ସାଲେପୁର : ଗତକାଲି ରାତି ପ୍ରାୟ ୧୦.୩୦ମି. ସମୟରେ ୬ନଂ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିବା ଯୁବକର ମୃତ ଦେହକୁ ଆଜି ସ୍ଥାନୀୟ ଲୋକେ କେନାଲରୁ ଉଦ୍ଧାର କରିଛନ୍ତି । ପୁଲିସ ମୃତ ଦେହକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ର କୁସମ୍ବୀ ଗ୍ରାମର ସୁବ୍ରତ ଶତପଥୀ(୪୦) ସ୍ଥାନୀୟ କୁସମ୍ବୀ ବଜାରରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ । ଗତକାଲି ରାତି ପ୍ରାୟ ୧୦.୩୦ମି.ରେ ଦୋକାନ ବନ୍ଦ କରିବା ସମୟରେ ପାଖରେ ଥିବା ୬ନଂ କେନାଲକୁ ଦୋକାନର ବାସନକୁସନ ଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ପଡି ନିଖୋଜ ହୋଇଯାଇଥିଲେ ।
ସ୍ଥାନୀୟ ଲୋକେ ଓ ସାଲେପୁର ଦମକଳ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କଲାପରେ ତାଙ୍କର କୌଣସି ସନ୍ଧାନ ମିଳିନଥିବାବେଳେ ଆଜି ସକାଳୁ କେନାଲର ପାଣି କମାଯାଇ ପୁନର୍ବାର ନିଖୋଜ ଯୁବକକୁ ଖୋଜାଖୋଜି କଲାପରେ କୁସମ୍ବୀ ପୋଲ ନିକଟରୁ ୫୦ମିଟର ମଧ୍ୟରେ ତାଙ୍କର ମୃତ ଦେହକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା । ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚô ଯୁବକର ଶବଟିକୁ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ଯୁବକ ଜଣକର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
