ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ। ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ବାସନା ଦେଇଛନ୍ତି। ନିଜ ଟଙ୍କା ଉଠାଇବା ଲାଗି ଗ୍ରାହକମାନେ ବ୍ୟାଙ୍କର ଶାଖା ଓ ଏଟିଏମ୍ରେ ଲମ୍ବା ଧାଡ଼ି ଲଗାଇବା ପରେ ସେମାନଙ୍କ ମନରୁ ଭୟ ଦୂର କରିବା ଲାଗି ଅର୍ଥମନ୍ତ୍ରୀ କହିଛନ୍ତି, ୟେସ୍ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଉଭୟ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି। ତେଣୁ ବ୍ୟାଙ୍କର ଗ୍ରାହକ କିମ୍ବା ଜମାକାରୀ କେହିବି ଭୟଭୀତ ହେବାର କୌଣସି କାରଣ ନାହିଁ।
ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ତରଫରୁ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ଲାଗି ପ୍ୟାକେଜ୍ ଘୋଷଣା କରାଯାଇଛି। ସଙ୍କଟରେ ଫସିଥିବା ଏହି ବ୍ୟାଙ୍କକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜରିଆରେ ଉଦ୍ଧାର କରାଯିବ। ଷ୍ଟେଟ୍ ବ୍ୟାଙ୍କ ୨୪୫୦ କୋଟି ଟଙ୍କାରେ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିବ। ବ୍ୟାଙ୍କର ସମସ୍ତ କର୍ମଚାରୀ ଏକବର୍ଷ ପର୍ଯ୍ୟନ୍ତ ଦରମା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଏକ ନୂଆ ବୋର୍ଡ ଖୁବ୍ଶୀଘ୍ର ଗଠନ କରାଯିବ। ୟେସ୍ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ରୂପେ ଏକ ନୂତନ ବ୍ୟାଙ୍କ ଭାବେ ଗଠନ କରାଯିବ। ରିଜର୍ଭ ବ୍ୟାଙ୍କ ଅତିରିକ୍ତ ନିର୍ଦେଶକ ନିଯୁକ୍ତ କରିବ। ଏହି ପ୍ୟାକେଜ୍ ଉପରେ ରିଜର୍ଭ ବ୍ୟାଙ୍କ ତରଫରୁ ଲୋକମାନଙ୍କ ମତାମତ ଲୋଡ଼ାଯାଇଛି।
କେଉଁ କାରଣ ପାଇଁ ୟେସ୍ ବ୍ୟାଙ୍କ ଏଭଳି ସଙ୍କଟରେ ପଡ଼ିଲା ଓ ଏଥିପାଇଁ କିଏ ଦାୟୀ ତାଙ୍କୁ ଖୋଜି ବାହାର କରିବା ଲାଗି ରିଜର୍ଭ ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି। ୨୦୧୭ ପରଠାରୁ ୟେସ୍ ବ୍ୟାଙ୍କରେ ସଙ୍କଟ ଆରମ୍ଭ ହୋଇଥିଲା। ଯାଞ୍ଚ କରିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କରେ ନୂଆ ସିଇଓ ୨୦୧୮ ସେପ୍ଟେମ୍ବରରେ ନିଯୁକ୍ତ କରାଯାଇଥିଲା। ସେହି ସମୟରୁ ବ୍ୟାଙ୍କର ତ୍ରୁଟି ସଜାଡ଼ିବା ଆରମ୍ଭ ହୋଇଥିଲା। ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା କରାଯାଇଥିଲା। ୨୦୧୯ ସେପ୍ଟେମ୍ବରରୁ ସେବି ପକ୍ଷରୁ ଇନ୍ସାଇଡର୍ ଟ୍ରେଡିଂ ଅଭିଯୋଗରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ବ୍ୟାଙ୍କ ପାଇଁ ନୂଆ ପୁଞ୍ଜି ସଂଗ୍ରହ କାର୍ଯ୍ୟ ନିଷ୍ଠାର ସହ କରାଯାଉଛି ବୋଲି ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରୟାସ କେବେବି ସଫଳ ହୋଇନଥିଲା। ଶେଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘରୋଇ ବ୍ୟାଙ୍କର ସଙ୍କଟକୁ ଟାଳିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି। ଗତ ୬ ମାସ ହେଲା ୟେସ୍ ବ୍ୟାଙ୍କର ଅନୁଧ୍ୟାନ କରାଯାଉଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଜି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍ଡି ରାଣା କପୁରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଚଢ଼ଉ କରାଯାଇଛି। କିନ୍ତୁ ଏନେଇ ଅଧିକ ସୂଚନା ମିଳିପାରିନାହିଁ।
ୟେସ୍ ବ୍ୟାଙ୍କ ଘୋର ସଙ୍କଟରେ ପଡ଼ିଥିବା ଗତକାଲି ଜଣାପଡ଼ିଥିଲା। ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଥିଲା। ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲା। ଅର୍ଥ ମନ୍ତ୍ରଣାଳୟ ତରଫରୁ ବ୍ୟାଙ୍କ ଉପରେ କଟକଣା ଜାରି କରାଯାଇଥିଲା।
ୟେସ୍ ବ୍ୟାଙ୍କ ସଙ୍କଟ ଯୋଗୁଁ ବମ୍ବେ ଷ୍ଟକ ବଜାରରେ ମଧ୍ୟ ଆଜି କାରବାର ଅସ୍ଥିର ରହିଥିଲା। ସେନ୍ସେକ୍ସ ପ୍ରାୟ ୯୦୦ ପଏଣ୍ଟ୍ ତଳକୁ ଖସିଯିବାରୁ ନିବେଶକମାନେ ଆଜି ୩ ଲକ୍ଷ ୨୮ ହଜାର କୋଟି ଟଙ୍କା ହରାଇଛନ୍ତି। କେବଳ ୟେସ୍ ବ୍ୟାଙ୍କର ନିବେଶକମାନେ ୮୦୦୦ କୋଟି ଟଙ୍କା ହରାଇଛନ୍ତି।