ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିର ଯୁବ ପ୍ରତିଭା ଜିଭା ଓ ଏକ୍କାଙ୍କର ଜୁନିୟର ଫେଡେରେସନ କପ୍ରେ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର: ପଞ୍ଜାବର ସଙ୍ଗରୁର୍ଠାରେ ନିକଟରେ ଅନୁଷ୍ଠିତ ଜୁନିୟର ଫେଡେରେସନ କପ୍ରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ ପରେ ୧୧୦ ମିଟର ହର୍ଡଲ୍ସ ଧାବକ ଗ୍ରେସିସନ ଜିଭା ଚଳିତ ମାସ ଶେଷଆଡକୁ କେନିୟାରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ (୨୦ ବର୍ଷରୁ କମ୍) ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଦାବିଦାର ହୋଇଛନ୍ତି । ଜିଭା ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ରେ ତାଲିମ ନେଉଛନ୍ତି ।
୧୮ ବର୍ଷ ବୟସ୍କ ଜିଭା ଜୁନିୟର ଫେଡେରେସନ କପ୍ରେ ୧୪.୧୪ ସେକେଣ୍ଡରେ ଦୂରତା ଅତିକ୍ରମ କରି ତାଙ୍କର ବ୍ୟକ୍ତିଗତ ସର୍ବୋତମ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ । ମହାରାଷ୍ଟ୍ରର ତେଜସ ଅଶୋକ ଏଥିରେ ପ୍ରଥମ ହୋଇଥିଲେ । ପୂର୍ବରୁ ଜିଭା ସେମିଫାଇନାଲରେ ତାଙ୍କ ପ୍ରତିପକ୍ଷଙ୍କ ବିପକ୍ଷରେ ଆଉ ଏକ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୪.୧୭ ସେକେଣ୍ଡର ରେକର୍ଡ ହାଲ କରିଥିଲେ । ଜିଭାଙ୍କ ପ୍ରଭାବଶାଳୀ ପ୍ରଗତିକୁ ନେଇ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚସିପିର ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିୟର ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।
୧୭ ବର୍ଷ ବୟସ୍କ ଆର୍ୟାନ ଏକ୍କା ପଞ୍ଜାବର ସଙ୍ଗରୁର ଯାଇଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିର ଚାରିଜଣ ଆଥଲେଟଙ୍କ ମଧ୍ୟରେ ସବୁଠାରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ଏକ୍କା ପଦକ ହାସଲରୁ ବଂଚିତ ହୋଇଥିଲେ ମଧ୍ୟ ୨୦୦ ମିଟର ବିଭାଗରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତିନିଟି ପ୍ରତିଯୋଗିତା ମଧ୍ୟରୁ ପ୍ରତ୍ୟେକରେ ସେ ନିଜର ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ପ୍ରଥମ ରାଉଣ୍ଡ ବିଜୟରେ ୨୨.୩୯ ସେକେଣ୍ଡ, ସେମିଫାଇନାଲରେ ୨୨.୨୫ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନ ଏବଂ ଫାଇନାଲରେ ୨୨.୧୨ ସେକେଣ୍ଡରେ ଦୂରତା ଅତିକ୍ରମ କରିବା ସହିତ ଅନେକ ଅଭିଜ୍ଞ ଆଥଲେଟଙ୍କୁ ପଛରେ ପକାଇ ଷଷ୍ଠ ସ୍ଥାନ ଅଧିକାର କରିଥିଲେ । ଏକ୍କା ଆସନ୍ତା ବର୍ଷ ଜୁନିୟର ବିଭାଗ ପ୍ରତିଯୋଗିତାରେ ପ୍ରତଦ୍ୱନ୍ଦ୍ୱିତା କରିବାକୁ ତଥାପି ଯୋଗ୍ୟ ରହିଥିବାବେଳେ ହିଲିୟର ମଧ୍ୟ ତାଙ୍କର ସାମର୍ଥ୍ୟକୁ ନେଇ ଉତମ ପ୍ରଦର୍ଶନ ନେଇ ପୂର୍ଣ୍ଣ ଆସ୍ଥାବାନ ଅଛନ୍ତି ।
“ଗ୍ରେସିସନ୍ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିରେ ସ୍ୱଳ୍ପ ସମୟ ମଧ୍ୟରେ ଏକ ସେକେଣ୍ଡରୁ ଅଧିକ ଉନ୍ନତି ହାସଲ କରିଛନ୍ତି (ଯାହା ପ୍ରାୟତଃ ୧୦ ମିଟର ଦୂରତା ସହିତ ସମାନ)” ବୋଲି ହିଲିଅର କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, “ତାଙ୍କର ପ୍ରଗତି ଅତ୍ୟନ୍ତ ଚମତ୍କାର ରହିଛି ଏବଂ ଏହା ଦେଖି ମୋତେ ଗର୍ବିତ ଅନୁଭବ ହେଉଛି ଯେ ଆମେ ଏଠାରେ ସୃଷ୍ଟି କରିଥିବା ତାଲିମ ପରିବେଶରେ ସେ ସକାରାତ୍ମକ ଭାବରେ ଉତ୍କର୍ଷ ହାସଲ କରିବାକୁ ସମର୍ଥ ହୋଇଛନ୍ତି । ଆର୍ୟାନ ମଧ୍ୟ ଆମ ସହିତ ଯୋଗଦେବା ପରଠାରୁ ୨୦୦ ମିଟର ବିଭାଗରେ ସେହି ସମାନ ପରିମାଣରେ ଉନ୍ନତି ଆଣିଛନ୍ତି । ସେ ମଧ୍ୟ ୪୦୦ ମିଟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତେଣୁ ସେ କେଉଁ ବିଭାଗରେ ଆଗକୁ ବଢିବାର ସାମର୍ଥ୍ୟ ରଖୁଛନ୍ତି ତାହା ଆମେ ଦେଖିବୁ ।”
କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଯାତ୍ରା ଜନିତ କଟକଣା କାରଣରୁ ପ୍ରତିଯୋଗିତା ଆୟୋଜନ ତଥାପି ସୀମିତ ରହିଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିରେ ଆଥଲେଟମାନେ ଏକାଧିକ ପର୍ଯ୍ୟାୟ ‘ପରଫରମାନ୍ସ ଗ୍ରେଡେଡ ରେସ୍’ରେ ଅଂଶଗ୍ରହଣ କରୁଛନ୍ତି, ଯେଉଁ ନୂତନ ଚିନ୍ତାଧାରା ହିଲିଅରଙ୍କ ଦ୍ୱାରା ଗତବର୍ଷ ଠାରୁ ପ୍ରଚଳନ କରାଯାଇଛି ଏବଂ ତାହା ପରବର୍ତୀ ସମୟରେ ‘ଓପନ ଗ୍ରେଡେଡ ଷ୍ଟ୍ରକଚର’ ପ୍ରଚଳନ କରାଯାଇଛି । ସେଠାରେ ଆଥଲେଟମାନଙ୍କୁ ସେମାନଙ୍କର ବୟସ ଅଥବା ଲିଙ୍ଗ ନିର୍ବିଶେଷରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ମାନ୍ୟତା (ସିଡେଡ) ପ୍ରଦାନ କରାଯାଉଛି ।
ହିଲିଅର କହିଛନ୍ତି, “ଆମ ଆଥଲେଟମାନେ ସଂପ୍ରତି ବର୍ଷର ପ୍ରତିଯୋଗିତା ପ୍ରସ୍ତୁତି ପର୍ଯ୍ୟାୟରେ ରହିଛନ୍ତି । ତେଣୁ ଆମେ ସଂପ୍ରତି ବେଗ, ସାମର୍ଥ୍ୟ, ଶକ୍ତି ଏବଂ ସମନ୍ୱୟ ଆଦି ସମସ୍ତ ଗୁଣ ଗଢିତୋଳିବା ଉପରେ ଦୃଷ୍ଟି ଦେଉଛୁ, ଯାହା କ୍ରୀଡା କାର୍ଯ୍ୟକ୍ରମ ନଥିବା ସମୟ (ଅଫ୍ ସିଜନ)ରେ ବିକଶିତ କରାଯାଇଛି । ଏବେ ତାଲିମ ଖୁବ ନିର୍ଦ୍ଦିଷ୍ଟ ବିଷୟ ଆଧାରିତ ଏବଂ ଅତ୍ୟନ୍ତ ବ୍ୟାପକ ଧରଣର ହେଉଛି ।”
ସଂପ୍ରତି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍ପିସିରେ ୨୯ ଜଣ ଆଥଲେଟ ତାଲିମ ନେଉଛନ୍ତି, ଯାହାଙ୍କର ୨୦୨୪ ସୁଦ୍ଧା ଏସିଆରେ ସର୍ବୋତମ କ୍ରୀଡାବିତଙ୍କ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟ ରହିଛି । ଏଚ୍ପିସିର ୨୦୧୯ ବର୍ଷରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କର ଏକ ମିଳିତ ପ୍ରୟାସ ଭାବେ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ଆଥଲେଟମାନେ ସଫଳତା ହାସଲ କରୁଛନ୍ତି । ସବିତା ଟପ୍ପୋ ଚଳିତ ବର୍ଷ ଗୁଆହାଟିରେ ଅନୁଷ୍ଠିତ ଜୁନିୟର ଜାତୀୟ ଚମ୍ପିଆନସିପ୍ରେ ଦୁଇଟି ପଦକ ହାସଲ କରିଥିବାବେଳେ ୧୬ ବର୍ଷରୁ କମ୍ ବାଳିକା ଲଙ୍ଗ୍ ଜମ୍ପ୍ ବିଭାଗରେ ସ୍ୱର୍ଣ୍ଣ ଏବଂ ୧୬ ବର୍ଷରୁ କମ୍ ବାଳିକା ୮୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିଭଳି ରାଜେନ୍ଦ୍ର ସିଧୁ ୧୬ ବର୍ଷରୁ କମ୍ ୮୦ ମିଟର ହର୍ଡଲ୍ସ ବାଳକ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
Comments are closed.