ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଜିଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଳୁ, ପିଆଜ, ଦର ନିୟନ୍ତ୍ରଣ ରଖିବା ପାଇଁ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲା ଏସପି ଅଜେୟ ପ୍ରତାପ ସ୍ୱାଇଁ, ଖୋର୍ଦ୍ଧା ଉପଜିଲାପାଳ ଅଶୋକ କୁମାର ବେଉରିଆ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ, ଜିଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ, ବ୍ୟବସାୟୀ ମହାସଂଘ ସଭାପତି ଶକ୍ତିଶଙ୍କର ମିଶ୍ର, ସଂପାଦକ ସୁଧାକର ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ ।
ସାଧାରଣ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଳୁ, ପିଆଜ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ନିୟନ୍ତ୍ରଣ ରଖିବାକୁ ଜିଲାପାଳ କହିଥିଲେ । ବଜାରରେ ଆଳୁ କେଜି ପ୍ରତି ସର୍ବାଧିକ ୪୦ ଟଙ୍କା ଏବଂ ପିଆଜ କେଜି ପ୍ରତି ସର୍ବାଧିକ ୬୦ ଟଙ୍କା ଦର ଧାର୍ଯ୍ୟ କରିବା ପାଇଁ କହିଥିଲେ । ଖୋର୍ଦ୍ଧା ଜିଲାର ସବୁ ଅଚଂଳରେ ଯେଭଳି ଆଳୁ, ପିଆଜ ନିୟନ୍ତ୍ରିତ ଦରରେ ଉପଲବ୍ଧ ହେବ ସେଥିପ୍ରତି ଜିଲାପାଳ ଅନୁରୋଧ କରିଥିଲେ । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟି ଯେପରି ଅସୁବିଧାର ପରିସ୍ଥିତି ସମ୍ମୁଖୀନ ନ ହୁଏ ସେ ସଂର୍ପକରେ ଆଲୋଚନା କରାଯାଇଥିଲା ।
ବ୍ୟବସାୟ ସଂଘ ଏ ଦିଗରେ ପ୍ରଶାସନକୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଯୋଗାଣ ଅଧିକାରୀ ଏବଂ ସହକାରୀ ଯୋଗାଣ ଅଧିକାରୀମାନେ ଆଳୁ ପିଆଜ ବିକ୍ରୟ ଦର ଏବଂ ଏହା ଯେପରି ସବୁ ଅଚଂଳରେ ମିଳିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ଜିଲା ଯୋାଣ ବିଭାଗ ସମେତ ବିପଣୀ ଅଧିକାରୀ, ପ୍ରମୁଖ ଯୋଗଦେଇଥିଲେ ।
