ହାଇ ଆଲର୍ଟରେ ପୁଲିସ : ସଲମାନଙ୍କୁ ଆଲିଙ୍ଗନ କରିବାକୁ ଏବଂ ରମଜାନ ପାଇଁ ଅଭିନନ୍ଦନ ଜଣାଇବା ପୂର୍ବରୁ ଯାଞ୍ଚ ହେବ ଆଧାର କାର୍ଡ
ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଥିଲା। ମାର୍ଚ୍ଚ ୧୮ରେ ଇମେଲ୍ ଜରିଆରେ ସଲମାନଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ମଙ୍ଗଳବାର ପୁଣି ଥରେ ତାଙ୍କୁ ହତ୍ୟା ଧମକ ମିଳିଥିବା ଖବର ମିଳିଥିଲା। ଅଭିଯୁକ୍ତ ଏପ୍ରିଲ ୩୦ରେ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିବାରୁ ଏବେ ମୁମ୍ବାଇ ପୁଲିସ ଯାଞ୍ଚ କଡ଼ାକଡି କରିଛି।
ସଲମାନ ଏବେ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ପ୍ରଚାରରେ ବ୍ୟସ୍ତ ଥିବା ବେଳେ ହାଇ ଆଲର୍ଟରେ ରହିଛି ପୁଲିସ। ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିବା ସବୁ ସାମ୍ବାଦିକଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବା ସହ ସେମାନଙ୍କର ଆଧାର କାର୍ଡ ଯାଞ୍ଚ କରାଯାଇଥିଲା। ଆଗକୁ ସଲମାନ ଯେଉଁ ସବୁ ଇଭେଣ୍ଟରେ ଯୋଗ ଦେବେ ଏଭଳି ଭାବେ ଯାଞ୍ଚ କରାଯିବ ବୋଲି କହିଛି ପୁଲିସ।
ପ୍ରତିବର୍ଷ ରମଜାନ ମାସରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ପ୍ରସିଦ୍ଧ ନେତା ବାବା ସିଦ୍ଦିକି ଇଫତାର ପାର୍ଟିର ଆୟୋଜନ କରନ୍ତି। ଏଥର ଏହି ଭୋଜି ଏପ୍ରିଲ ୧୬ରେ ରଖାଯାଇଛି। ଏହି ଉତ୍ସବରେ ଉଭୟ ଶାହରୁଖ ଖାନ ଏବଂ ସଲମାନ ଖାନ ଯୋଗଦେବେ ବୋଲି ଆଶା କରାଯାଉଛି। ମୁମ୍ବାଇ ପୁଲିସ ଉତ୍ସବର ଆୟୋଜନରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ତଥା ସମ୍ଭାବ୍ୟ ପରିଦର୍ଶକଙ୍କ ପୃଷ୍ଠଭୂମି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି। ଗୁରୁବାର ଦିନ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସେମାନଙ୍କର ଆଧାର କାର୍ଡ ମଗାଯାଇଛି ଯେଉଁମାନେ ଏହି ଭୋଜିରେ ସଲମାନଙ୍କୁ ଆଲିଙ୍ଗନ କରିବାକୁ ଏବଂ ତାଙ୍କୁ ରମଜାନ ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛନ୍ତି।