Odisha news

୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

0

ରାୟଗଡା,୧୮ ।୧ : ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପୂରା ଜିଲ୍ଲାରେ ୧ ମାସ ଧରି ଚାଲିବ । ଚଳିତ ମାସ ୧୮ ତାରିଖ ଠାରୁ ଆସନ୍ତା ମାସ ୧୭ ତାରିଖ ଯାଏଁ ଚାଲିବାକୁ ଥିବା ସଡକ ସୁରକ୍ଷା ମାସକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୁଗ୍ମ ଭାବେ ଶୁଭ ଉଦଘାଟନ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଲୋକଙ୍କୁ ସଡକ ନିୟମ କାନୁନ ଉପରେ ସଚେତନ କରାଇବା ନିମନ୍ତେ ରାୟଗଡା ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଡକ ସୁରକ୍ଷା ରଥକୁ ଜିଲ୍ଲାପାଳ ମିଶ୍ର ଏବଂ ଏସ.ପି ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।

ଏକ ରଥ ଏକ ମାସ ଧରି ଜିଲ୍ଲାର ୧୧ ଗୋଟି ବ୍ଲକ ଓ ସମସ୍ତ ପଞ୍ଚାୟତ ବୁଲି ଲୋକଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଇବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମିଶ୍ର ସର୍ବଦା ସଡକ ନିୟମ କାନୁନ ମାନି ଯାନବାହାନ ଚଲାଇବା ପାଇଁ ପରାମର୍ଶ ଦେଇଥିଲେ । ଦୁଇ ଚକିଆ ଯାନ ଚଲାଇବା ସମୟରେ ହେଲମେଟ ପିନ୍ଧିବା ସହ ଚାରି ଚକିଆ ଯାନ ଚଲାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧି ଗାଡି ଚଲାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହ ଅତ୍ୟଧିକ ବେଗରେ ଗାଡି ନ ଚଲାଇବା, ମଦ୍ୟପାନ କରି ଗାଡି ନ ଚଲାଇବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନର ବ୍ୟବହାର ନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ୨୪ ଜାନୁୟାରୀରେ ପାଦଚଲା ପ୍ରତିଯୋଗିତା, ସାଇକେଲ ର୍ୟାଲି ସହ ସଡକ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆୟୋଜିତ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ଅଟୋ ୟୁନିୟନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply