ଭଦ୍ରକ ଜିଲ୍ଳା ଇତିହାସରେ ପ୍ରଥମ ଘଟଣା, ଧାମନଗରରେ ପ୍ରସ୍ତାବିତ ମଦବାର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ମହିଳାଙ୍କ ଦାବି
ଧାମନଗର : ଧାମନଗର ଏନ୍ଏସି ଅଂଚଳରେ ପ୍ରସ୍ତାବିତ ମଦବାର ଖୋଲିବାକୁ ନେଇ ଭଦ୍ରକ ଜିଲ୍ଳା ପ୍ରଶାସନ ପାଖରେ ଉଭୟ ସପକ୍ଷ ଓ ବିପକ୍ଷ ବାଦୀଙ୍କ ବିକ୍ଷୋଭ ଦେଖିବାକୁ ମିଳୁଥିବାବେଳେ ମହିଳାମାନେ ଠିପି ଖୋଲା ମଦବାର ଖୋଲିବାପାଇଁ ଜିଲ୍ଳା ପ୍ରଶାସନ ପାଖରେ ଦାବି କରିବା ଘଟଣା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି ।
ଗତ ମଙ୍ଗଳବାର ଦିନ ପ୍ରସ୍ତାବିତ ମଦବାରକୁ ବିରୋଧକରି ଧାମନଗର ଏନ୍ଏସି କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ଦାବିପତ୍ର ଦିଆଯାଇଥିବାବେଳେ ଠିକ୍ ସେହି ସମୟରେ ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେତେକ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କ ସମେତ ଶତାଧିକ ବ୍ୟକ୍ତି ମଦବାର ଖୋଲିବା ସପକ୍ଷରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ପ୍ରସ୍ତାବିତ ମଦ ବାର ସ୍ଥାନଟି ଧାମନଗର ସହର ଠାରୁ ଦୂରରେ ହୋଇଥିବାବେଳେ ଉକ୍ତ ସ୍ଥାନର ୫ଶହ ମିଟର ପରିଧି ମଧ୍ୟରେ କୌଣସି ମନ୍ଦିର, ମସଜିଦ୍, ଦୋକାନ ବଜାର କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ନାହିଁ ବୋଲି ସପକ୍ଷ ବାଦୀମାନେ ସେମାନଙ୍କର ମତ ରଖିଛନ୍ତି । ପ୍ରସ୍ତାବିତ ସ୍ଥାନଟି ମଦ ଦୋକାନ ଖୋଲିବାପାଇଁ ଉପଯୁକ୍ତ ବୋଲି ସପକ୍ଷ ବାଦୀମାନେ ଜିଲ୍ଳାପାଳଙ୍କ ଠାରେ ସେମାନଙ୍କର ଦାବୀ ଉପସ୍ଥାପନ କରିଛନ୍ତି । ସେହିପରି ଧାମନଗର ଜନଗହଳି ପୁର୍ଣ୍ଣ ବଡ଼ବଜାର ଠାରେ ଥିବା ସରକାରୀ ମଦ ଦୋକାନ ଚତୁପାଶ୍ୱର୍ରେ ମନ୍ଦିର, ମସଜିଦ୍, କାଳିମଣ୍ଡପ, ମଦ୍ରସା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବାବେଳେ ଏହା ସରକାରଙ୍କ ମଦ ଦୋକାନ ଖୋଲା ଯିବା ନୀତି ନିୟମକୁ ଉଲଙ୍ଘନ କରୁଛି ବୋଲି ସପକ୍ଷବାଦୀ ମାନେ ଦାବି କରୁଛନ୍ତି ।
ଧାମନଗରରେ ଥିବା ସରକାରୀ ମଦଦୋକାନୀ ଦୀର୍ଘ ବର୍ଷଧରି ଏକଛତ୍ରବାଦୀ ଭାବେ ବ୍ୟବସାୟ କରୁଥିବାବେଳେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଚଢାଦରରେ ମଦ ବିକ୍ରୟ କରୁଛନ୍ତି । ଧାମନଗର ଏନ୍ଏସି ଅଂଚଳରେ ଯଦି ଆଉ ଏକ ମଦଦୋକାନ ଖୋଲାଯାଏ ସରକାରଙ୍କ ରାଜସ୍ୱ ବୃଦ୍ଧି ହେବା ସହିତ ଗ୍ରାହକ ମାନେ ସଠିକ୍ ମୂଲ୍ୟରେ ମଦ କିଣି ପାରିବେ ବୋଲି ସେମାନେ ଦୃଢ ମତ ପୋଷଣ କରିଛନ୍ତି । ସରକାର ଓ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାମନଗର ଠାରେ ଆଉ ଅଧିକ ମଦଦୋକାନ ଖୋଲା ଯିବାର ଆବଶ୍ୟକତା ରହିଛିବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ମତ ଦେଇଛନ୍ତି । ତେବେ ଧାମନଗର ବଡ଼ ବଜାରରୁ ସରକାରୀ ମଦଦୋକାନକୁ ସ୍ଥାନାନ୍ତର କରିବା ସହିତ ପ୍ରସ୍ତାବିତ ମଦବାରକୁ ଧାମନଗର ସହର ଠାରୁ ଦୂରରେ ଖୋଲିବା ପାଇଁ ବୁଦ୍ଧିଜୀବୀ ମହଲରେ ମତପୋଷଣ କରାଯାଉଛି
