Odisha news

ମଦରୁ ରାଜସ୍ୱ ଓ ପ୍ରଜାମଙ୍ଗଳ ପ୍ରସଙ୍ଗ

0

ବିନୟ ଭୂଷଣ ପାଣିଗ୍ରାହୀ : ପ୍ରଜାପାଳନ ଏବଂ ରାଜ୍ୟର ସମୃଦ୍ଧି ପାଇଁ ରାଜକୋଷରେ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଯୁଗେଯୁଗେ ରହିଥିଲା, ଆଜି ରହିଛି ଏବଂ ଆଗକୁ ମଧ୍ୟ ରହିବ। ରାଜସ୍ବ କହିଲେ ରାଜ୍ୟର ରାଜା/ଶାସକ  ପ୍ରଜା /ଜନସାଧାରଣଙ୍କ ଠାରୁ ଟ୍ୟାକ୍ସ,ସେସ,ଷ୍ଟାମ୍ପ ଡ୍ୟୁଟି, ରୟାଲଟି,ଫିଜ, ଜୋରିମାନା,ସୁଧ ଇତ୍ୟାଦି ବାବଦରେ ଆଦାୟ କରୁଥିବା ଆର୍ଥିକ ସମ୍ବଳକୁ ବୁଝାଏ। ସେଇ ରାଜସ୍ବକୁ ସରକାର ବିନିଯୋଗ କରନ୍ତି ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ ଯୋଜନା ରେ,ଦରମା ଓ ପେନସନ ପରି ଅଣଯୋଜଣା ଖର୍ଚ୍ଚ ତୁଲାଇବାରେ, ରାଜ୍ୟ ପାଇଁ ସରକାର କରିଥିବା ଋଣ ବାବଦକୁ  ସୁଧ ଦେବା ଓ ଋଣ ପରିଶୋଧ କରିବାରେ, ଅପ୍ରତ୍ୟାଶିତ ବିପତ୍ତି ଜନିତ ଖର୍ଚ୍ଚ ତୁଲାଇବାରେ; ଇତ୍ୟାଦି ଇତ୍ୟାଦି। ଅଧିକ ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ କେତେବେଳେ କେମିତି ସରକାର ସ୍ୱଳ୍ପ ଲାଭକାରୀ ବ୍ୟବସାୟ ମଧ୍ୟ କରିଥାନ୍ତି ଯଦିଓ ସରକାର ଏକ ବ୍ୟବସାୟିକ ଅନୁଷ୍ଠାନ/ପ୍ରତିଷ୍ଠାନ ନୁହେଁ। ତେବେ, ସରକାରଙ୍କର ସେଇସବୁ ବ୍ୟବସାୟ ପଛରେ ମୋଟାମୋଟି ଗୋଟିଏ ଉଦ୍ଦେଶ୍ୟ ଥାଏ ଯାହାକୁ କୁହାଯାଏ ଜନ କଲ୍ୟାଣ ସାଧନ। ଆମ୍ଭେ ଏଇସବୁ ବ୍ୟବସାୟକୁ ବିରୋଧ କରିବା ଉଚିତ ମନେକରୁନାହୁଁ ଏବଂ କରିବା ଉଚିତ ମଧ୍ୟ ନୁହେଁ,ଯେହେତୁ ସେସବୁ କରିବା ପଛରେ ସରକାରଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଜନହିତକାରୀ।

 ତେବେ, ବିଗତ କୋଡିଏ-ପଚିଶ ବର୍ଷ ହେଲା ମଦ ରୁ ରାଜସ୍ୱ ବୃଦ୍ଧି କରିବାର ସରକାରୀ ଲକ୍ଷଟି ବିଷୟରେ ଯେତେ ଚେଷ୍ଟା କଲେ ମଧ୍ୟ ବିଷୟଟି ସେତେ ବେଶୀ ଦୁର୍ବୋଧ୍ୟ ହେଇଯାଉଥିଲା। ଏବେ କିନ୍ତୁ ବୈଶ୍ବିକ ମହାମାରୀ କରୋନାର କରାଳ ଛାୟା ଜନମାନସରେ ଅକାଳ ମୃତ୍ୟର ଧୂସର ଚିତ୍ର ଆଙ୍କୁଥିବା ବେଳେ ସରକାରଙ୍କର ମଦ ବିକ୍ରି ପାଇଁ ଉଚ୍ଚାଟପଣ ଓ ଯୁଦ୍ଧ କାଳୀନ ତତ୍ପର ବନ୍ଦୋବସ୍ତ କୁ ଦେଖି ଆବାଳବୃଦ୍ଧବନିତା ଏହି ବିଷୟ ପଛରେ ଥିବା କାରଣ, ଅର୍ଥ,ଅନର୍ଥ ,ଉଦ୍ଦେଶ୍ୟ ଓ ଅଭିସନ୍ଧି ଇତ୍ୟାଦିକୁ ବେଶ ଭଲକରି ବୁଝିପାରୁଛନ୍ତି ବୋଲି ଆମ୍ଭର ମନେହୁଏ। ତଥାପି,ଏଠାରେ ସେ ବିଷୟରେ ଚୁମ୍ବକରେ ଆଲୋଚନା କରିବା ଉଚିତ ମନେକରୁଛୁ। ଅନ୍ୟଥା ସରକାର ଏବଂ ଜନସାଧାରଣଙ୍କ ଭିତରେ ଥିବା ପାରସ୍ପରିକ ବୁଝାମଣା ଭିତରେ ଭ୍ରମ ପ୍ରବେଶ କରିବାର ସମ୍ଭାବନା ରହିଯାଇପାରେ।

ସେଇ ଭ୍ରମର ବଶବର୍ତ୍ତୀ ହେଇ ସ୍ତ୍ରୀ/ଗୃହିଣୀ ମାନେ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇଁ ସମର୍ପିତ ମନୋଭାବ ପୋଷଣ କରୁଥିବା ସେମାନଙ୍କ ସ୍ୱାମୀ ମାନଙ୍କୁ ନିର୍ବିବାଦରେ ହାତର ଚୁଡି ଠୁଁ ଆରମ୍ଭ କରି ବେକର ମଙ୍ଗଳସୁତ୍ର ପର୍ଯ୍ୟନ୍ତ ବାହାର କରି ଧରାଇଦେବାକୁ କୁଣ୍ଠିତ ହେବା ସହିତ ମଦ୍ୟପାନ କରିସାରିବା ପରେ ମର୍ଦ୍ଦ ସାଜି ଘରକୁ ଫେରିଥିବା ସ୍ୱାମୀର ପିଲା-ପରିବାର ଉପରେ ଅତ୍ୟାଚାରକୁ ସରକାରଙ୍କର ଜନମଙ୍ଗଳକର କାର୍ଯ୍ୟ ବୋଲି ବୁଝି ନପାରି ସେସବୁର ବିରୋଧ କରିପାରନ୍ତି।  ସେଇପରି, ଲୋକମାନେ ମଦ୍ୟପାନ କମାଇଦେଲେ କିମ୍ବା ଛାଡିଦେଲେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ, ହଣାକଟା ଜନିତ କ୍ଷୟକ୍ଷତି ଓ ମୃତ୍ୟୁ, ଲିଭର କ୍ୟାନ୍ସର(ଯକୃତ କର୍କଟ) ଓ କିଡନୀ ଫେଲିଓର( ବୃକକ୍ ଅକାମି),ଦୃଷ୍ଟିଶକ୍ତି ହାନି,ଉନ୍ମନ୍ତ ପଣ/ପାଗଳପଣ ଇତ୍ୟାଦି ଯୋଗୁଁ ହେଉଥିବା ରୋଗ ଏବଂ ମୃତ୍ୟୁ, ଘରୋଇହିଂସା ଜନିତ ହତ୍ୟା-ଆତ୍ମହତ୍ୟା ଇତ୍ୟାଦି ମାତ୍ରାଧିକ ଭାବେ କମିଗଲେ ସରକାର ସେମାନଙ୍କୁ ବିନା ପ୍ରିମୀୟମରେ ଯୋଗାଇଦେଉଥିବା ସ୍ୱାସ୍ଥ୍ୟ ବୀମା ଓ ସେମାନଙ୍କ ପାଇଁ ଖୋଲିଥିବା ଦାତବ୍ୟ ଚିକିତ୍ସାଳୟ ପରି ଜନକଲ୍ୟାଣକାରୀ ଯୋଜନା ସମୂହର ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ନିଶ୍ଚିନ୍ତ ଭାବେ ହ୍ରାସ ପାଇବ।

ଯଦ୍ୱାରା ସରକାରଙ୍କ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଉପରେ ଜନସାଧାରଣ ପ୍ରଶ୍ନ ପଚାରିବା ଆରମ୍ଭ କରିଦେବେ ଯାହା  ସରକାରଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିବ( ଏହା ଆମ୍ଭେ ଭାରତ ଇତିହାସ ଓ ବିଶ୍ୱ ଇତିହାସ ଅଧ୍ୟାୟନରୁ ଅବଗତ ହୋଇଛୁ)। ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ଯୁକ୍ତି ମନକୁ ଆସେ। ପରିବାରର ପୋଷଣାହାରି ପୁଅ ମାନଙ୍କୁ ସରକାର ସ୍ୱଚ୍ଛନ୍ଦରେ ମଦିରା ଯୋଗାଇ ନଦେଲେ ସେମାନେ ନିଜ ନିଜର ଶ୍ରମ ଅର୍ଜ୍ଜିତ ସାଧନରେ  ସ୍ୱକୁଟୁମ୍ବ ପ୍ରତିପୋଷଣ କରି ସ୍ୱଚ୍ଛନ୍ଦରେ ଜୀବନ ନିର୍ବାହ କରିବେ।

ପରିଣାମ ସ୍ୱରୂପ, ସେମାନେ ସେମାନଙ୍କ ଅକର୍ତ୍ତବ୍ୟ ପିତାମାତାଙ୍କ କବଳରୁ ନିଜକୁ ସ୍ୱାଧୀନ କରିନେବାର ମହନୀୟ ସାମାଜିକ ଦାୟିତ୍ୱ କୁ କାନ୍ଧରୁ ଖସେଇଦେବେ। ସେତେବେଳେ ସେମାନେ  ଆଉ ପିତୃପୁରୁଷଙ୍କ ଅର୍ଜିତ ଜମିବାଡ଼ିକୁ ବାଣ୍ଟକୁଣ୍ଟ କରି ବିକ୍ରିବଟା କରିବାକୁ ଚାହିଁବେନାହିଁ। ଏତଦ୍ୱାରା ସରକାରଙ୍କର ଦୁଇଟି କ୍ଷତି ହେବ। ପ୍ରଥମଟି ହେଉଛି ମଦ ବିକ୍ରି କମିବା କାରଣରୁ ରାଜସ୍ୱ ହାନି ଏବଂ ଦ୍ୱିତୀୟଟି ହେଲା ଜମି କିଣାବିକା ରୁ ମିଳୁଥିବା ରେଜିଷ୍ଟ୍ରେସନ ଚାର୍ଜ / ଷ୍ଟାମ୍ପ ଡ୍ୟୁଟି। ସେଇପରି, ସମାଜରେ ବିଧବା ଓ ପିତୃଛେଉଣ୍ଡ ମାନଙ୍କର ସଂଖ୍ୟା ଆଖିଦୃଶିଆ ନହେଲେ ସରକାର କାହାର ମଙ୍ଗଳ ପାଇଁ ଯୋଜନା କରି ଜନାଦୃତି ଲାଭ କରିବେ !!! ମଦ  ନିସିଦ୍ଧ କରିଦେଲେ କିମ୍ବା ମଦ ଯୋଗାଣକୁକଠୋର କଟକଣା ମାଧ୍ୟମରେ  ସୀମିତ କରିଦେଲେ ପ୍ରଗତି ପଥେ ଦ୍ରୁତ ଅଗ୍ରସର ହେଉଥିବା ରାଜ୍ୟ ଓଡ଼ିଶାର ସଚେତନ ନାଗରିକ ମାନେ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜ୍ଜନ କିମ୍ବା ଅତି ନ୍ୟୁନ ପ୍ରତିଶତ ମତଦାନ ଭଳି ଆଶଙ୍କା କୁ ଆମ ରାଜ୍ୟର ବହୁ ଅନୁଭବୀ ସରକାର କଦାପି ଅଣଦେଖା କରିପାରିବେ ନାହିଁ। ସେମିତି ହେଲେ ରାଜ୍ୟ ସରକାର ତଥା ରାଜ୍ୟର ଈଜ୍ଜତ ଦିଅଣ୍ଡା-ଦି’କଡା ହେଇଯିବ ନାହିଁକି !!!

ଆମ୍ଭେ ଯଦି ଏଠାରେ ଏମିତି ଗୋଟିଏ ପରେ ଗୋଟିଏ କରି ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିଦେବୁ ,ପାଠକ-ପାଠିକା ମାନଙ୍କ ଭାବିବା ପାଇଁ କିଛି ବାକି ରହିବନାହିଁ। ତେଣୁକରି, ଅନୁଭବରୁ ଅନ୍ୟ ଉଦାହରଣ ଗୁଡିକ ବାଛି ବାହାର କରିବାର ଲଘୁ ଦାୟିତ୍ୱ ସେମାନଙ୍କ କାନ୍ଧରେ ଥୋଇଦେଇ ଆମ୍ଭେ ଟିକିଏ ଅନ୍ୟ ଆଡକୁ ଗତି କରୁଛୁ।

ଆଲୋଚ୍ୟ  ବିଷୟବସ୍ତୁ(ମଦ ଓ ରାଜସ୍ୱ) ର ଗୁରୁତ୍ୱ ସବୁଦିନିଆ କଥା ଦୃଷ୍ଟିକୋଣରୁ ଯେମିତି ,ସାମ୍ପ୍ରତିକ କରୋନା ପରିସ୍ଥିତିରେ ତା’ଠାରୁ ଢେର ଭିନ୍ନ ଏବଂ ସରକାରଙ୍କ ପାଇଁ ବହୁ ମାତ୍ରାରେ ବେଶୀ ଲାଭଦାୟକ ଏବଂ ଗଣ ମଙ୍ଗଳକାରୀ ହେଇଥିବ , ବହୁତ ବେଶୀ ମୁଣ୍ଡ ନଖେଳାଇ ଏକଥା କୁ ସ୍ୱୀକାର କରିନେବାର ଆମ୍ଭ ମନରେ କୌଣସି ଦ୍ଵିଧା ନାହିଁ। ତେବେ ଆସନ୍ତୁ, ତା ଉପରେ କିଞ୍ଚିତ ଆଲୋକପାତ କରି ଜନତାଙ୍କ ମନରୁ କରୋନା କାରଣରୁ ସୃଷ୍ଟି ହେଇଥିବା ଆଶଙ୍କା ଦୂର କରିବାକୁ ଆମ୍ଭେ ଏକ ସଂକ୍ଷିପ୍ତ ପ୍ରୟାସ କରିବା।

ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି। ତାହାହେଲା, ” କୋଭିଡ-୧୯ ରୁ ନିଜକୁ ତଥା ନିଜନିଜର ପରିବାରକୁ ସୁରକ୍ଷିତ କରିବା ପାଇଁ ଏହି ଭୁତାଣୁ ଜନିତ ରୋଗର ନିର୍ଦ୍ଧିଷ୍ଟ ନିଦାନ  ଏବଂ ପ୍ରତିଷେଧକ ଉପଲବ୍ଧ ନହେବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବା ଓ ସ୍ୱଚ୍ଛତା ରକ୍ଷା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଖାଦ୍ୟସାର ଯୁକ୍ତ ଖାଦ୍ୟ ଖାଇ ଇମ୍ୟୁନିଟି ପାୱାର(ରୋଗ ପ୍ରତିରୋଧକ କ୍ଷମତା)କୁ ବଢାଇବା ଏକମାତ୍ର ଉପାୟ। ସଂଯମଚିତ୍ତ ହୋଇ ଯୋଗାଭ୍ୟାସ ଓ ନିୟମିତ ବ୍ୟାୟାମ କରି ଶରୀରକୁ ଭୁତାଣୁ ପ୍ରତିରୋଧୀ କରିବା ଦରକାର। କେବଳ ଏତିକି କଲେ ହେବନାହିଁ, ମଦ୍ୟପାନ ଅଭ୍ୟାସ ପରି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରୁଥିବା ଅଭ୍ୟାସ ଠାରୁ ଯଥା ସମ୍ଭବ ଦୁରେଇ ରହିବା ଆବଶ୍ୟକ।”

ଏକଥା ମଦୀରା ପାନ ନକରି କହିଦେବା ଯେତିକି ସହଜ ବିନା ମଦ୍ୟପାନରେ କାର୍ଯ୍ୟରେ ରୂପାନ୍ତରିତ କରି ଦେଖାଇବା ସେତିକି କଠିନ ବୋଲି ସାମାନ୍ୟ ବିଳମ୍ବରେ ହେଉପଛେ ଆମ ପ୍ରଜାନୁରଞ୍ଜକ ସରକାର ହୃଦୟଙ୍ଗମ କରିପାରି ଆଉକଣ ଜରୁରୀ ବ୍ୟବସାୟ କୁ କଟକଣା ମୁକ୍ତ କରନ୍ତୁ ବା ଙ୍କରନ୍ତୁ,ମଦ ଦୋକାନ ଗୁଡିକୁ ଅଗ୍ରାଧିକାର ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବାର ଦୃଢ଼ ନିଷ୍ପତ୍ତି ନେଲେ। କିରେ,ସାନିଟାଇଜର ଭଳି ଧରାପୃଷ୍ଠରେ ଏକମାତ୍ର ପାନୀୟ ମଦରେ ହିଁ ତ ଖାଣ୍ଟି ଆଲକହଲ ଅଛି ଯାହା କେବଳ ହାତରୁ କରୋନା ଭୁତାଣୁ ସଫା ନକରି ମୁଖଗହ୍ୱର ଠାରୁ ମଳଦ୍ୱାର ପର୍ଯ୍ୟନ୍ତ କରୋନା ନାଶ କରିପାରିବ।

ଲୋକଙ୍କ ଭିତରେ ବୀର ଜବାନ ମାନଙ୍କ ପରି ଅମାପ ସାହସ,ଶୃଙ୍ଖଳା ଭାବ,କର୍ତ୍ତବ୍ୟନିଷ୍ଠା,ସମର୍ପଣ ମନୋଭାବ ଇତ୍ୟାଦି ଲହଡ଼ି ଭାଙ୍ଗିବ। ମଦିରା ପାନକରି ଜନତା ଜନାର୍ଦ୍ଦନ ଖୁସି,ରାଜସ୍ୱ ପାଇ ସରକାର ଖୁସି,କରୋନା ଭୟ ମଧ୍ୟ ଦୂର। ବାଡ଼ି ଭାଙ୍ଗୁ କି ନଭାଙ୍ଗୁ, ସାପ ମରିବା ଥୟ।  କରୋନା ସଂକ୍ରମଣ ଆରମ୍ଭରୁ ଅଦ୍ୟାବଧି କାର୍ଯ୍ୟକାରୀ କରିଥିବା ପ୍ରତ୍ୟେକ ପଦକ୍ଷେପ ପାଇଁ ସାରା ଭାରତବର୍ଷରେ ଏବଂ ବିଶ୍ୱ ସ୍ତରରେ ସାବାସୀ ପାଇଛନ୍ତି ଆମ ସରକାର। ତେବେ,ଏଇ ପର୍ଯ୍ୟାୟରେ ଏ ପ୍ରକାର ଏକ ବୁଦ୍ଧିମାନ, ବିଚାରଶୀଳ,ସୂକ୍ଷ୍ମ ଓ ସରଳ ପ୍ରତିକାର ବ୍ୟବସ୍ଥାକୁ ଆପଣାଇଥିବା ଆମ ରାଜ୍ୟ ସରକାରଙ୍କୁ ଯେତେ ବାହାବା ଦେଲେ ମଧ୍ୟ କମ ହେବ ନାହିଁକି ?

   ବୁଦ୍ଧିଜୀବୀ ହିସାବରେ ହେଉ କିମ୍ବା ସଚେତନ ନାଗରିକ ହିସାବରେ ହେଉ, ଜନମଙ୍ଗଳକାରୀ ସରକାରଙ୍କ ରାଜସ୍ୱ ପରିମାଣ ଅଭିବୃଦ୍ଧି ନିମନ୍ତେ ଆମ୍ଭେ ମଧ୍ୟ ସରକାରଙ୍କ ମାନସିକତା ଅନୁକୂଳ କିଛି ପ୍ରସ୍ତାବ ଦେବାକୁ ଇଛୁକ ଅଟୁ। ପୁନଶ୍ଚ ଆମ୍ଭେ ସରକାରଙ୍କୁ ଭରସା ମଧ୍ୟ ଦେଉଛୁ ଯେ ଆମ୍ଭଦ୍ୱାରା ପ୍ରଦତ୍ତ ପ୍ରସ୍ତାବ ଗୁଡିକୁ ଗ୍ରହଣ କରି କାର୍ଯ୍ୟକାରୀ କରାଇଲେ କେବଳ ସରକାରଙ୍କ ରାଜସ୍ୱ ବହୁଗୁଣିତ ହେବନାହିଁ;ଆମ୍ଭ ରାଜ୍ୟ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟର ଅଧିକାଂଶ ଜନସାଧାରଣଙ୍କର ଆୟ ଆଶାତୀତ ଭାବରେ ବୃଦ୍ଧି ପାଇବ ଏବଂ ସରକାରଙ୍କର ଖର୍ଚ୍ଚଭାର ମଧ୍ୟ କଳ୍ପନାତିତ ମାତ୍ରାରେ କମିଯିବ।

ଅଣପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗୁଁ ଆମ୍ଭ ରାଜ୍ୟର କୃଷକମାନେ କୃଷିକାର୍ଯ୍ୟ ପାଈଁ ପ୍ରମୁଖତଃ ଅନିୟମିତ ମୌସୁମୀ ବର୍ଷା ଓ ବିଧ୍ୱଂସି ଲଘୁଚାପ ଜନିତ ବୃଷ୍ଟି ଉପରେ ନିର୍ଭରଶୀଳ ହୋଇ ଯାହାସବୁ ଉତ୍ପାଦନ କରନ୍ତି ତନ୍ମଧ୍ୟରେ ଅର୍ଥକରି ଫସଲ ବହୁତ କମ ଥାଏ।  ପୁନଶ୍ଚ,ଉତ୍ପାଦନ ଅନ୍ତେ ଅମଳ ସମୟରେ ସେସବୁର ବଜାର ଦର କୃଷକମାନଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରମାଣିତ ହୋଇଥିବାରୁ କୃଷକ ମାନଙ୍କର ମନୋବଳ ଭାଙ୍ଗିଯାଏ।  ସ୍ୱଳ୍ପ ଲାଭ କରୁଥିବା କିମ୍ବା କ୍ଷତି ସହୁଥିବା କୃଷକମାନଙ୍କ ପକ୍ଷେ ରାଜସ୍ୱ ଭରଣା କରିବା କଷ୍ଟକର ହେଇଥାଏ । 

ଶସ୍ୟହାନୀ ହେତୁ ସରକାରଙ୍କୁ ମଧ୍ୟ ସମାନ ପରିମାଣର ଝଟକା ଲାଗେ।  କ୍ଷତିଗ୍ରସ୍ତ କୃଷକ ମାନଙ୍କ ପାଇଁ ଫସଲ ହାନି ଜନିତ କ୍ଷତିପୂରଣ ପ୍ରଦାନ, କୃଷିଋଣ ଛାଡ ,ଫସଲ ବୀମା ରାଶି ପ୍ରଦାନ ଓ ସର୍ବନିମ୍ନ କ୍ରୟମୂଲ୍ୟ ନିର୍ଦ୍ଧାରଣ ଇତ୍ୟାଦି ନିମନ୍ତେ ରାଜକୋଷ ଉପରେ ଚାପ ପଡିଥାଏ। ଏସବୁ ସମସ୍ୟାରୁ କୃଷକ ମାନଙ୍କୁ ମୁକ୍ତି ଦେବା ସହିତ ରାଜ୍ୟବାସୀଙ୍କର ମୁଣ୍ଡପିଛା ଆୟବୃଦ୍ଧି ତଥା ବର୍ଦ୍ଧିତ ଅବକାରୀ ଟିକସ ଆଦାୟ ଓ ସରକାରୀ ଖର୍ଚ୍ଚ ହ୍ରାସ ନିମନ୍ତେ ସରକାର କୃଷକ ମାନଙ୍କୁ ଗଞ୍ଜେଇ ଓ ଅଫିମ ପରି ପ୍ରଭୁତ ଅର୍ଥକରି ଚାଷପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଆମ୍ଭେ ନିଶ୍ଚିନ୍ତ ହୋଇ କହିପାରିବୁ।

 କି ମଦ ହୋ,ଦଶ-କୋଡିଏ ଟଙ୍କାର ଗଞ୍ଜେଇ ହଜାରେ-ଦି’ହଜାର ଟଙ୍କାର ବିଦେଶୀ ମଦକୁ ମିନିଟିଏ ଭିତରେ ଚିତ କରିଦେବ। ଗଞ୍ଜେଇ ନିଶାରେ ଚାଖଣ ଦର୍କାର ନାହିଁ କି ଚଉକି ଦର୍କାର ନାହିଁ। ସକାଳୁ ସକାଳୁ ସୁଟକେ ଦି’ସୁଟକା ମାରିଦେଲେ କଇଁଛ ପରି ଗୁରୁଣ୍ଡୁ ଥିବା ଲୋକ ସାରାଦିନ ଜଙ୍ଗଲୀ ଘୋଡା ଭଳି ଦୌଡିବ। କାମ ନଥିଲେ ବି କାମ ବାହାର କରିନେବ।

ଦେବ ଦେବ ମହାଦେବଙ୍କ ପ୍ରସାଦ ପରା।  ଭଲକରି ଦେଖି-ଚାଖିକରି  ପଚାଶ ଟଙ୍କାର  ଖାଣ୍ଟି ଦେଶୀ  ଅଫିମ ହେଲେ ଚଷାପୁଅ  ସକାଳୁ ସଞ୍ଜଯାକେ ଉପରକୁ ମୁଣ୍ଡ ନଟେକି କ୍ଷେତରେ ଆଣ୍ଠେଇ ରହିଥିବ ସେମିତି। ପୁନଶ୍ଚ ହଜାର ହଜାର ହେକ୍ଟର ଜମି ଚଷିବା ନିଷ୍ପ୍ରୟୋଜନ, କେନାଲ କି ଗଭୀର ନଳକୂପ ଖନନ ର ଆବଶ୍ୟକତା ନାହିଁ, ଗବେଷଣା ଓ ଜ୍ଞାନକୌଶଳ ବିକାଶ ଜରୁରୀ ନୁହେଁ, ଉନ୍ନତ ମାନର ବୀଜ / ଚାରା ଓ ପୋକମରା ଔଷଧ କିମ୍ବା ଉର୍ବରକ ଯୋଗାଇଦେବାର ଆବଶ୍ୟକତା ନାହିଁ, ଶସ୍ୟହାନୀ ଭୟ ନାହିଁ, କୃଷି/ଶସ୍ୟବୀମା ଲୋଡ଼ା ନାହିଁ, ଲୋଡ଼ା ଖାଲି ସରକାରଙ୍କ ଦିବ୍ୟଚକ୍ଷୁ ଅଳପ ମେଲିବା।

ସେତିକି ହେଇଗଲା ପରେ ଆଉ ଗୋଟିଏ ମାତ୍ର ସରକାରୀ କୃପା ଦରକାର। ସେଇଟା ହେଉଛି ଷ୍ଟାର୍ଟ ଅପ ପ୍ରୋଗ୍ରାମରେ ହେରାଇନ ଓ ଅଫିମ ଶିଳ୍ପକୁ ସାମିଲ କରିବା। ବାସ୍, ତାପରେ ଖାଲି ରାଜସ୍ୱ ହିଁ ରାଜସ୍ୱ; ଏବେ  କେତେ ଜନମଙ୍ଗଳ କରିବା କଥା କରନ୍ତୁ ସର୍କାର।

Leave A Reply