ରଣପୁର ବନାଂଚଳରେ କଲରାପତରିଆ ବାଘ ଶିକାର ହୋଇଥିବା ଜଣା ପଡିଛି , ବାଘ ଶିକାର ହୋଇଥିବା ୧ ମାସରୁ ଉଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ ଚୁପ୍ ବସିଛି ବନ ବିଭାଗ
ରଣପୁର: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ବନାଂଚଳରେ ଚାଲିଛି ଅବୈଧ ବନ୍ୟଜନ୍ତୁ ଶିକାର । ବନ ବିଭାଗ ସବୁଜାଣି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । ଗତ ୧ମାସରୁ ଉଦ୍ଧ୍ୱର୍ ଦିନ ହେବ ରଣପୁର ବନାଂଚଳର ମା ମଣିନାଗ ସରଂକ୍ଷିତ ଜଙ୍ଗଲ ଅଶୁର କୁମାରୀ ଜଙ୍ଗଲରେ ଶିକାରୀ ମାନେ ଏକ କଲରା ପତରିଆ ବାଘକୁ ମାରି ତାର ଚମଡା ଓ ନଖକୁ ନେଇ ଅବଶିଷ୍ଟ ଅଶଂକୁ ସେଠାରେ ଛାଡି ଚାଲିଯାଇଥିବା ଜଣା ପଡିଛି ।
ବଜ୍ରକୋଟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ ୧ ମାସ ତଳେ ବଜ୍ରକୋଟ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଜଙ୍ଗଲର ଗୋଟିଏ ଯାଗାରେ କିଛି ଦୁର୍ଗନ୍ଧ ହେଉଥିବାରୁ ସେହି ସ୍ଥାନକୁ ଯାଇ ଦେଖିବାକୁ ପାଇଥିଲେ ଯେ ଗୋଟିଏ କଲରା ପତରିଆ ବାଘକୁ ମାରି ତାର ଚମଡା, ମାଂସ ଓ ହାଡ ପଡି ରହିଛି । ତେବେ ସଙ୍ଗେ ସଙ୍ଗେ ଗ୍ରାମବାସୀ ରଣପୁର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଁଛି ସେହି ସ୍ଥାନରେ ପଡି ରହିଥିବା କଲରା ପତରିଆ ବାଘର ଅବଶିଷ୍ଟାଂଶ ଯଥା ହାଡ, ଚମଡା ଓ ମାଂସକୁ ଜବତ କରି ସେଗୁଡିକୁ ନେଇ ଯାଂଚ କରି ପୋଡି ଦେଇଥିଲେ ।
ଗ୍ରାମ ବାସୀଙ୍କ ଅଭିଯୋଗ ଅନୁସାରେ କିଛି ଶିକାରୀ ମାନେ ବାର୍ହା ମାରିବାକୁ କେବୁଲ ତାରରେ ଫାସ ବସେଇଥିଲେ । ସେହି ଫାସରେ କଲରା ପତରିଆ ବାଘକୁ ମାରି ଦିଆଯାଇଥିବା ଚର୍ଚ୍ଚା ହେଉଛି । ତେବେ ଭାରତରେ କମ୍ ସଂଖ୍ୟକ ବାଘ ଥିବାରୁ ସରକାର ଏହାର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ରଣପୁର ରେଂଜ ଅଫିସ୍ ଠାରୁ ମାତ୍ର ୭କି.ମି ଦୂର କିଭଳି ବାଘ ଶିକାର ହେଲା ଓ ବାଘ ଶିକାର ହେବାର ୧ ମାସରୁ ଉଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ କାହିିଁକି ନିଆ ଯାଉନାହିଁ କାର୍ଯ୍ୟାନୁଷ୍ଠାନ ଯାହାକୁ ନେଇ ବନ ବିବାଘର ଅପାରଗତାକୁ ତୀବ୍ର ନିନ୍ଦା କରାଯାଇଛି ।
ତେବେ ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା ଅଶୁର କୁମାରୀ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା କିପରି ହୋଇ ପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଏହି କଲରାପତରିଆ ବାଘ ମରିଥିବା ଘଟଣାରେ ଉପଯୁକ୍ତ ତଦନ୍ତ କରି ଶିକାରୀ ଓ ସମ୍ପୃକ୍ତ ବନ ବିଭାଗ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।