ସାଲେପୁର : ଲକ୍ଡାଉନ୍ ସମୟରେ କେତେକ ଅମାନିଆ ଯୁବକ ଲକ୍ଡାଉନ୍ ନିୟମ ନମାନି ଗାଁ ପଡ଼ିଆରେ କ୍ରିକେଟ୍ ଖେଳୁଥିବାବେଳେ ପୁଲିସ ପହଞ୍ଚିଯିବାରୁ ମୋଟର ସାଇକେଲ୍ ଓ ସାଇକେଲ୍ ଛାଡି ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ । ଶେଷରେ ପୁଲିସ ଅମାନିଆମାନେ ଛାଡି ଦେଇଯାଇଥିବା ମୋଟରସାଇକେଲ୍ ୨ଟିକୁ ଜବତ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାପରେ ମୋଟର ସାଇକେଲ୍ ଦୁଇଟିକୁ ତାଙ୍କ ଜିମା ଦେଇଥିବା ଜଣାଯାଇଛି ।
ଖବରରୁ ପ୍ରକାଶ ଯେ ଏବେ ସମଗ୍ର ବିଶ୍ୱରେ କରୋନା ମହାମାରୀର ତାଣ୍ଡବ ଚାଲିଥିବାବେଳେ ଏହାକୁ ରୋକିବାପାଇଁ ସରକାର ଲକ୍ଡାଉନ୍, ସଟ୍ଡାଉନ୍ ଆଦି କୋଭିଡ୍ ଆଇନ୍ ପ୍ରଣୟନ କରିଥିବାବେଳେ ଆଜି ସାଲେପୁର ବ୍ଲକ୍ର କଲ୍ୟାଣପୁର ଖେଳପଡ଼ିଆରେ କେତେକ ଅମାନିଆ ଯୁବକ କୋଭିଡ୍ ଆଇନ୍କୁ ନମାନି କ୍ରିକେଟ୍ ଖେଳୁଥିବାବେଳେ ପୁଲିସ ପି.ସି.ଆର. ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଯୁବକମାନେ ମୋଟର ସାଇକେଲ୍ ଛାଡି ଛତ୍ରଭଙ୍ଗ ଦେଇଥିଲେ ।
ପୁଲିସ ମୋଟରସାଇକେଲ୍ ଦୁଇଟିକୁ ଥାନାକୁ ଆଣିବା ସହ ତାଙ୍କର ଅଭିଭାବକଙ୍କୁ ଡାକି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରି ମୋଟର ସାଇକେଲ୍ ଦୁଇଟିକୁ ଛାଡିଦେଇଛନ୍ତି । ଅପର ପକ୍ଷରେ ଆଜି ସାଲେପୁର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେପରୁଆ ଭାବେ ମୋଟର ସାଇକେଲ୍ ଚଳାଇବା, ସାମାଜିକ ଦୂରତ୍ୱକୁ ନମାନିବା, ବିନା ମାସ୍କରେ ଯାତାୟତ କରୁଥିବା ଅମାନିଆଙ୍କ ଠାରୁ ସାଲେପୁର ପୁଲିସ ପକ୍ଷରୁ ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁରର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଖେଳପଡ଼ିଆରୋ ଅପରାହ୍ଣରେ କ୍ରିକେଟ୍ ଠାରୁ ଆରମ୍ଭ କରି ଫୁଲବଟ୍ ଭଲି ଆଦି ଖେଳ ଚାଲିଥିବା ଦେଖିବାକୁ ମିଳିଛି । ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।
