ସାକ୍ଷୀଗୋପାଳ ତା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ସରପଞ୍ଚ ସ୍ବର୍ଗତ ଦୀପା ବେହେରା ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର 9 ବର୍ଷର ବାଳୁତ ପୁତ୍ର ଆୟୁଷ ଏ ବେହେରା ମୁଖାଗ୍ନି ଦେଇଥିଲେ l ଏହି ବେଦନାଦୟକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା l ଗତକାଲି ନିମାପଡା ଡେଲଟା ଛକ ନିକଟରେ ସ୍ବର୍ଗତ ଦୀପା ବେହେରା ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l ପୁରୀ ଡାକ୍ତରଖାନାରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ପୁଷ୍ପାଞ୍ଜଳି ବିଶ୍ୱାଳ, ବସନ୍ତ ବିଶ୍ୱାଳ, ବିପିନ ବେହେରା, ଶକୁନ୍ତଳା ପ୍ରଧାନ, ରମାମଣି ପାତ୍ର, ଦୁଃଶାସନ ପ୍ରଧାନ, ମନୋଜ ପଣ୍ଡା, ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଶତାଧିକ ବ୍ୟକ୍ତି ଏହି ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ l ସ୍ବର୍ଗତ ଅଜୟ କୁମାର ବେହେରା ଓ ସ୍ବର୍ଗତ ଦୀପା ବେହେରାଙ୍କର ଆୟୁଷ ଏ ବେହେରା (9) ଓ ମୁକ୍ତି ରଞ୍ଜନ ଡ଼ି ବେହେରା (5) ପିତାମାତାଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି l ପ୍ରକାଶ ଥାଉ କି, ସ୍ବର୍ଗତ ଦୀପା ବେହେରାଙ୍କ ସ୍ୱାମୀ ତତ୍କାଳୀନ ସରପଞ୍ଚ ଅଜୟ କୁମାର ବେହେରା ପୂର୍ବରୁ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l