ଫୁଲନଖରା, ୧୯ା୪ -ବାଲିଅନ୍ତା ବ୍ଲକ ୧୬ ନମ୍ବର ଜୋନ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଖବର କାଗଜ ହକର କାଳନ୍ଦି ସାହୁଙ୍କ ଟିଣ ଛପର ଘର ଉଡ଼ିଯାଇଛି । ଫଳରେ ୬ଜଣ ପରିବାର ସଦସ୍ୟଙ୍କ ସମେତ କାଳନ୍ଦି ଏବେ ବେସାହାରା ହୋଇପଡ଼ିଛନ୍ତି । ଶନିବାର ସଂଧ୍ୟାବେଳେ ହଠାତ ବର୍ଷା ସହିତ ଜୋରରେ ପବନ ହୋଇଥିଲା; ଏଥିରେ କାଳନ୍ଦିଙ୍କ ଦୁଇ ବଖରା ଟିଣ ଛପର ଘର ସମ୍ପୂର୍ଣ୍ଣ ଉଡ଼ିଯାଇଥିଲା । ଘର ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ଓ ଚାଉଳ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି । ପୂର୍ବରୁ କୌଣସି ସରକାରୀ ସହାୟତା ଅଥବା ଯୋଜନାରେ ସାମିଲ ହୋଇପାରିନଥିବା କାଳନ୍ଦି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲାବେଳେ ଦୈନିକ ଖବର କାଗଜ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ଗତକାଲି ଏକ ଘଣ୍ଟାର କାଳବୈଶାଖିରେ ତାଙ୍କ ସଂସାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅଥବା ବିଜୁ ପକ୍କାଘର ଯୋଜନାରେ ତାଙ୍କୁ ସାମିଲ କରି ତୁରନ୍ତ ବାସୋପଯୋଗୀ ଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।