ସାକ୍ଷୀଗୋପାଳ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ସହର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ମାନଙ୍କରେ ପ୍ରବଳ ଜନ ଗହଳି ହେଉଛି । ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି ବଂଜରା ଲୁଟେରା ଦଳ । ଏହି ଭଳି ଏକ ବଡ଼ ଲୁଟେରା ଦଳକୁ ପୁରୀ ରେଳ ସୁରକ୍ଷା ପୋଲିସ ସାକ୍ଷୀଗୋପାଳ ରେଳ ଷ୍ଟେସନ ନିକଟରୁ ଧରିବାରେ ସକ୍ଷମ ହୋଇଛି । ଏମାନଙ୍କ ନିକଟରୁ ୩୫ ରୁ ଅଧିକ ଆଣ୍ଡ୍ରେଏଡ଼ ମୋବାଇଲ ଫୋନ ସମେତ ଅନ୍ୟ କିଛି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି । ଏହି ଲୁଟେରା ଦଳରେ ଦଶଜଣ ପାଖା ପାଖି ମହିଳା । ୫ ରୁ ୬ ପୁରୁଷ ଓ ୧୦ପାଖ ପାଖି ଛୋଟ ଶିଶୁ ରହିଛନ୍ତି ଯାହାଙ୍କର ବୟସ ଦଶ ବର୍ଷ ମଧ୍ୟରେ ହେବ । ଏମାନେ ବିଭିନ୍ନ ଆଳ ଦେଖାଇ ଭିକ୍ଷା ବୃତ୍ତି ସହ ବିଭିନ୍ନ ଖେଳଣା ଓ ମନୋହରି ସାମଗ୍ରୀ ବିକ୍ରି କରିବା ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରି ଲୁଟ କରିଥାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଦଳରେ ଛୋଟ ଛୋଟ ପିଲା ମାନେ ମଧ୍ୟ ଲୁଟ ପାଟ କରିବାରେ ସିଦ୍ଧହସ୍ତ । ଲୁଟ କରିବା ପରେ ସେମାନେ ଚୋରି ସାମଗ୍ରୀକୁ ତତକାଳ ସେମାନଙ୍କ ସହଯୋଗୀ ଲୁଟେରାକୁ ଦେଇଦିଆନ୍ତି ଓ ସେ ସ୍ଥାନ ପରିତ୍ୟାଗ କରିଥାନ୍ତି । ଏହି ଭଳି ମୋବାଇଲ ଲୁଟର ଅନେକ ଅଭିଯୋଗ ପୁରୀ ରେଳ ସୁରକ୍ଷା ପୋଲିସ ନିକଟରେ ହୋଇଥିଲା । ପୋଲିସ ଓ କିଛି ଅଭିଯୋଗ କାରୀ ସେମାନଙ୍କ ଲୁଟ ମୋବାଇଲ ନମ୍ବରକୁ ଟ୍ରେସ କରି ଏହି ଲୁଟେରା ଦଳ ନିକଟରେ ପହଞ୍ଚିଥିଲେ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ତଦନ୍ତରେ ବାଧା ସୃଷ୍ଟି ହେବା ସମ୍ଭାବନା ଥିବାରୁ ଏହା ଉପରେ କିଛି ସୂଚନା ପ୍ରଦାନ କରି ନାହଁ ରେଳ ସୁରକ୍ଷା ପୋଲିସ । ପୁରୀ ରେଳ ସୁରକ୍ଷା ଅଧିକାରୀ ସନ୍ତୋଷ ବାହିନୀପତିଙ୍କ ନେତୃତ୍ୱରେ ପ୍ରାୟ ୨୦ ଅଧିକାରୀ ଏକ ସତନ୍ତ୍ର ଟିମ ମାଧ୍ୟମରେ ଏହି ଲୁଟେରା ବଂଜରା ଦଳକୁ ଧରିଥିଲେ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ସହର ସମେତ ଏହାର ସଂଯୋଗୀ ରାସ୍ତା ଗୁଡ଼ିକ ଯଥା ସମସ୍ତ ରେଳ ଷ୍ଟେସନ,ବସ ଷ୍ଟାଣ୍ଡ ,ଜନଗହଳି ସ୍ଥାନ ମାନଙ୍କରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ରହଣି ,ଗମନାଗମନ ଓ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଏମାନେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ଲୁଟ କରିବା ପ୍ରଶାସନର ଚିନ୍ତାର କାରଣ ହୋଇଛି l
ଆଜି ସକାଳ 7 ଟା ସମୟରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ରଥଯାତ୍ରା ସ୍ୱତନ୍ତ୍ର ରେଳ ସାକ୍ଷୀଗୋପାଳ ରେଳ ଷ୍ଟେସନ ରେ ଅଟକିବା ପୂର୍ବରୁ ଜଣେ ବଞ୍ଜରା ହଠାତ ରେଳ ରୁ ଓହ୍ଲାଇ ପଡି ଦୌଡ଼ି ଥିଲେ l ହଠାତ ଟ୍ରେନ ମଧ୍ୟରେ ଥିବା ମହିଳା ଧର ଧର ବୋଲି ଚିତ୍କାର କରିଥିଲେ l ଆଞ୍ଚଳିକ ନାରିକେଳ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ଥାନୀୟ ଜନସାଧାରଣ ସେହି ବଞ୍ଜରାକୁ କାବୁ କରି ନେଇଥିଲେ l ଏହି ବଞ୍ଜରାକୁ ରେଳବାଇ ପୋଲିସକୁ ହସ୍ତାନ୍ତର କରିଥିଲେ l ଏହି ବଞ୍ଜରା ଠାରୁ ସୂଚନା ପାଇ ସାକ୍ଷୀଗୋପାଳ ରେଳବାଇ ପୋଲିସ ସ୍ଥାନୀୟ ଜୟପୁର ଗ୍ରାମ ନିକଟରେ ଅବସ୍ଥିତ ବ୍ରିଜ ନିକଟରୁ ଏହି ଲୁଟେରା ଗ୍ୟାଙ୍ଗରେ ଥିବା 4 ଜଣ ମହିଳାଙ୍କୁ ଧରିଥିଲେ l ଧରା ପଡ଼ିଥିବା ଏହି ବଞ୍ଜରା ଉକ୍ତ ମହିଳାଙ୍କ ମୋବାଇଲ ଝାମ୍ପି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା l
