ସାକ୍ଷୀଘୋପାଳ : ସତ୍ୟଵାଦୀ ବ୍ଲକର ଅଳଗୁମ ଗ୍ରାମରେ ପରମ୍ପରା କ୍ରମେ ମା ଜାଗୁଳେଇ ଙ୍କ ପ୍ରସିଦ୍ଧ କାଠିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଷଷ୍ଠୀଓଷା ଠାରୁ ଆରମ୍ଭ ହୋଇଥିବା ଏହିଯାତ୍ରାର ଶେଷ ପର୍ଯ୍ୟାୟରେ ମା ଜାଗୁଳେଇ ଙ୍କ ମନ୍ଦିର, ୧୨ ପଡା ବିଶିଷ୍ଟ ଅଳଗୁମ ଗ୍ରାମ ସହିତ କାଠି ପଡିଆରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା।ଦେବୀଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିଵେଶ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ମନ୍ଦିର ରେ ଦେଵୀ ଙ୍କର ମାଜଣା, ଵେଶ, ଧୁପ ସମାପନ କରାଯିବା ପରେ କାଠି ମାଜଣା କରାଯାଇଥିଲା। ମାନସିକଧାରୀ ଶ୍ରଦ୍ଧାଳୁ ମାନେ ଦେଇଥିବା ଶହଶହ ନୁଆ ଶାଢୀ ପୋତା ଯାଇଥିବା କାଠିରେ ରଜକ ସେଵାୟତ କୁଞ୍ଚକରି ବାନ୍ଧି ଥିଲେ । ଦେବୀ ଙ୍କ ଆଜ୍ଞା ମାଳ ଓ ଗୋଟିଏ ପିତଳଗରା କାଠିର ଗୋଟିଏ ମୁଣ୍ଡରେ ଲାଗି କରାଯାଇଥିଲା। ଘଣ୍ଟ, କାହାଳୀ, ଢୋଲ, ମହୁରୀ ସହ ମାଙ୍କ ର ଜୟଜୟ ଧ୍ବନୀ ମଧ୍ୟରେ ସେଵାୟତ ମାନେ କାନ୍ଧରେ କାଠି ବୋହି ମାଙ୍କୁ ଲାଗି କରିଥିଲେ। ପରେ ପରେ କାଠି ବେଢା ପରିକ୍ରମା କରିବା ସହ ପଟୁଆରରେ ବାରବାଟୀ ପଡିଆକୁ ବିଜେ କରିଥିଲେ। ସେଠାରେ କାଠି ପୋତାଯିବା ପରେ ଛୋଟାପୁଅ କାଳେସୀ ଉଭାହୋଇ କାଠି ଉପରକୁ ଉଠି ଭବିଷ୍ୟଵାଣୀ କରିବା ସହ ଗୁହାରିଆ ପଡିଥିବା ମାନସିକ ଧାରୀ ମାନଙ୍କୁ ଆଶିର୍ଵାଦ କରିଥିଲେ । ରାତିରେ ସୁରାଲାଗି ବରଗଛ ନିକଟରେ ଦେଵୀଙ୍କର ବିଶ୍ରାମ ସହିତ ଆସନ୍ତା କାଲି ଶନିବାର ଦିନ ଦାନ୍ତକାଠି ମାଜଣା ସୁରାଲାଗି କରାଯିବା ପରେ ରାତିରେ ଟାହିଆ ଲାଗି, ଭୋଗ ଆଳତି ଓ ଘର ବାହୁଡା ନୀତି ଅନୁଷ୍ଠିତ ହେବ ଏଵଂ ବିରିଜାବ ଦେଇ ଦେଵୀ ପ୍ରତିମା ଙ୍କ ମୁହଁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଵନ୍ଦ କରିଦିଆଯିବ। କିମ୍ବଦନ୍ତୀ ଅନୁସାରେ ଅଳଗୁମର ଗଣ୍ଡେଇ ନାୟକଙ୍କ ଶଗଡ଼ ଦଣ୍ଡାରେ ବସି କଟକରୁ ଚାଲି ଆସିଥିବା ମା ଜାଗୁଳେଇ ଅଳଗୁମ ରେ ପୂଜା ପାଉଛନ୍ତି।