସେବନ ଦ୍ୱାରା ହଜମ ଶକ୍ତି ବଢେ ଓ ରକ୍ତ ପରିଷ୍କାର ହୁଏ l ଏହା ମଧ୍ୟ ସ୍ଥାୟୀ ସମାଧାନ ନୁହେଁ l ଦେଶକୁ ସମ୍ପୁର୍ଣ ତମ୍ବାଖୁମୁକ୍ତ କରିବା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ଦରକାର l ଅକାଳରେ ମୃତ୍ୟୁମୁଖକୁ ଜୋର୍ କରି ଠେଲି ଦେଉଥିବା ଏପରି ଭୟଙ୍କର ଜିନିଷ ଉପରେ ରୋକ୍ ଲଗାଇବା ପ୍ରତି ସରକାର ଧ୍ୟାନ ଦେବା ଦରକାର l ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରତୈକ ବ୍ୟକ୍ତି ନିଜ ଘରୁ ହିଁ ଏ ଅଭିଯାନ ଆରମ୍ଭ କରନ୍ତୁ l ନିଜେ ଏ କୁଅଭ୍ୟାସରୁ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚେଇବା ପାଇଁ ପ୍ରେରଣା ଯୋଗାଇ ଦିଅନ୍ତୁ l ନହେଲେ ଏ  ତମ୍ବାଖୁ ସେବନ ବିରୋଧି ସ୍ଲୋଗାନ୍ ଓ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନର କୌଣସି ମୂଲ୍ୟ ରହିବ ନାହିଁ l

Leave A Reply